ଗାଁ ଦାଣ୍ଡରେ ମହିଳା ମେଳି: ପାଣି ପାଇଁ ହାହାକାର, ଶୁଣିବାକୁ କେହି ନାହିଁ

ଗାଁ ଦାଣ୍ଡରେ ମହିଳା ମେଳି: ପାଣି ପାଇଁ ହାହାକାର, ଶୁଣିବାକୁ କେହି ନାହିଁ

ଚନ୍ଦ୍ରଶେଖରପୁର: ହାତରେ ବାଲତି, ଗରା ନେଇ ଗାଁ ଦାଣ୍ଡରେ ମହିଳା ମେଳି। ଏମିତି ପରିସ୍ଥିତି ଏବେ ନିତି ଅପରାହ୍‌ଣରେ ଦେଖିବାକୁ ମିଳିଛି ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ଗ୍ରାମର ଜୁଝଗଡ଼ରେ। ଗ୍ରାମର ପାଖାପାଖି ୧୦୦ ପରିବାର ପାଇଁ ଏକମାତ୍ର ନଳକୂପ ଥିବାରୁ ଏପରି ପରିସ୍ଥିତି ଦେଖାଦେଉଛି। ଏହି ନଳକୂପଟି ୧୯୭୭ ମସିହାରେ ସ୍ଥାପନ କରାଯାଇଥିଲା। ଏବେ ତାହା ଅଚଳ ହୋଇଯାଇଥିବାରୁ ‌ପାଣି ଅଳ୍ପ ବାହାରୁଛି। ଏହାସହ ଯେଉଁ ମାଟି ଓ ଲୁହା ମିଶା ପାଣି ବାହାରୁଛି, ତାକୁ ମୁହଁରେ ଦେବା ସମ୍ଭବ ନୁହେଁ। ମାତ୍ର ଜୁଝଗଡ଼ ବାସିନ୍ଦା ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି‌ଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଲୋକମାନଙ୍କ ପିଇବା ପାଣି ପାଇଁ ପ୍ରଶାସନ କୌଣସି ପ୍ରକାର ସୁବିଧା ସୁଯୋଗ କରିନାହିଁ। ଲୋକମାନେ ନିଜ କୂଅ ପାଣି ଉପରେ ନିର୍ଭର କରି ଚଳୁଥିଲା ବେଳେ ସେମାନଙ୍କୁ ପ୍ରତିବର୍ଷ ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ପିଇବା ପାଣି ସୁବିଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ଭୋଟ୍‌ ହାତେଇ ନିଅନ୍ତି। କିନ୍ତୁ ନିର୍ବାଚନ ପରେ ପିଇବା ପାଣି ସମସ୍ୟା ସେମିତି ରହିଯାଏ। ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ କୂଅରୁ ପାଣି ଶୁଖି ଯାଇଥିବାରୁ ନଳକୂପ ଏକମାତ୍ର ସାହାରା ଥିଲା। କିନ୍ତୁ ତିନି ମାସ ହେବ ତାହା ଅଚଳ ହେବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏନେଇ ସ୍ଥାନୀୟ ବରିଷ୍ଠ ନାଗରିକ ବାବାଜୀ ସାମନ୍ତରାୟ କହନ୍ତି, ଏଠାରେ ଆଉ କିଛି ନଳକୂପର ଆବଶ୍ୟକ ରହିଛି। ଅଚଳ ନଳକୂପକୁ ସଚଳ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜେଇଙ୍କ ନିକଟରେ ଅଭିଯୋଗ କରିବାରୁ ଜଳଯୋଗାଣ ବିଭାଗ ଉକ୍ତ ଅଞ୍ଚଳରେ ପାଇପ୍ ପାଣି ସଂଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛି। ତାହା କେବେ ପୂରଣ ହେବ ଜଣା ନାହିଁ। ଗ୍ରାମର ବିନୋଦ ଭୋଇଙ୍କ କହିବା ଅନୁଯାୟୀ ଗ୍ରାମର ଏକମାତ୍ର ନଳକୂପ ଗତ ତିନି ମାସ ହେବ ଅଚଳ ହେବା ପରେ ଏହାର ମରାମତି ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ କାହାର ନିଘା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe