ମହିଳାଙ୍କୁ ଗଣଦୁଷ୍କର୍ମ, ଜଣେ ଅଭିଯୁକ୍ତ ଗିରଫ ଚନ୍ଦକାରେ ଚାଞ୍ଚଲ୍ୟ

Advertisment
ସମ୍ବଲପୁର: ଭାଇ ପାଖରୁ ନାବାଳିକା ଭଉଣୀକୁ ଛଡ଼ାଇ ନେଲେ, ୪ ନାବାଳକ କଲେ ଗଣଦୁଷ୍କର୍ମ

ଖଣ୍ଡଗିରି/ବାରଙ୍ଗ: ଜଣେ ବିବାହିତା କର୍ମଜୀବୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। କର୍ମକ୍ଷେତ୍ରରୁ ଘରକୁ ଫେରୁଥିବା ବେଳେ ବାଟରୁ ୩ଜଣ ଦୁର୍ବୃତ୍ତ ତାଙ୍କୁ କାର୍‌ରେ ଉଠାଇନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଚନ୍ଦକା ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଛାନ୍‌ଭିନ୍ ଜାରି ରଖିଛି। ଆଜି ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ଚନ୍ଦକା‌ ପାଇକରାପୁର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୋଗ ଅନୁସାରେ, କଳିଙ୍ଗବିହାରର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ମହିଳାଜଣଙ୍କ ପାଇକରାପୁର ଅଞ୍ଚଳରେ ଦୀର୍ଘ ବର୍ଷ ହେବ ଭଡ଼ା ଘରେ ରହୁଛନ୍ତି। ଗତ ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ସେ ଘରକୁ ଫେରୁଥିବା ବେଳେ ତାଙ୍କୁ ଜାଣିଥିବା ଟିକିନା ନାମକ ଜଣେ ଯୁବକ ସିଙ୍ଗଡ଼ା ଖାଇବାକୁ ଡାକିଲା। କିନ୍ତୁ ସେ ଟିକିନା ସହ ଜଳଖିଆ କରିବାକୁ ମନା କରି ଦେଇଥିଲେ। ସେ ସ୍ଥାନୀୟ ନୂଆଗାଁ ପାଖାପାଖି ଏକ ନିଛାଟିଆ ସ୍ଥାନରେ ପହଞ୍ଚିଥିବା ବେଳେ ହଠାତ୍‌ ଏକ ଧଳାରଙ୍ଗର କାର୍ ତାଙ୍କ ନିକଟରେ ଅଟକି ଥିଲା। ସେଥିରୁ ଟିକିନା ଓ ଅନ୍ୟ ଜଣେ ବାହାରି ଆସିଥିଲେ। କାର୍ ଭିତରେ ଆଉ ଜଣେ ଯୁବକ ଥିଲେ। କିଛି ବୁଝିବା ପୂର୍ବରୁ ଟିକିନା ଓ ଅନ୍ୟ ଯୁବକଜଣଙ୍କ ମହିଳାଙ୍କ ମୁହଁରେ ରୁମାଲ୍ ବାନ୍ଧି କାର୍ ଭିତରକୁ ଟେକି ନେଇଥିଲେ। ଫଳରେ ମହିଳାଜଣଙ୍କ ସଂଜ୍ଞାହୀନ ହୋଇପଡ଼ିଥିଲେ। ସଂଜ୍ଞା ଫେରିବା ବେଳକୁ ଏକ ପରିତ୍ୟକ୍ତ ଘରେ ସେ ଉଲଗ୍ନ ହୋଇ ପଡ଼ି ରହିଥିଲେ ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। ଏତିକିବେଳେ ଟିକିନା ଓ ତା’ର ଅନ୍ୟ ସହଯୋଗୀମାନେ ବାହାରେ ମଦ ପିଉଥିଲେ। ପାଟି ନକରି ପୀଡ଼ିତାଜଣଙ୍କ କୌଶଳକ୍ରମେ ନିଜ ଶାଢ଼ି ଓ ମୋବାଇଲ୍‌ ଫୋନ୍‌ ଧରି ଝରକା ବାଟ ଦେଇ ଅନ୍ଧାରରେ ଖସି ପଳାଇ ଆସିଥିଲେ ଓ ସ୍ଥାନୀୟ ନୂଆଗାଁରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଯାଇଥିଲେ। ପରେ ସେ ମୋବାଇଲ୍‌ ଯୋଗେ ତାଙ୍କ ବାପାଙ୍କୁ ଜଣାଇଥିଲେ ଓ ତାଙ୍କ ବାପା ୧୦୦ କୁ ଡାଏଲ କରି ଚନ୍ଦକା ଥାନା ପୁଲିସ ସହଯୋଗରେ ତାଙ୍କୁ ଉଦ୍ଧାର କରିଥିଲେ। ପୁଲିସ ସୂଚନାନୁସାରେ ପୀଡ଼ିତାଙ୍କ ଅଭିଯୋଗ ପରେ ପରେ ଅଭିଯୁକ୍ତ ଟିକିନାକୁ ଅଟକ ରଖି ତଦନ୍ତ ଜାରି ରହିଛି। ମାତ୍ର ମେଡିକାଲ ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ ପୁଲିସ ପୀଡ଼ିତାଙ୍କ କଥା ଉପରେ ଭରସା କରି ପାରୁନାହିଁ। ପୀଡ଼ିତାଙ୍କ ସହ ଗିରଫ ଅଭିଯୁକ୍ତ ଟିକିନାର ପୂର୍ବରୁ ପରିଚିତି ଓ ଘନିଷ୍ଠ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ଏମିତିକି ମଝିରେ ମଝିରେ ଏମାନଙ୍କ ଭିତରେ ଝଗଡ଼ା ହେଉଥିବା ମଧ୍ୟ ଜଣାପଡ଼ିଛି। ତେଣୁ ରବିବାର ସନ୍ଧ୍ୟାରେ କେଉଁ ପରିସ୍ଥିତିରେ ଏହା ଘଟିଲା, ତାହା ଉପରେ ଅଧିକ ତଦନ୍ତ ଜାରି ରହିଛି। ଏଥିରେ ସମ୍ପୃକ୍ତ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଚନ୍ଦକା ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe