ପାଣି ପାଇଁ ମହିଳାଙ୍କ ରାସ୍ତାରୋକ: ୨୪ ଘଣ୍ଟା ନ ଦେଲେ ନାହିଁ, ୨୪ ମିନିଟ୍‌ ପାଣି ଦିଅନ୍ତୁ

Advertisment
ପାଣି ପାଇଁ ମହିଳାଙ୍କ ରାସ୍ତାରୋକ: ୨୪ ଘଣ୍ଟା ନ ଦେଲେ ନାହିଁ, ୨୪ ମିନିଟ୍‌ ପାଣି ଦିଅନ୍ତୁ

ଭୁବନେଶ୍ବର: ସବୁ ଘରକୁ ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ପ୍ରତି ଘରେ ଟ୍ୟାପ୍‌ ମଧ୍ୟ ଲଗାଇଲେ। କିନ୍ତୁ ଟ୍ୟ‌ାପ୍‌ରେ ପାନୀୟ ଜଳ ଆସିଲ‌ା ନାହିଁ। ତେଣୁ ୨୪ ଘଣ୍ଟା ପାଣି ନ ଦେଲେ ନାହିଁ, ଦିନକୁ ୨୪ ମିନିଟ ହେଲେ ପାଣି ଦିଅନ୍ତୁ ବୋଲି ଦାବିକରି ଆଜି ବିଶେଶ୍ବର ବସ୍ତିର ମହିଳାମାନେ ରାସ୍ତାରୋକ କରିଛନ୍ତି। ୩ଦିନ ଧରି ପାଣି ନ ଆସିବାରୁ ୪୦୦ରୁ ଅଧିକ ପରିବାର ଆଜି ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଧାରଣାରେ ବସିରହିଥିଲେ। ଦିନ ୨ଟାରୁ ୩ଟା ପର୍ଯ୍ୟନ୍ତ ରା‌ସ୍ତାରୋକ କରିବା ପରେ ପୁଲିସ ଓ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ସହିତ ୩ଟି ଟ୍ୟାଙ୍କର ପାଣି ଯୋଗାଇ ଦେଇଥିଲେ। ତେବେ ଟ୍ୟାଙ୍କର ପାଣିକୁ ସବୁ ବସ୍ତିବାସିନ୍ଦା ଅମଙ୍ଗ ହେବା ଫଳରେ ସଙ୍ଗେ ସଙ୍ଗେ ପାଇପ ପାଣି ଯୋଗାଇ ଦିଆଯାଇଥିଲା।

ଅନ୍ଦୋଳନରତ ମହିଳାଙ୍କ ଅଭିଯୋଗ, ଅନୁସାରେ ୪ ମାସ ତଳେ ବସ୍ତିର ପ୍ରାୟ ୮୦୦ ଘରକୁ ୨୪ ଘଣ୍ଟିଆ ପାଣି ପାଇଁ ଟ୍ୟାପ୍‌ ଲଗାଯାଇଥିଲା। ତେବେ ୨୪ ଘଣ୍ଟା ତ ଦୂର କଥ‌ା, ମନଇଚ୍ଛା ଦିନକୁ ଏକ ଘଣ୍ଟା ଲେଖାଏଁ ପାଣି ଦିଆଯାଉଥିଲା। ତାହା ପୁଣି କେବଳ ତ‌ଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୫୦୦ ପରିବାର ପାଇଁ ଆସୁ୍ଥିଲା। ଉପରେ ରହୁଥିବା ବାକି ୩୦୦ ପରିବାରକୁ ପାଣି ମିଳୁ ନଥିଲା। ପାଣି ପାଇଁ ଲୋକେ ଜେଇଙ୍କ ଠାରୁ ଆରମ୍ଭ କରି କର୍ପୋରେଟର ଓ ବିଧାୟକ ସମସ୍ତଙ୍କୁ ଭେଟିଥିଲେ। କିନ୍ତୁ ପାଣି ମିଳିଲା ନାହିଁ। ଗତ ୩ ଦିନ ‌ହେବ ବସ୍ତିକୁ ଜମାରୁ ପାଣି ଆସୁନଥିଲା। ବିଭାଗକୁ ଭେଟି ଅଭିଯୋଗ କରିବାରୁ ପାଣି ପାଇପ୍‌ ଫାଟିଥିବାରୁ ପାଣି ଆସିବାରେ ଅସୁବିଧା ହେଉଥିବା କୁହା ଯାଇଥିଲା। ମରାମତି ପାଇଁ ସମୟ ଲାଗିବ ବୋଲି ମଧ୍ୟ କୁହା ଯାଇଥିଲା। ପାଣି ଟ୍ୟ‌ାଙ୍କର ଆସୁଥିଲେ ମଧ୍ୟ ପରିବାରକୁ ଦିନକୁ ଦୁଇ ବାଲ୍‌ଟି ପାଣି ବି ମିଳୁ ନଥିଲା। ସେଥିପାଇଁ ଲୋକେ ପାଣି କିଣି ଚଳୁଥିଲେ। ଆଜି ସକାଳୁ ଲୋକେ ପାଣି ପାଇଁ ଅପେକ୍ଷା କରିଥିଲେ, ହେଲେ ଟ୍ୟାଙ୍କର ମଧ୍ୟ ଆସିଲା ନାହିଁ। ତେଣୁ ମହିଳାମାନେ ବା‌ଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଲେ ବୋଲି କହିଛନ୍ତି।

ଆଜି ଦିନ ସାଢ଼େ ଗୋଟାଏ ସମୟରେ ବସ୍ତିର ଶତାଧିକ ମହିଳା ଗରା, ବାଲଟି ଧରି ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ରାସ୍ତାରେ ବସି ରହିଥିଲେ। ପ୍ରଶାସନ ପକ୍ଷରୁ କେହି ନ ଆସିବାରୁ ମହିଳାମାନେ ରାସ୍ତାରୋକ କରିବାରୁ ରାସ୍ତା ଜାମ୍‌ ହୋଇଯାଇଥିଲା। ଶତାଧିକ ଗାଡ଼ି ଅଟକିବା ପରେ ପୁଲିସ ଓ ପ୍ରଶାସନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ବସ୍ତିକୁ ପାଣି ଯୋଗାଇଥିଲା। ଏହି ସମସ୍ୟାର ସଂପୂର୍ଣ୍ଣ ସମାଧାନ ପାଇଁ ବସ୍ତି ବାସିନ୍ଦା ଦାବି କରିଛନ୍ତି। ଆଜିର ଆନ୍ଦୋଳନରେ ପ୍ରଭାତି ପଣ୍ଡା, ସବିତା ବିଶ୍ବାଳ, କିରଣବାଳା ମହାପାତ୍ର, ସୀତା ପ୍ରଧାନ ଓ ଚାରିତୋଳା ପ୍ରଧାନ ପ୍ରମୁଖ ବହୁ ମହିଳା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe