ଛାତ ପଡ଼ିବା ପରେ ଅନ୍ତର୍ଯ୍ୟାମୀ କାହିଁକି ଭିତରକୁ ଯାଇଥିଲେ?

Advertisment

୨୦ବର୍ଷ ହେଲା ଦିଲ୍ଲୀପ କନଷ୍ଟ୍ରକସନ୍‌ରେ କାମ କରୁଥିଲେ ଅନ୍ତର୍ଯ୍ୟାମୀ, ଅପରାହ୍‌ଣ ଯାଏ ପରିବାରଠୁ ଦୂରେଇ ରଖିଲେ

୨୦ବର୍ଷ ହେଲା ଦିଲ୍ଲୀପ କନଷ୍ଟ୍ରକସନ୍‌ରେ କାମ କରୁଥିଲେ ଅନ୍ତର୍ଯ୍ୟାମୀ, ଅପରାହ୍‌ଣ ଯାଏ ପରିବାରଠୁ ଦୂରେଇ ରଖିଲେ

ଛାତ ପଡ଼ିବା ପରେ ଅନ୍ତର୍ଯ୍ୟାମୀ କାହିଁକି ଭିତରକୁ ଯାଇଥିଲେ?

ଭୁବନେଶ୍ବର : ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଦିଲ୍ଲୀପ କନଷ୍ଟ୍ରକସନ୍‌ର ସେଣ୍ଟ୍ରିଂ ମିସ୍ତ୍ରି ଅନ୍ତର୍ଯ୍ୟାମୀ ଗୁରୁଙ୍କର ଶୁକ୍ରବାର ରାତିରେ ‌ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ତର୍ଯ୍ୟାମୀଙ୍କ ସାନଭାଇ ନିରାକର ଗୁରୁ କହିଛନ୍ତି ଯେ ତାଙ୍କ ଭାଇ ୨୦ବର୍ଷ ହେଲା ସେଣ୍ଟ୍ରିଂ ମିସ୍ତ୍ରି ଭାବେ ଏହି ସଂସ୍ଥାରେ କାମ କରୁଥିଲେ। ହେଲେ ଶୁକ୍ରବାର ରାତିରେ ଛାତ ପଡ଼ି ସାରିବା ପରେ ଅନ୍ତର୍ଯ୍ୟାମୀ କାହିଁକି ତା’ତଳକୁ ଯାଇଥିଲେ ସେନେଇ କେହି କିଛି କହି ପାରୁ ନାହାନ୍ତି। ଏପରିକି ତାଙ୍କ ଭାଇ କେଉଁ ପରିସ୍ଥିତିରେ ଛାତ ତଳକୁ ଗଲେ ଏବଂ କେମିତି ଛାତ ଭୁଶୁଡ଼ିଲା ସେନେଇ ‌ପୁଲିସ ଠାରୁ ଆରମ୍ଭ କରି ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ସେଠାରେ କାମ କରୁଥିବା ଶ୍ରମିକମାନଙ୍କୁ ପଚାରିଥିଲେ ହେଁ କେହି କିଛି କହୁନାହାନ୍ତି। ତେଣୁ ଏହାର ତଦନ୍ତ ହେବା ଦରକାର। ସେହିପରି ଅନ୍ତର୍ଯ୍ୟାମୀ ତାଙ୍କ ପରିବାରରେ ଜଣେ ରୋଜଗାରିଆ ବ୍ୟକ୍ତି ଥିଲେ। ଏବେ ତାଙ୍କ ପରିବାରରେ ତାଙ୍କ ବିଧବା ପତ୍ନୀ, ୨୦ ବର୍ଷର ପୁଅ ଓ ୧୭ବର୍ଷର ଝିଅ ଅଛନ୍ତି। ଏହି ପରିବାର ଏବେ କେମିତି ଚଳିବ ସେ ଚିନ୍ତା ସମସ୍ତଙ୍କୁ ଘାରିଛି। ରାଜ୍ୟ ସରକାର କି ଦିଲ୍ଲୀପ କନଷ୍ଟ୍ରକସନ୍ ପକ୍ଷରୁ ଏନେଇ କିଛି ବି କ୍ଷତିପୂରଣ ଦିଆଯାଇନି।

