Kalinga TV
ଭୁବନେଶ୍ବର: ମହିଳାମାନଙ୍କ ସୁରକ୍ଷା ପାଇଁ କମିସନରେଟ ପୁଲିସ ଆଉ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଛି। କମିସନରେଟ୍ ପୁଲିସ ଖୁବ୍ଶୀଘ୍ର କର୍ମଜୀବୀ ମହିଳା ଓ ଛାତ୍ରୀମାନଙ୍କୁ ଏସପିଓ ଭାବେ ନିଯୁକ୍ତି ଦେବ। ଏହି ଏସ୍ପିଓମାନଙ୍କୁ ଦରମା ମିଳିବ ନାହିଁ, କିନ୍ତୁ ପୁଲିସର କ୍ଷମତା ସେମାନଙ୍କୁ ପ୍ରଦାନ କରାଯିବ। ମହିଳାମାନଙ୍କ ସୁରକ୍ଷା ନେଇ ସେମାନେ କାମ କରିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯିବ। ଆସନ୍ତା ୨ ତାରିଖରୁ ଏଭଳି ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି କମିସନରେଟ ପୁଲସ। ପରବର୍ତୀ ସମୟରେ ଅର୍ଥାତ୍ ଆସନ୍ତା ୧୫ ତାରିଖରୁ ଏହା କଟକରେ କାର୍ଯ୍ୟକାରୀ ହେବ। ଆଜି ଏ ସମ୍ପର୍କରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ମହିଳାମାନଙ୍କ ସୁରକ୍ଷା ପ୍ରତି କମିସନରେଟ ପୁଲିସ ସର୍ବଦା ପ୍ରସ୍ତୁତ ରହିଛି। ଏହି ଏସପିଓ ଯୋଜନା ଏକ ନୂ୍ଆ ଯୋଜନା। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ୪୧ଟି ସଂସ୍ଥାକୁ ଚିଠି କରାଯାଇ ଥିଲା। ଏହି ସଂସ୍ଥାଗୁଡିକ ନିଜ ସଂସ୍ଥାରେ କାମ କରୁଥିବା କର୍ମଜୀବୀ ମହିଳାମାନଙ୍କ ନାମ ପ୍ରଦାନ କରିଛନ୍ତି। ଏଥିରେ ବିଭିନ୍ନ କର୍ପୋରେଟ୍ ହାଉସ, ସପିଂ ମଲ, ଆଇଟି ସେକ୍ଟର, କଲ୍ ସେଣ୍ଟର ଓ ଟେକ୍ସ ଟାଇଲ ବିଭାଗ ରହିଛି।
ଏହା ବ୍ୟତୀତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଯେଉଁମାନେ ସ୍କ୍ବାଉଟ ଓ ଏନ୍ସିସି ନେଇଥିବେ ସେମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ଏସପିଓମାନଙ୍କୁ ଆଇନଜ୍ଞାନ ପ୍ରଦାନ କରାଯିବା ସହିତ ସେଲଫ ଡିଫେନ୍ସ ତାଲିମ ଦିଆଯିବ। ଏହି ଏସପିଓମାନେ ସେମାନଙ୍କ କାର୍ଯ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ମହିଳା ସୁରକ୍ଷା ନେଇ କାମ କରିବେ। କେଉଁଠି କେଉଁ ମହିଳା କିମ୍ବା ଛାତ୍ରୀ ଅସଦଚାରଣ, ଇଭିଟିଜିଂର ଶିକାର ହେଲେ ସେମାନେ ତୁରନ୍ତ ପୁଲିସକୁ ଖବର ଦେବେ। ଏହି ଏସପିଓମାନଙ୍କୁ ନେଇ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଯେଉଁଥିରେ ପୁଲିସ ଅଧିକାରୀମାନେ ମଧ୍ୟ ରହିବେ। ଖବର ଗ୍ରୁପରେ ଆସିବା କ୍ଷଣି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ବ୍ୟତୀତ ‘ଡାଏଲ-୧୦୦’ କାର୍ଯ୍ୟକ୍ରମକୁ ମଧ୍ୟ ସୁଦୃଢ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
Follow Us