ୱାର୍ଡ ୧୨ ପରେ ୱାର୍ଡ ୧୭ ପାଳି, ଗଜପତି ନଗରରୁ ଆରମ୍ଭ ହେଲା ବର୍ଜ୍ୟ ପୃଥକୀକରଣ

Advertisment
ୱାର୍ଡ ୧୨ ପରେ ୱାର୍ଡ ୧୭ ପାଳି, ଗଜପତି ନଗରରୁ ଆରମ୍ଭ ହେଲା ବର୍ଜ୍ୟ ପୃଥକୀକରଣ

ଭୁବନେଶ୍ବର: ଏଣିକି ବିଏମ୍‌ସି ଲୋକଙ୍କ ଘରୁ ପୃଥକ ପୃଥକ ଆବର୍ଜନା ସଂଗ୍ରହ କରିବ। ଓଦା ଆବର୍ଜନା ଓ ଶୁଖିଲା ଆବର୍ଜନା ପୃଥକ ପୃଥକ ଭାବେ ଲୋକ ସଫେଇ କର୍ମଚାରୀଙ୍କୁ ଦେବେ। ସାରା ରାଜଧାନୀରେ ଏହି ଅଭିଯାନ ଆରମ୍ଭ ହେବାକୁ ଆଉ କିଛି ମାସ ବାକି ଥିବାବେଳେ ଆଜିଠାରୁ ଏହା ୱାର୍ଡ ୧୨ର ଗଜପତି ନଗରରୁ ଆରମ୍ଭ ହୋଇଛି। ଏହାପରେ ୱାର୍ଡ ୧୭ରେ ଏହି ଅଭିଯାନ ଆରମ୍ଭ ହେବ। ଏହି ଦୁଇଟି ୱାର୍ଡରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଯାଇଥିବାରୁ ଆବର୍ଜନା ପୃଥକୀକରଣ ଅଭିଯାନ ଏହିଠାରୁ ଆରମ୍ଭ ହୋଇଛି। ଯେଉଁ ୱାର୍ଡରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ସରିବ ସେଠାରେ ଲୋକଙ୍କ ଠାରୁ ଆବର୍ଜନା ପୃଥକ ପୃଥକ କରି ସଂଗ୍ରହ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଆଜି ଗଜପତି ନଗରରେ ଲୋକଙ୍କୁ ଅଳିଆ ପୃଥକୀକରଣ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହାକୁ ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ ଉଦ୍‌ଘାଟନ କରିଥିବାବେଳେ ଏଥିରେ ସ୍ବୟଂ ସହାୟିକା ଗୋଷ୍ଠୀ, ସ୍ବଚ୍ଛ ସାଥୀ, ସ୍ଥାନୀୟ ନାଗରିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଯୋଗଦେଇ ୱାର୍ଡ-୧୨ରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପଦଯାତ୍ରାରେ ଏକ ସ୍ବଚ୍ଛ ରଥ ବୁଲି ବର୍ଜ୍ୟ ପୃଥକୀକରଣ ବାର୍ତ୍ତା ବାଣ୍ଟିବା ସହ ଘରଘର ବୁଲି ସ୍ବଚ୍ଛତା ନି‌େବଦନ ପତ୍ର ବାଣ୍ଟିଥିଲେ। ଲୋକମାନେ ପ୍ରତିଦିନ ଦୁଇଟି ଡଷ୍ଟବିନ୍‌ରେ ଓଦା ଓ ଶୁଖିଲା ଆବର୍ଜନା ପୃଥକ ପୃଥକ ରଖି ସଫେଇ କର୍ମଚାରୀଙ୍କୁ ଦେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ, ଉତ୍ତର ଜୋନ୍‌ର ଡେପୁଟି କମିସନର ପ୍ରମୋଦ ପୃଷ୍ଟି, ୱାର୍ଡ ୧୨ର ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ, ୱାର୍ଡ ୧୭ର ପୂର୍ବତନ କର୍ପୋରେଟର ସୁସ୍ମିତା ଦାସ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe