ପରିଚାଳନାରେ ପୁରୁଷଙ୍କ ଅପେକ୍ଷା ନାରୀ ଅଧିକ ଦକ୍ଷ

Advertisment

କନକ ନ୍ୟୁଜ୍‌ କନ୍‌କ୍ଲେଭ ‘ଅନନ୍ୟା’

କନକ ନ୍ୟୁଜ୍‌ କନ୍‌କ୍ଲେଭ ‘ଅନନ୍ୟା’

ପରିଚାଳନାରେ ପୁରୁଷଙ୍କ ଅପେକ୍ଷା ନାରୀ ଅଧିକ ଦକ୍ଷ

ଭୁବନେଶ୍ବର: ନାରୀମାନେ ପରିଚାଳନା କୌଶଳ ସହ ହିଁ ଜନ୍ମ ହୋଇଥା’ନ୍ତି। ମହିଳାମାନଙ୍କ ଅନ୍ତର୍ନିହିତ ଶକ୍ତି ମଧ୍ୟ ପୁରୁଷମାନଙ୍କଠାରୁ ଅଧିକ। ଏଣୁ ଘର ହେଉ ବା ବ୍ୟବସାୟ ବା ଋଣ ପରିଶୋଧ; ନାରୀର ଦକ୍ଷତା ବା କୌଶଳ ଅବର୍ଣ୍ଣନୀୟ ବୋଲି କହିଛନ୍ତି ‘ଇକୋବେଲେଜା ଦ ସେଲୁନ୍‌’ର ପରିଚାଳନା ନିର୍ଦ୍ଦେଶିକା ସ୍ମିତିଶ୍ବେତା ଦାସ। ‘ବ୍ୟବସାୟରେ ବୁଦ୍ଧିମତା: ଟକ୍କର ଦେଇପାରିବେ କି ମହିଳା?’ ଶୀର୍ଷକ ଅଧିବେଶନରେ ଯୋଗ ଦେଇ ସେ ଏହା କହିବା ସହ ସିସିଡିର ସିଇଓ ମାଳବିକା କ୍ରିଷ୍ଣାଙ୍କ ଉଦାହରଣ ରଖିଥିଲେ। ୨୦୧୯ରେ ସିସିଡିର ପରିଚାଳନା ନିର୍ଦ୍ଦେଶକ ତଥା ତାଙ୍କ ସ୍ବାମୀ ଭି.ଜି ସିଦ୍ଧାର୍ଥ ଆତ୍ମହତ୍ୟା କରିବା ସମୟରେ କମ୍ପାନିର ଋଣ ପ୍ରାୟ ୭ ହଜାର କୋଟି ଥିଲା। ଏଥିପାଇଁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିଲେ। କିନ୍ତୁ ମାଳବିକାଙ୍କ ନେତୃତ୍ବରେ ଏବେ ତାହା ପରିଶୋଧ ହୋଇ ୧୭୩୧ କୋଟି ରହିଛି।

ଏଭଳି ଏକ ଆର୍ଥିକ ସମସ୍ୟା ସହ ମାଳବିକାଙ୍କ ଲଢ଼େଇ ନିହାତି ଭାବେ ପ୍ରେରଣାଦାୟୀ। ଦକ୍ଷତା ଓ କୌଶଳ ସହ ନାରୀମାନେ ତର୍କସଙ୍ଗତ୍‌ ନିଷ୍ପତ୍ତି ନେବାରେ ସକ୍ଷମ ବୋଲି ସେ କହିଥିଲେ। ଉର୍ମି ଫୁଡ୍ସ୍‌ର ପରିଚାଳନା ନିର୍ଦ୍ଦେଶିକା ପ୍ରତିଶ୍ରୁତି ଜେନା କହିଥିଲେ, ନିଜ ଘରୁ ହିଁ ସଂଚାଳନ ଆରମ୍ଭ ହୋଇଥାଏ। ଘରକୁ ବାପା ଟଙ୍କା ରୋଜଗାର କରି ଆଣୁଥିଲେ ବି ଘର ଚଳାଇବା ଦାୟିତ୍ବ ମା’ଙ୍କ ଉପରେ ନ୍ୟସ୍ତ ଥାଏ। ବ୍ୟବସାୟ କ୍ଷେତ୍ରକୁ ଆସିଲେ, ସେଠାରେ ପୁରୁଷ-ମହିଳାର ତାରତମ୍ୟ ନଥାଏ। ଏହା ବ୍ୟକ୍ତିଗତ ମାନସିକତା ଓ ବିଶ୍ବାସର କଥା। ମହିଳା ହେଉ କି ପୁରୁଷ; ବ୍ୟବସାୟରେ ଦକ୍ଷ ହେବାର ଆବଶ୍ୟକତା ରହିଛି। ନଚେତ୍‌ ବ୍ୟବସାୟର ବିକାଶ ଅସମ୍ଭବ।

ସୂଚୀ ନନ୍ଦାସ୍‌ ବୁଟିକ୍‌ର ପରିଚାଳନା ନିର୍ଦ୍ଦେଶିକା ଶୁଚିସ୍ମିତା ନନ୍ଦ କହିଥିଲେ, ଆଜିର ଯୁଗରେ ପୁରୁଷ ଓ ମହିଳା ଉଭୟ ରୋଜଗାରକ୍ଷମ। କିନ୍ତୁ ମହିଳା ଯେତେ କର୍ମଜୀବୀ ହେଲେ ମଧ୍ୟ ଘର ପରିଚାଳନାର ଅତିରିକ୍ତ ଦାୟିତ୍ବ ତାଙ୍କ ଉପରେ ହିଁ ରହିଥାଏ। ଏଣୁ ନିଜ କର୍ମକ୍ଷେତ୍ର ସହ ଘରକୁ ମଧ୍ୟ ସମାନ ଭାବେ ପରିଚାଳନା କରିବାର କ୍ଷମତା କେବଳ ମହିଳା ପାଖରେ ଥାଏ। ଏହା ପୁରୁଷଟିଏ ପକ୍ଷେ ସମ୍ଭବ ନୁହେଁ। ମହିଳାମାନଙ୍କୁ ନିଶ୍ଚିତ ଭାବେ ପରିଚାଳନାରେ ଅଧିକ ଦକ୍ଷ ହେବାକୁ ପଡ଼ିବ। କାରଣ ମହିଳାଙ୍କ ଉପରେ ନିଜ ଘର ପରିବାର, ସନ୍ତାନ, ଉଭୟ ବାପଘର ଓ ଶାଶୂଘରର ଦାୟିତ୍ବ ନ୍ୟସ୍ତ ଥାଏ ବୋଲି ଉପସ୍ଥିତ ଆଲୋଚକମାନେ କହିଥିଲେ। ଅଧିବେଶନକୁ ସଂଗ୍ରାମ ଷଡ଼ଙ୍ଗୀ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe