Advertisment

ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ, କୁମ୍‌କି ହାତୀ ଅଭାବ

Advertisment

ନନ୍ଦନକାନନର ୪ ହାତୀ ନେବେ ତାଲିମ

ନନ୍ଦନକାନନର ୪ ହାତୀ ନେବେ ତାଲିମ

ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ, କୁମ୍‌କି ହାତୀ ଅଭାବ

ଭୁବନେଶ୍ବର: ଓଡ଼ିଶାରେ ନାହାନ୍ତି ପର୍ଯ୍ୟାପ୍ତ ପରିମାଣର ତାଲିମପ୍ରାପ୍ତ(କୁମ୍‌କି) ହାତୀ। ଶିମିଳିପାଳ ଓ ଚନ୍ଦକାରେ ଯେଉଁ ଦୁଇଟି ଲେଖାଏଁ ହାତୀ ରହିଛନ୍ତି, ସେମାନେ ଅଳ୍ପ ବହୁତେ ତାଲିମ୍‌ ନେଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ। ରାଜ୍ୟର ସବୁ ଜଙ୍ଗଲରେ କୁମ୍‌କି ହାତୀ ନଥିବାରୁ କାଠ ମାଫିଆଙ୍କ ରାଜୁତି ବଢ଼ି ଚାଲିଛି। ବନ୍ୟଜନ୍ତୁଙ୍କ ହତ୍ୟା ବୃଦ୍ଧି ପାଉଛି। ଶିକାରୀଙ୍କ ପଞ୍ଝା ବି ବର୍ଷକୁ ବର୍ଷ ଲମ୍ବିବାରେ ଲାଗିଛି।

ଶିମିଳିପାଳରେ ଥିବା ଦୁଇଟି କୁମ୍‌କି ହାତୀ(ରାଜକୁମାର ଓ ମହେନ୍ଦ୍ର)ଙ୍କୁ କିଛି ମାସ ତଳେ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା। ସେମାନେ ଏବେ ସେଠାରେ ଅଟକି ରହିଛନ୍ତି। ଆଉ ଶିମିଳିପାଳକୁ ଫେରିନାହାନ୍ତି, ଯେଉଁଥିପାଇଁ ଶିମିଳିପାଳର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନଙ୍କ ବ୍ୟତୀତ ଚନ୍ଦକା ଜଙ୍ଗଲରେ ବି ଦୁଇଟି କୁମ୍‌କି ହାତୀ ରହିଛନ୍ତି। ଉଦ୍ଧତ ‘ଶଙ୍କର’ ଏବେ ବନ୍ଧା ହୋଇପଡ଼ିଥିବା ବେଳେ ‘ନନ୍ଦ’ ଓ ‘ଯଶୋଦା’ କାମରେ ଲାଗୁଛନ୍ତି। ଏମାନଙ୍କ ବ୍ୟତୀତ ରାଜ୍ୟର ଆଉ କୌଣସି ଜଙ୍ଗଲରେ କୁମ୍‌କି ହାତୀ ନାହାନ୍ତି। ଫଳରେ ବିଭିନ୍ନ ସମୟରେ ବାହାର ରାଜ୍ୟର ହାତୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏପରିକି ଗତବର୍ଷ କର୍ଣ୍ଣାଟକରୁ ୩ଟି କୁମ୍‌କି ହାତୀ ଓଡ଼ିଶା ଆଣିବାକୁ ଯୋଜନା ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ହାତୀମାନଙ୍କୁ କୁମ୍‌କି ତାଲିମ ଦେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ପ୍ରଥମ ପର୍ଯ୍ୟାୟରେ ନନ୍ଦନକାନନରେ ଥିବା ୪ଟି ବୟସ୍କ ହାତୀଙ୍କୁ କୁମ୍‌କି ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଯେଉଁ ହାତୀଗୁଡ଼ିକ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ହିଁ ତାଲିମ ଦିଆଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଅଜୟ କୁମାର ମହାପାତ୍ର କହିଛନ୍ତି। ବିଶେଷଜ୍ଞଙ୍କ କହିବା କଥା, ବାଘଙ୍କୁ ଟ୍ରାଙ୍କୁଲାଇଜ୍‌ କରିବା ସମୟରେ କୁମ୍‌କି ହାତୀର ଆବଶ୍ୟକ ପଡ଼ିଥାଏ। ସବୁ ଜଙ୍ଗଲରେ ଅତି କମ୍‌ରେ ଦୁଇଟି ହାତୀ ରହିବା ନିତାନ୍ତ ଆବଶ୍ୟକ। ହାତୀ ରହିବା ଦ୍ବାରା ଜଙ୍ଗଲ ସୁରକ୍ଷିତ ହେବା ସହ ସେମାନଙ୍କ ଉପରେ ବସି ବାଘ ପରି ବନ୍ୟଜନ୍ତୁଙ୍କୁ ଟ୍ରାଙ୍କୁଲାଇଜ୍‌ କରିବା ସହଜ ହୋଇଥାଏ। ବାଘ ଆଗ ଓ ପଛ ପାର୍ଶ୍ବରେ ଗୋଟିଏ ଲେଖାଏଁ ହାତୀ ଜଗି ରହିଥାନ୍ତି। ହାତୀ ଉପରେ ବସିଥିବା ମାହୁନ୍ତ ସୁବିଧା ‌ପାଇବା କ୍ଷଣି ବାଘକୁ ଲକ୍ଷ୍ୟ କରି ଗୁଳି ଚଳାଇ ଚେତାଶୂନ୍ୟ କରିଥାନ୍ତି। ଏଭଳି ପଦ୍ଧତି ଦ୍ବାରା କମ୍‌ ସମୟରେ ବାଘକୁ ଧରା ଯାଇଥାଏ। ନନ୍ଦନକାନନରେ ୨୦ଟି ହାତୀ ରହିଥିଲେ ମଧ୍ୟ ସେମାନଙ୍କୁ ତାଲିମ୍‌ ଦିଆଯାଉ ନାହିଁ। ଓଡ଼ିଶାରେ ଉପଯୁକ୍ତ ମାହୁନ୍ତ ବି ନାହାନ୍ତି। ଯେଉଁଥିପାଇଁ ସାତକୋଶିଆରେ ସୁନ୍ଦରୀକୁ ଧରିବା ଲାଗି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସରକାର ଚାହିଁଲେ, ଆସାମରୁ ତାଲିମପ୍ରାପ୍ତ ମାହୁନ୍ତ ଆଣି ନନ୍ଦନକାନନରେ ଥିବା ହାତୀଙ୍କୁ କୁମ୍‌କି ତାଲିମ ଦେଇପାରିବେ। ବର୍ତମାନ ସମୟରେ କୁମ୍‌କି ହାତୀଙ୍କର ଆବଶ୍ୟକତା ବହୁତ ରହିଛି।

ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନନ୍ଦନକାନନରେ ହାତୀ ରହିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ତାଲିମ୍‌ ଦିଆଯାଇପାରି ନାହିଁ। ସେଠାରେ ତାଲିମ୍‌ ଦେବାର ସୁବିଧା ବି ନାହିଁ। ତେଣୁ ଚନ୍ଦକାରେ ହିଁ ସେମାନଙ୍କୁ ତାଲିମ ଦେଇହେବ। ତେବେ କେଉଁ ହାତୀଗୁଡ଼ିକ ତାଲିମ୍ ନେଇପାରି, ସେନେଇ ଆଲୋଚନା କରାଯାଉଛି। ଏପର୍ଯ୍ୟନ୍ତ ଚୂଡ଼ାନ୍ତ ମୋହର ଲାଗି ନାହିଁ। ଯଦି ସବୁ କିଛି ଠିକ୍‌ ଚାଲେ, ବର୍ଷ ଶେଷ ଆଡ଼କୁ ୪ଟି ହାତୀଙ୍କୁ ତାଲିମ୍‌ ଦିଆଯିବ।

ଏବେ କେବଳ ସାତକୋଶିଆ ଓ ଚନ୍ଦକାରେ ଅଛନ୍ତି
ବାରଙ୍ଗ: ‌‌ସୋମବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଯାଇଛି। ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉତ୍ସବରେ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ସୁଶାନ୍ତ କୁମାର ରାଉତ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅଜୟ କୁମାର ମହାପାତ୍ର ଓ ନନ୍ଦନକାନନ ନିର୍ଦେଶକ ଶଶି ପଲ୍ ଉପସ୍ଥିତ ଥିଲେ। ଉତ୍ସବରେ ସାମିଲ ହୋଇଥିଲେ ଛୋଟ ହାତୀ ଗୌରୀ, କମଳା, ଜୁଲି ଓ ମମା। ଅତିଥିମାନେ ପ୍ରଥମେ କୁନି ହାତୀ ‘ମାମା’କୁ ଫଳ ଖାଇବାକୁ ଦେବା ପରେ ଅନ୍ୟ ହାତୀଙ୍କୁ ଖୁଆଇଥିଲେ। ହାତୀ ଓ ମଣିଷଙ୍କ ମଧ୍ୟରେ ତିକ୍ତତା ଦୂର କରି ହାତୀମାନଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କର ବଂଶ ବୃଦ୍ଧି କରିବା ଉତ୍ସବରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ପିସିସିଏଫ୍। କ୍ୟୁରେଟର ଅଞ୍ଜନ କୁମାର ମହାନ୍ତି,ଏସିଏଫ ଅମୂଲ୍ୟ ପରିଡ଼ା,ଏସିଏଫ୍ ଅଶୋକ କୁମାର ଦାସ, ରାମଚନ୍ଦ୍ର କାଣ୍ତି, ସୁଶାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଯଶୋଦା, ନନ୍ଦ ଓ ଶଙ୍କର ଅଲଗା
ଚନ୍ଦକା ଅଭୟାରଣ୍ୟର ଗୋଡ଼ିବାରି ଠରେ ବିଶ୍ବ ହସ୍ତୀ ଦବିସ ପାଳିତ ହୋଇଯାଇଛି। ସୁରକ୍ଷା କାରଣରୁ ହାତୀ ଯଶୋଦା, ନନ୍ଦ ଓ ଶଙ୍କରଙ୍କୁ ଅଲଗା ରଖି ଫଳ ଖାଇବାକୁ ଦିଆ ଯାଇଥିଲା। ଚନ୍ଦକା ଡିଏଫଓ କେଦାର ସ୍ବାଇଁ,ଏସିଏଫ୍ ରମାକାନ୍ତ ନାୟକ, ରେଞ୍ଜର ହିମାଂଶୁ ମହାନ୍ତ, ମାନସ ମହାନ୍ତି ପ୍ରମୁଖ ନଡ଼ିଆ, କଦଳୀ, ମକା ଓ ଅଖୁ ଖୁଆଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe