ଭୁବନେଶ୍ବର: ରାଜ୍ୟରେ ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରୋଗୀଙ୍କ ଅସ୍ତ୍ରୋପଚାରର ଆବଶ୍ୟକତା ଅନୁଯାୟୀ ସର୍ଜନ ନାହାନ୍ତି। ସରକାରୀ ଭାବରେ କେବଳ ଏମ୍ସ ଏବଂ ଏସସିବିରେ ଏହି ବିଭାଗ ରହିଛି। ଏହି ବିଭାଗ ପ୍ରତି ସର୍ଜରି ପିଜି କରୁଥିବା ଡାକ୍ତରୀ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏମ୍ସ ହୃଦ୍ଶଲ୍ୟ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଏମ୍ସ, ଏସସିବି, ଏମକେସିଜି, ଭିମସାର, ସମ୍ ଏବଂ କିମ୍ସର ସମୁଦାୟ ୭୫ଜଣ ଡାକ୍ତରୀ ଛାତ୍ର ଭାଗ ନେଇଥିଲେ।
ହୃଦ୍ଶଲ୍ୟ ବିଭାଗ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡମି ହୃତ୍ପିଣ୍ଡରେ ଅସ୍ତ୍ରୋପଚାର କରିଥିଲେ। କର୍ମଶାଳାରେ ଯୋଗଦେଇ ହୃଦ୍ଶଲ୍ୟ ବିଭାଗ ଏଚଓଡି ସତ୍ୟପ୍ରିୟ ମହାନ୍ତି କହିଲେ, ସ୍ନାତକୋତ୍ତର ପରେ ଅନେକ ଡାକ୍ତର ସରକାରୀ, ଘରୋଇ ଡାକ୍ତରଖାନାରେ ଚାକିରି କିମ୍ବା ଉଚ୍ଚତର ଶିକ୍ଷା ନେଉଛନ୍ତି। ଏକ ବର୍ଷ ହେଲା ଏମ୍ସରେ ୨ଟି ସିଟ ଥିବା ଏମସିଏଚ ସିଟିଭିଏସ ଅର୍ଥାତ ହୃଦ୍ଶଲ୍ୟ ବିଭାଗ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ଏମ୍ସ ଭୁବନେଶ୍ବରରେ ଏହାର ସୁବିଧା ଉପଲବ୍ଧ ହେବାରୁ ଡାକ୍ତରମାନେ ଏହାର ଫାଇଦା ନେବାକୁ ଅନୁରୋଧ କରିଥିଲେ। ଚଳିତ ବର୍ଷ କରୋନାରେ ଏକ୍ମୋ ମେସିନର ଗୁରୁତ୍ବ ସମସ୍ତେ ବୁଝିଥିଲେ। ଏଥିଯୋଗୁଁ ଉଭୟ ଏମ୍ସ ଏବଂ ଏସସିବିରେ ଏହି ମେସିନ କ୍ରୟ ହୋଇଥିଲା। ଏମ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୨ ଜଣ ରୋଗୀଙ୍କ ଏକ୍ମୋ ଚିକିତ୍ସା ହୋଇଛି। ବର୍ତ୍ତମାନର ଡାକ୍ତରମାନଙ୍କୁ ଏହାକୁ ନେଇ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ସ୍ନାତକୋତ୍ତର ପରେ ଡାକ୍ତରମାନେ ପ୍ରାୟତଃ ଏମଆରଆଇ, ସିଟି ସ୍କାନ, ଇସିଜି, ଇକୋ ଆଦି ପରୀକ୍ଷଣ ବ୍ୟବସ୍ଥାରୁ ଦୂରେଇ ଯାନ୍ତି।
ଏ ସଂକ୍ରାନ୍ତରେ ପ୍ରଶିକ୍ଷଣ ପ୍ରଦାନ ମଧ୍ୟ ଏହି କର୍ମଶାଳାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ଡା. ମହାନ୍ତି କହିଥିଲେ। କାର୍ଯ୍ୟକ୍ରମକୁ ନିର୍ଦେଶକ ଡା. ମୁକେଶ ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଏଥିରେ ଅଧୀକ୍ଷକ ଡା.ଏସଏନ ମହାନ୍ତି, ଡିନ ଡା. ଦେବାଶିଷ ହୋତା, ଏଚଓଡି ଡା. ସତ୍ୟପ୍ରିୟ ମହାନ୍ତି, ଡା. ସିଦ୍ଧାର୍ଥ ସାଠିଆ, ଡା. ରୁଦ୍ର ପ୍ରଦାପ ମହାପାତ୍ର, ଡା. ସତ୍ୟଜିତ ମିଶ୍ର, ଡା. ପ୍ରଶାନ୍ତ ଦାଶ, ଡା. ରାମଚନ୍ଦ୍ର ବାରିକ, ଡା. ବନବିହାରୀ ମିଶ୍ର, ଡା. ମନୋରଞ୍ଜନ ପଟ୍ଟନାୟକ, ଡା. ଚନ୍ଦ୍ରଭାନୁ ପରିଜା, ଡା. ସାରଦା, ଡା. ସୌମ୍ୟରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।
Follow Us