‘ଭିନ୍ନଦୃଷ୍ଟି’ରେ ନାରୀ ସଶକ୍ତୀକରଣ: ବେବି ମଣ୍ଡଳ ଏବଂ ମାନସ ପରିଡ଼ାଙ୍କୁ ବିଦ୍ୟାକନକ ସମ୍ମାନ

Advertisment
‘ଭିନ୍ନଦୃଷ୍ଟି’ରେ ନାରୀ ସଶକ୍ତୀକରଣ: ବେବି ମଣ୍ଡଳ ଏବଂ ମାନସ ପରିଡ଼ାଙ୍କୁ ବିଦ୍ୟାକନକ ସମ୍ମାନ

ଭୁବନେଶ୍ବର: ହସ୍ପିଟାଲର ସାଧାରଣ ପରିମଳ କର୍ମଚାରୀ ମଦନ। କୋଉ ଦିନୁ ସ୍ତ୍ରୀ ଆରପାରିକୁ ଚାଲି ଗଲାଣି। ଗୋଟିଏ ମାତ୍ର ସ୍ବପ୍ନ, ଝିଅକୁ ପାଠ ପଢ଼ାଇ ଡାକ୍ତରାଣୀ କରିବ। ଭାଗ୍ୟ ସାହା ହୁଏ ଓ ଝିଅ ମୋନା ମେଡିକାଲ ପ୍ରବେଶିକା ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରେ। ସ୍ଥାନୀୟ ବିଧାୟକ ଆସି ଶୁଭେଚ୍ଛା ବାର୍ତ୍ତା ଦିଅନ୍ତି। ତା’ ପଢ଼ା ବାବଦକୁ ସମସ୍ତ ଖର୍ଚ୍ଚ ବି ବହନ କରନ୍ତି। କିନ୍ତୁ କଲେଜରେ ପଢ଼ିବା ବେଳେ ତା’ ସହ ଏକ ଅଘଟଣ ଘଟିଯାଏ। ଦୁଷ୍କର୍ମର ଶିକାର ହୁଏ ମୋନା। କିନ୍ତୁ ଏଥିରେ ଭାଙ୍ଗି ନପଡ଼ି ଲକ୍ଷ୍ୟ ପଥରେ ଆଗକୁ ବଢ଼ିଚାଲେ ଓ ପାଠ ପଢ଼ି ଡାକ୍ତରାଣୀ ହୁଏ। ଏମିତି ବିଷୟବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ବିଦ୍ୟାକନକ ସୃଜାନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ନାଟକ ‘ଭିନ୍ନଦୃଷ୍ଟି’, ସମାଜକୁ ନାରୀ ସଶକ୍ତୀକରଣର ବାର୍ତ୍ତା ଦେଇଥିଲା।

ମନୋଜ ମିଶ୍ରଙ୍କ ରଚିତ ଏହି ନାଟକକୁ ସୌନିକା ସାହୁ ନିର୍ଦ୍ଦେଶନା ଦେଇଥିଲେ। ସହନିର୍ଦ୍ଦେଶନା ଦେଇଥିଲେ ମାନସ କୁମାର ପରିଡ଼ା। ନବୀନ କୁମାର ପରିଡ଼ା, ଗୋବିନ୍ଦ ମହାପାତ୍ର, ମାନସ କୁମାର ପରିଡା, ପ୍ରଜ୍ଞାଦତ୍ତ ସାହୁ, ଜଗଦୀଶ ପ୍ରସାଦ ମହାରଣା, ଗିରିଜା ଶଙ୍କର ପଣ୍ଡା, ତାପସ ବାହିନୀପତି, ଅଭିଜିତ୍ ଦାସ, ଶୁଭଙ୍କର ସାହୁ, ଶୁଭକାନ୍ତ ପାଢ଼ୀ ଓ ବର୍ଷା ବାସିନୀ ବାରିକ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଏହି ଅବସରରେ ବେବି ମଣ୍ଡଳ ଏବଂ ମାନସ କୁମାର ପରିଡ଼ାଙ୍କୁ ବିଦ୍ୟାକନକ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି, ଉତ୍କଳ ସଂଗୀତ ମହାବିଦ୍ୟାଳର ପୂର୍ବତନ ଅଧ୍ୟକ୍ଷା ମାୟା ଦାସ ଓ ରୋଟାରି ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶାନ୍ତୁନୁ ପାଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଇଂ ସୁଧାକର ପତ୍ରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଶୁଭକାନ୍ତ ପାଢ଼ୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe