କୁଶଭଦ୍ରାରୁ ମହିଳାଙ୍କ ମୃତଦେହ ଜବତ ମାମଲା : ଭାଇ ଆଣିଲେ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

Advertisment
ରାଇଘର : ବନ୍ଦ ଘରୁ ମା, ପୁଅଙ୍କ ଗଳିତ ଶବ ଉଦ୍ଧାର

Pratidin Time

ବାଲିଅନ୍ତା : ଗତକାଲି କୁଶଭଦ୍ରା ନଦୀରୁ ବାଲିଅନ୍ତା ଥାନା ପୁଲିସ ଜବତ କରିଥିବା ମୃତଦେହର ପରିଚୟ ମିଳିଛି। ମୃତ ମହିଳା ହେଲେ ବାଲିଅନ୍ତା ଥାନା ବାଲିକାନ୍ଥିଆ ଗ୍ରାମର ରମଣିରଂଜନ ମହାନ୍ତିଙ୍କ ପତ୍ନୀ ନିର୍ମଳା ମହାନ୍ତି (୪୫)। ଆଜି ମୃତଦେହ ଚିହ୍ନଟ ହେବା ପରେ ଏହି ମାମଲା ଭିନ୍ନ ମୋଡ଼ ନେଇଛି। ନିର୍ମଳାଙ୍କୁ ରମଣିରଂଜନ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଛି ‌ବୋଲି ନିର୍ମଳାଙ୍କ ବଡ଼ ଭାଇ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ରମଣିରଂଜନଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ବିବାହର ଦୀର୍ଘ ବର୍ଷ ପରେ ବି ବାପ ଘରୁ ଅଧିକ ଟଙ୍କା ଆଣିବାକୁ କହି ରମଣିରଂଜନ ନିର୍ମଳାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ବଡ଼ ଭାଇ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ବାଲିପାଟଣା ଥାନା ଝିଣ୍ଟି ମହାନ୍ତି ସାହିର ସ୍ବର୍ଗତଃ ଭ୍ରମରବର ମହାନ୍ତିଙ୍କ ଝିଅ ନିର୍ମଳା ୨୦ ବର୍ଷ ପୂର୍ବେ ରମଣିରଂଜନଙ୍କୁ ବିବାହ କରିଥିଲେ। ସେମାନଙ୍କର ୧୬ ବର୍ଷର ଗୋଟିଏ ପୁଅ ଓ ଦୁଇଟି ଛୋଟ ଝିଅ ଅଛନ୍ତି। ରମଣିରଂଜନ ଇଲେକ୍ଟ୍ରି ମିସ୍ତ୍ରିଭାବେ କାମ କରନ୍ତି। ଆର୍ଥିକ ଅନଟନ ଯୋଗୁଁ ଅଧିକାଂଶ ସମୟରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ବ୍ୟବସାୟ ବଢ଼ାଇବା ପାଇଁ ବାପ ଘରୁ ଲକ୍ଷେ ଟଙ୍କା ଆଣିବାକୁ ରମଣିରଂଜନ ଦାବି କରିଥିଲେ ଓ ନିର୍ମଳାଙ୍କୁ ନିର୍ଯାତନା ଦେଉଥିଲେ। ତେଣୁ ବଡ଼ ଭାଇ ପ୍ରଫୁଲ୍ଲ ଏକଦା ୫୦ ହଜାର ଟଙ୍କା ଦେଇଥିଲେ। ତଥାପି ନିର୍ମଳାଙ୍କ ଉପରେ ରମଣିରଂଜନଙ୍କ ନିର୍ଯାତନ କମିନଥିଲା। ବାକି ୫୦ ହଜାର ଟଙ୍କା ପାଇଁ ସେ ପୂର୍ବ ଭଳି ନିର୍ମଳାଙ୍କୁ ମାର୍‌ପିଟ କରୁଥିଲେ। ଶେଷରେ ନିର୍ମଳା ପୁଅ ସହ ଘରୁ ପଳାଇ ଆସି ଯଶୁଆପୁର ଗାଁରେ ଭିଣୋଇଙ୍କ ଘରେ ରହୁଥିଲେ। ପରେ ଅବଶ୍ୟ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପ୍ରଫୁଲ୍ଲଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତିରେ ରମଣିରଂଜନ ନିର୍ମଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ନିର୍ମଳା ଚିତ୍କାର କରିଥିଲେ ହେଁ ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ସେଠାକୁ ଯାଇପାରିନଥିଲେ। ସ୍ବାମୀ-ସ୍ତ୍ରୀ କଳିରେ ସେମାନେ ମୁଣ୍ଡ ପୂରାଇନଥିଲେ। ଗତକାଲି କୁଶଭଦ୍ରାରୁ ନିର୍ମଳାଙ୍କ ଶବ ଜବତ ହେବା ପରେ ଘଟଣା ସଂପର୍କରେ ପଡ଼ୋଶୀମାନେ ପ୍ରଫୁଲ୍ଲଙ୍କୁ ଫୋନ୍‌ କରି ଜଣାଇଥିଲେ ବୋଲି ସେ ପୁଲିସକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe