ନନ୍ଦନକାନନରେ ବିଶ୍ୱ ବ୍ୟାଘ୍ର ଦିବସ: ‘ସ୍ନେହା’କୁ ଦେଖିବାକୁ ‘ବାସୁ’ ପାଗଳ

Advertisment
ନନ୍ଦନକାନନରେ ବିଶ୍ୱ ବ୍ୟାଘ୍ର ଦିବସ: ‘ସ୍ନେହା’କୁ ଦେଖିବାକୁ ‘ବାସୁ’ ପାଗଳ

‘ସ୍ନେହା’ ପ୍ରେମରେ ‘ବାସୁ’

ବାରଙ୍ଗ : ବାଘଙ୍କୁ ଦିଆଯାଇଥିଲା ବ୍ରଏଲର ଚିକେନ୍‌। ଗୋଟା କୁକୁଡ଼ା ପରକୁ ଭଲ ଭାବେ ଛଡ଼ାଯିବା ପରେ ପରସା ‌ଯାଇଥିଲା। ଯିଏ ଯେତିକି ଖାଇପାରିବ ସେହି ଅନୁଯାୟୀ ଖୁଆଡ଼ରେ ରଖାଯାଇଥିଲା। ଚିକେନ୍‌ ଦେଖି ଝାମ୍ପ ମାରିଥିଲେ ଗୋଟିଏ ପରେ ଗୋଟିଏ ବାଘ। ଆଜି ଏଭଳି ପରିବେଶ ଦେଖିବାକୁ ମିଳିଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ।

publive-image ଚିକେନ୍‌ ଖାଇବାରେ ମଗ୍ନ ‘ସ୍ନେହା’

ବିଶ୍ବ ବ୍ୟାଘ୍ର ଦିବସ ଅବସରରେ ପ୍ରାଣୀ ଉଦ୍ୟାନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାଘମାନଙ୍କୁ ଚିକେନ୍‌ ଭେଟି ଦିଆଯାଇଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ସୁସ୍ବାଦୁ ଖାଦ୍ୟରେ ଆପ୍ୟାୟିତ କରାଯାଇଥିଲା। ୩୧(କ) ନମ୍ବର ଖୁଆଡ଼ ରହୁଥିବା ନାଲି ରଙ୍ଗର ଜଙ୍ଗଲୀ ମହାବଳ ‘ନନ୍ଦନ’ ଓ ୩୩(କ) ଖୁଆଡ଼ରେ ରହୁଥିବା କଳା ବାଘ ‘ବାସୁ’ ଓ ‘ସ୍ପନ୍ଦନ’ଙ୍କୁ ପରସା ଯାଇଥିବା ଚିକେନ୍‌ ପ୍ରଥମେ ପ୍ରଥମେ ସେମାନଙ୍କୁ ରୁଚି ନଥିଲା। ଚିକେନ୍‌ ଦେଖି ଧାଇଁ ଆସିଥିଲେ ମଧ୍ୟ ଶୁଙ୍ଘି ଶୁଙ୍ଘି ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଖାଇଥିଲେ। ନନ୍ଦନ ତ ଅପରାହ୍‌ଣ ପର୍ଯ୍ୟନ୍ତ ଚିକେନ୍‌ ଆଡ଼କୁ ଚାହିଁ ନଥିଲା। ୩୩(ଖ) ଖୁଆଡ଼ରେ ରହିଥିବା ବାଘୁଣୀ ‘ସ୍ନେହା’ ଚିକେନ୍‌କୁ ଦେଖିବା କ୍ଷଣି ଦାନ୍ତରେ ଧରି ତା’ ଖୁଆଡ଼ ମଧ୍ୟରେ ଥିବା ବିଶ୍ରାମ କକ୍ଷକୁ ଚାଲିଯାଇଥିଲା। ପ୍ରାୟ ଏକ ଘଣ୍ଟା ପରେ ଲୁଚାଇ ରଖିଥିବା ଚିକେନ୍‌କୁ ଦାନ୍ତରେ ଧରି ଖୁଆଡ଼ ପରିସରକୁ ଆସି ଏକ ଗଛ ଛାଇରେ ବସି ମଜ‌ାରେ ଖାଇଥିଲା। ଖାଇ ସାରିବା ପରେ ‘ସ୍ନେହା’ ଖୁଆଡ଼ ପରିସର ଜଳାଶୟରେ ଜଳକ୍ରୀଡ଼ା କରିଥିଲା। ତାହାକୁ ଦେଖି ନିକଟ ଖୁଆଡ଼ରେ ଥିବା ବାସୁ ଓ ସ୍ପନ୍ଦନ ମଧ୍ୟ ଜଳକ୍ରୀଡ଼ାରେ ମଜି ଯାଇଥିଲେ।

publive-image ଅଳସ ମୁଦ୍ରାରେ ‘ନନ୍ଦନ’

‘ବାସୁ’ ତାର ଜାଲି ଉପରେ ଗୋଡ଼ ରଖି ‘ସ୍ନେହା’କୁ ପ୍ରେମ ନିବେଦନ କରିବାର ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଏସବୁ ଦୃଶ୍ୟକୁ ପର୍ଯ୍ୟଟକମାନେ ମନଭରି ଉପଭୋଗ କରିବା ସହ ମୋବାଇଲ କ୍ୟାମେରାରେ କଏଦ୍‌ କରିବାକୁ ଟିକିଏ ବି ହେଳା କରି ନ ଥିଲେ। ସନ୍ଧ୍ୟାରେ ବାଘମାନଙ୍କୁ ସୁଗନ୍ଧିତ ସ୍ବାଦିଷ୍ଟ ଖାଦ୍ୟ ଦିଆଯାଇଥିଲା।

publive-image

ଓଡ଼ିଶାରେ ବଢ଼ୁଛନ୍ତି ବାଘ
ପ୍ରାଣୀ ଉଦ୍ୟାନରେ ନନ୍ଦନକାନନ ଉପନି‌ର୍ଦ୍ଦେଶକ ସଞ୍ଜିତ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଶଶି ପଲ୍ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ବାଘଙ୍କ ସୁରକ୍ଷା ଓ ସଂରକ୍ଷଣ ଲାଗି ଏହି ଦିବସ ପାଳିତ ହେଉଛି। ଓଡ଼ିଶା ଜଙ୍ଗଲରେ ବାଘବଂଶ ବୃଦ୍ଧି ହେଉଛି। ଗଣନା ସବୁ ସମୟରେ ଠିକ୍ ରହି ନଥାଏ। ଗତ କିଛି ବର୍ଷ ହେଲା ବାଘଙ୍କ ସଂଖ୍ୟା ସ୍ଥିର ରହିଛି। ଗଣନା ସରିବା ପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ। ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି ନାୟର୍‌ ଯୋଗଦେଇ କହିଲେ, ଏବେ ପ୍ରାଣୀ ଉଦ୍ୟାନରେ ନାଲି ରଙ୍ଗର ବାଘ ୧୬ଟି(୧୦ଟି ଅଣ୍ଡିରା ଓ ୬ଟି ମାଈ), ଧଳା ରଙ୍ଗର ୭ଟି(୨ ଅଣ୍ଡିରା ଓ ୫ଟି ମାଈ) ଓ ୩ଟି ବିରଳ କଳା ରଙ୍ଗର ବାଘଙ୍କୁ ମିଶାଇ ମୋଟ ୨୬ଟି ବାଘ ଅଛନ୍ତି। ବାଘ ବଂଶ ବୃଦ୍ଧି ପାଉଛି। ଆଗମୀ ଦିନରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପରାମର୍ଶ ଲୋଡ଼ାଯାଇ ବାଘମାନଙ୍କୁ ପ୍ରାକୃତିକ ପରିବେଶ ସହ ଅଭ୍ୟସ୍ତ କରାଇ ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ ଯୋଜନା ଚାଲିଛି। ଓଡ଼ିଶା ଡାକ ବିଭାଗ ମୁଖ୍ୟ ଶୁଭେନ୍ଦୁ କୁମର ସ୍ବାଇଁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।

publive-image

ସେଲ୍ଫି ପଏଣ୍ଟରେ ଭିଡ଼
ବ୍ୟାଘ୍ର ଦିବସ ଅବସରରେ ପର୍ଯ୍ୟଟକଙ୍କ ଲାଗି ସେଲ୍ଫି ପଏଣ୍ଟ ହୋଇଥିଲା। ବାଘ ଛବି ଥିବା ସେଲ୍ଫି ପଏଣ୍ଟ ନିକଟରେ ନନ୍ଦନକାନନ କର୍ମଚାରୀ ଓ ପର୍ଯ୍ୟଟକମାନେ ମିଳିମିଶି ମୋବାଇଲ୍‌ରେ ସେଲ୍ଫି ଉଠାଇଥିଲେ। ସେଠାରେ ପର୍ଯ୍ୟଟକଙ୍କ ମଧ୍ୟରେ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ୨୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ ସହ ଅନଲାଇନ୍ ଓ ଅଫ୍‌ଲାଇନ୍ ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ବାଘଙ୍କ ସେବାରେ ନିୟୋଜିତ ୧୫ ଜଣ କର୍ମଚାରୀ ପୁରସ୍କୃତ ହୋଇଥିଲେ। ପ୍ରାଣୀ ଉଦ୍ୟାନ ତରଫରୁ ‘ନନ୍ଦନମ୍’ ତ୍ରୈମାସିକ ନ୍ୟୁଜ୍‌ ଲେଟର୍‌, ଧଳା ଓ ବିରଳ କଳା ବାଘଙ୍କ ଫଟୋଚିତ୍ର ଥିବା ସ୍ବତନ୍ତ୍ର ଡାକ ଟିକେଟ୍‌ର ଉନ୍ମୋଚନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe