ଭୁବନେଶ୍ୱର: ଓଡ଼ିଶାରେ ୫୭୦ କିମିରୁ ଅଧିକ ସୁଦୀର୍ଘ ଉପକୂଳ ସହିତ ନଦୀ, ଜଳଭଣ୍ଡାର ଓ ପୋଖରୀ ଇତ୍ୟାଦି ମତ୍ସ୍ୟ ସମ୍ପଦ ପାଇଁ ଅମୂଲ୍ୟ ବରଦାନ। ଏସବୁ ନେଇ ମତ୍ସ୍ୟ ଚାଷ ପାଇଁ ଓଡ଼ିଶାରେ ଥିବା ପର୍ଯ୍ୟପ୍ତ ସୁଯୋଗର ସଦୁପଯୋଗ କରି ଆଗକୁ ବଢ଼ିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆହ୍ୱାନ ଦେଇଛନ୍ତି। ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗ ଦେଇ ସେ ଏହା କହିଛନ୍ତି।
ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଓଡ଼ିଶା
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ମାଛ ବିହନ ବା ମଞ୍ଜି (ସିଡ୍), ମାଛ ଖାଦ୍ୟ(ଫିଡ୍), ଓ ମାଛ ଉତ୍ପାଦନ ବୃଦ୍ଧିରେ ପ୍ରତିରୋଧକ(ୱିଡ୍))ର ସୁପରିଚାଳନା ସହ ରପ୍ତାନୀକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ। ସମବାୟ ବିଭାଗର କମିସନର ରାଜେଶ ପ୍ରଭାକର ପାଟିଲ ମତ୍ସ୍ୟ ସମବାୟ ସମିତି ମାଧ୍ୟମରେ ମତ୍ସ୍ୟଚାଷର ସମୃଦ୍ଧି କାମନା କରିଥିଲେ। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଭିତ୍ତିଭୂମି ବିକାଶ ଓ ଗବେଷଣା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଫାର ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ୍, ଏମପେଡାର ଉପ ନିର୍ଦ୍ଦେଶକ ଆଚମନ୍ ଲହରୀ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍, ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ(ବୈଷୟିକ) ସୁବ୍ରତ ଦାଶ ଉପସ୍ଥିତ ଥିଲେ।
ଏହି ଅବସରରେ ପୁରୀର ତାଳବଣିଆରେ ସ୍ୱାସ୍ଥ୍ୟକର ମାଛ ବଜାର, ଗଞ୍ଜାମର ହୁମ୍ମାରେ ସ୍ୱାସ୍ଥ୍ୟକର ଶୁଖୁଆ ବଜାର, ଅନୁଗୁଳର ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆରେ ବିଏଫ୍ଓ କାର୍ଯ୍ୟାଳୟର ଉଦଘାଟନ ହୋଇଛି। ଏଥିସହ କଟକର ଖପୁରିଆଠାରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡ଼ିଶା ମତ୍ସ୍ୟ ୱେବ୍ ପୋର୍ଟାଲ୍ର ଶୁଭାରମ୍ଭ ସହ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବାର୍ଷିକ କାର୍ଯ୍ୟାବଳୀ ବିବରଣୀ'ଓ ମତ୍ସ୍ୟ କ୍ଷେତ୍ର ମାର୍ଗଦର୍ଶିକାର ଉନ୍ମୋଚନ ହୋଇଥିଲା। ସୂଚନାଯୋଗ୍ୟ, ଓଡ଼ିଶାରେ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ୨୦୨୪ -୨୫ ଆର୍ଥିକ ବର୍ଷରେ ୧୧.୯୨ ଲକ୍ଷ ଟନ ମାଛ ଉତ୍ପାଦନ ସହ ଓଡ଼ିଶା ସର୍ବଭାରତୀୟ ସ୍ତରରେ ସର୍ବାଧିକ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି।
Follow Us