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନବନ୍ଦରରେ ଯାହା ବି କାମ ହୁଏ ସେଥିପାଇଁ ନିର୍ମାଣକାରୀ ସଂସ୍ଥା ସମସ୍ତଙ୍କର ବୀମା କରିଥାଏ। ବୀମା ଅନୁଯାୟୀ ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଯାହା ସହାୟତା ମିଳିବ।

ଅପରାହ୍‌ଣ ଯାଏ ପରିବାରଠୁ ଦୂରେଇ ରଖିଲେ
ଭୁବନେଶ୍ବର : ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକ ଶୁକ୍ରବାର ରାତିରୁ ଆ‌ସି କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଥିଲେ। ଅନ୍ତର୍ଯ୍ୟାମୀଙ୍କ ସ୍ତ୍ରୀ ଜୟନ୍ତୀ ଗୁରୁ, ସାନ ଭାଇ ନିରାକର ଗୁରୁଙ୍କ ସମେତ ତାଙ୍କ ପରିବାର ଲୋକ ଅନ୍ତର୍ଯ୍ୟାମୀଙ୍କୁ ଶନିବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଖି ପାରି ନ ଥିଲେ। ଆଜି ଦିନତମାମ୍ ପରିବାର ଲୋକ ମୃତ ଅନ୍ତର୍ଯ୍ୟାମୀଙ୍କୁ ଦେଖିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯେତେ ଅନୁରୋଧ କରିଥିଲେ ବି କର୍ତ୍ତୃପକ୍ଷ ଦେଖାଇ ଦେଇ ନ ଥିଲେ। କହିଥିଲେ ଆମକୁ ଉପରୁ ନିର୍ଦ୍ଦେଶ ଅଛି କାହାକୁ ବି ଦେଖିବାକୁ ଛଡ଼ାଯିବନି।

ଏହାପରେ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲର କାଜୁଆଲଟି ସମ୍ମୁଖ ବଉଳ ଗଛ ମୂଳେ ଦିନସାରା କାନ୍ଦିକାନ୍ଦି ଗଡ଼ୁଥିଲେ ହେଁ କାହା ହୃଦୟ ତରଳି ନ ଥିଲା। ବରଂ ହସ୍ପିଟାଲ କର୍ତ୍ତୃପକ୍ଷ ଅନ୍ତର୍ଯ୍ୟାମୀଙ୍କ ଶଳା ଏବଂ ଅନ୍ୟ ପରିବାର ଲୋକଙ୍କୁ ଏୟାରପୋର୍ଟ ଥାନାକୁ ପଠାଇ ଦେଇଥିଲେ। କହିଥିଲେ ତୁମେ ପୁଲିସରୁ ଅନୁମତି ନେଇକି ଆସିଲେ ଶବ ବ୍ୟବଚ୍ଛେଦ ହେବ। ଏହାପରେ ଯାଇ ତୁମେ ଅନ୍ତର୍ଯ୍ୟାମୀଙ୍କୁ ଦେଖିପାରିବ।

ଅପରାହ୍ନ ୪ଟା ବେଳକୁ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଲା ଓ ପରିବାର ଲୋକ ଅନ୍ତର୍ଯ୍ୟାମୀଙ୍କ ଶେଷ ଦର୍ଶନ କଲେ। ଆଉ ମରଶରୀରକୁ କଟକ ଜିଲ୍ଲାର ନରସିଂହପୁରସ୍ଥିତ ନନ୍ଦପୁର ଗାଁକୁ ନେଇଥିଲେ। ବିଳମ୍ବିତ ରାତିରେ ତାଙ୍କର ଶବ ସତ୍କାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe