ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ: ଫନି ପ୍ରଭାବିତ ଅଞ୍ଚଳରେ ସୃଷ୍ଟି କରାଯିବ ସବୁଜବଳୟ

ସିୱାଇଏସ୍‌ଡି ବୈପାରୀଗୁଡ଼ା ପ୍ରକଳ୍ପକୁ ପ୍ରକୃତିମିତ୍ର ସମ୍ମାନ

ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ: ଫନି ପ୍ରଭାବିତ ଅଞ୍ଚଳରେ ସୃଷ୍ଟି କରାଯିବ ସବୁଜବଳୟ

NDTV.com

ଭୁବନେଶ୍ବର: ବାତ୍ୟା ‘ଫନି’ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସବୁଜ ବଳୟ ସୃଷ୍ଟି କରଯିବ। ଏ ନେଇ ବ୍ୟାପକ ବୃକ୍ଷରୋପଣ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷକରି ବାତ୍ୟା ପତିରୋଧକ ଗଛ ଯଥା: ନିମ୍ବ, ଜାମୁ, ବେଲ, ଆମ୍ବ, ପଣସ, ପାତାଳୀ ଗରୁଡ଼, ଚମ୍ପା ଆଦି ଗଛ ଲଗାଇବାକୁ ଯୋଜନା କରାଯାଇଛି। ସିୱାଇଏସ୍‌ଡି ପରିସରରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସଂଗୃହୀତ ନିମ୍ବ, ବେଲ, ଆମ୍ବ, ଚମ୍ପା, ଓଉ ଇତ୍ୟାଦି ବୃକ୍ଷରୋପଣ କରାଯାଇଥିଲା। ସୁଧାଂଶୁ ପରିଜାଙ୍କ ନେତୃତ୍ୱରେ ଉପୁଡ଼ି ଯାଇଥିବା ଗଛର ଶୁଖିଲା ପତ୍ରକୁ ଏକାଠି କରି ଜୈବିକ ଖତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହା ସହ ‘ସମ୍ଭବ’ ଅନୁଷ୍ଠାନର ସମ୍ପାଦିକା ସାବରମତୀଙ୍କ ତତ୍ତ୍ୱାବଧାନରେ ୧ ଲିଟର ପେଜ, ୧ ଲିଟର ଖଟା ତୋରାଣି, ୧ ଲିଟର ଚାଉଳଧୁଆ ପାଣିରେ ୧ କିଲୋଗ୍ରାମ୍‌ ହାଣ୍ଡିଗୁଡ଼କୁ ମିଶ୍ରଣ କରି ଅନ୍ନଦା (ଚଞ୍ଚଳ ଖତ ତିଆରି କରିବା ପାଇଁ ଏକ ଅଭିନବ ଉପାୟ) ଆରମ୍ଭ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରଫେସର ରାଧାମୋହନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୂଷଣମୁକ୍ତ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସିୱାଇଏସଡି ବୈପାରୀଗୁଡ଼ାକୁ ପ୍ରକୃତିମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୈପାରୀଗୁଡ଼ା ପ୍ରକଳ୍ପ ସଂଯୋଜକ କମଳକାନ୍ତ ବାରିକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାରେ ସିୱାଇଏସ୍‌ଡି ୨୪ବର୍ଷ ଧରି କାର୍ଯ୍ୟରତ। ଏଠାରେ ସିୱାଇଏସ୍‌ଡି ପକ୍ଷରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ପରିବେଶ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୨ଗୋଟି ଗ୍ରାମରେ ୫୫୦ ହେକ୍ଟର ଜମିରେ ଜଙ୍ଗଲ ସୁରକ୍ଷା, ପୁନରୁଦ୍ଧାର ଓ ମଞ୍ଜିପୋତା କାର୍ଯ୍ୟକ୍ରମ ସହିତ ବିଭିନ୍ନ ତାଲିମ୍‍ ଓ ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ସେହିପରି ଗାଁମାନଙ୍କରୁ ବିଭିନ୍ନ ଫଳର ମଞ୍ଜି ସଂଗ୍ରହ ପ୍ରାୟ ୫୨.୨ ହେକ୍ଟର ଜମିରେ ମଞ୍ଜି ପୋତା ଯାଇଛି। ମହିଳାଙ୍କ ଦ୍ୱାରା ୮ଟି ଜଙ୍ଗଲ ଜଗିବା ଓ ଫାଙ୍କା ଜାଗାରେ ଗଛ ଲଗାଇବା ଏବଂ ଏହାର ଯତ୍ନ ମଧ୍ୟ ନିଆଯାଉଛି। ଏଥିପାଇଁ ‘ଟାଙ୍ଗିଆ ଛାଡ଼ ଓ ଜଙ୍ଗଲ ଗଢ଼’ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ଦ୍ବାରା ପଦଯାତ୍ରା କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ବିଦ୍ୟାଳୟରେ ଇକୋ କ୍ଲବ୍‍ ଓ ବନ ସୁରକ୍ଷା ସମିତିକୁ ସଶକ୍ତ କରିବା ସହ ସେମାନଙ୍କ ଜରିଆରେ ବୃକ୍ଷରୋପଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe