ଭୁବନେଶ୍ୱର: ମହାପୁରୁଷଙ୍କ ଅବଦାନ ପ୍ରତି ସମ୍ମାନ ଓ ଉତ୍ତରପିଢ଼ିଙ୍କୁ ସେମାନଙ୍କ ତ୍ୟାଗ, ବଳିଦାନ ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରତିଷ୍ଠା ହୁଏ ପ୍ରତିମୂର୍ତ୍ତି। ଯା’ଆସ ସମୟରେ ନଜରରେ ପଡ଼ିବା ପାଇଁ ସହରର ପ୍ରମୁଖ ଛକଗୁଡ଼ିକରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ। କିନ୍ତୁ ଖାଲି ପ୍ରତିମୂର୍ତ୍ତି ସ୍ଥାପନ କରି ଆମେ ଯେମିତି ଆମ କର୍ତ୍ତବ୍ୟ ସାରି ଦେଉ। ବର୍ଷତମାମ ଧୂଳିର ଆସ୍ତରଣ ସହ ଅଳିଆ ଗଦା ମଧ୍ୟରେ ଅବହେଳିତ ଅବସ୍ଥାରେ ପଡ଼ିରହେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି। ଉଦାହରଣ ଭାବରେ ୟୁନିଟ୍ ୯ ସ୍ଥିତ ମଧୁସୂଦନ ରାଓଙ୍କ ପ୍ରତିମୂର୍ତ୍ତିକୁ ନିଆଯାଇପାରେ ଏହାର ଚାରିପଟେ ଗଦା ହୋଇଛି ଆବର୍ଜନା। ପୁଣି ନିକଟରେ ଭଙ୍ଗା ନର୍ଦ୍ଦମା ରହିଛି। ଅନାବନା ଘାସ ଓ ଗଛରେ ପ୍ରତିମୂର୍ତ୍ତି ରହିଛି। ଗତ ୮ ବର୍ଷ ହେଲାଣି ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲେ ସୁଦ୍ଧା ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କେବଳ ଜୟନ୍ତୀ ଅଥବା ଶ୍ରାଦ୍ଧ ଦିବସରେ ମାଳ ପିନ୍ଧେଇ ଅଧିକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ସେମାନଙ୍କ ଦାୟିତ୍ବ ସାରିଦେଉଛନ୍ତି।
ସେହିପରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଲୋଡ଼ା ଭାବରେ ପଡ଼ିରହିଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଏବଂ ଭାରତରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନର ପୁରୋଧା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତି। । ମାଷ୍ଟରକ୍ୟାଣ୍ଟିନରେ ବର୍ତ୍ତମାନ କାମ ଚାଲିଥିବାରୁ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତି ଚାରିପଟେ ନିର୍ମାଣ ବର୍ଜ୍ୟବସ୍ତୁ ଗଦା ହୋଇ ରହିଛି। ଗତ ଅକ୍ଟୋବର ୧୧ରେ ଜୟନ୍ତୀ ଅବସରରେ ପିନ୍ଧାଯାଇଥିବା ଫୁଲ ହାର ମଧ୍ୟ ଏଯାବତ୍ହଟାଗଲା ନାହିଁ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପ୍ରତିମୂର୍ତ୍ତି ନିଶାଡ଼ି ଓ ଯାଯାବରମାନଙ୍କ ଆଡ଼ାସ୍ଥଳୀ ପାଲଟିଛି। ପ୍ରତିମୂର୍ତ୍ତିରୁ ରଙ୍ଗ ମଧ୍ୟ ଛାଡ଼ି ଯାଇ ଏହାର ଶୋଭା ହରାଇଲାଣି। କେବଳ ସେତିକି ନୁହେଁ ଓଡ଼ିଶା ତଥା ଭାରତର ମହାନ ଜନନାୟକ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ିଛି। ଏହା ଚାରିପଟ ଦେଇ ରାସ୍ତା ହୋଇଥିବା ବେଳେ ମୂର୍ତ୍ତି ଉଠାଯାଇନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ମୂର୍ତ୍ତିକୁ ସେଠାରେ ରହୁଥିବା ଏକ ମାର୍ବଲ ବ୍ୟବସାୟୀ ଗଲା ପରେ ଛାଡ଼ି ଦେଇଯାଇଥିଲେ। ଗତ ଛଅ ବର୍ଷ ତଳେ ରାସ୍ତା ତିଆରି ହେବା ସମୟରେ ଏହାକୁ ନଭାଙ୍ଗି ଛାଡ଼ି ଦିଆଯାଇଛି। ରସୁଲଗଡ଼ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରୁ ମଧ୍ୟ ରଙ୍ଗ ଛାଡ଼ି ମଳିନ ଦେଖାଗଲାଣି। ୟୁନିଟ୍୯ ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସମ୍ମୁଖରେ ତିନି ମାସରୁ ଉର୍ଦ୍ଧ୍ୱ ସମୟ ହେଲାଣି ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ମୁହଁରେ ଜରି ଗୁଡ଼ା ହୋଇଛି। କେଉଁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି ହେଉଛି କର୍ପୋରେଟରଙ୍କୁ ମଧ୍ୟ ଜଣାନାହିଁ। ପାଵାର ହାଉସ, କଲ୍ପନା, ଏଜି ଆଦି ଛକରେ ସ୍ୱାଧୀନତା ସଂଗ୍ରାମୀଙ୍କ ମୂର୍ତ୍ତିଗୁଡ଼ିକ ମଳିନ ଦେଖାଯାଉଥିବା ବେଳେ କିଛି ପ୍ରତିମୂର୍ତ୍ତି ତଳେ ଅନାବନା ଗଛ ଉଠିଲାଣି।
ତେବେ ଏନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, ଜୟ ପ୍ରକାଶ ନାରାୟଣ ପ୍ରତିମୂର୍ତ୍ତିସ୍ଥଳକୁ ସେ ନିଜେ ସଫା କରିଥିଲେ। ପ୍ରତିମୂର୍ତ୍ତି ଅବହେଳିତ ହେଉଥିବାରୁ ଅଭିଯାନ ପକ୍ଷରୁ ସରକାରଙ୍କୁ ଏହାର ରକ୍ଷଣାବେକ୍ଷଣା ପାଇଁ ବହୁ ସମୟରେ ଅଭିଯୋଗ ଦିଆଯାଇଛି। ସେହିପରି ସମସ୍ତ ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତିକୁ ଗୋଟିଏ ସ୍ଥାନରେ ରଖିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ପ୍ରତିମୂର୍ତ୍ତିଗୁଡ଼ିକର ଭଲ ଭାବେ ରକ୍ଷଣାବେକ୍ଷଣା ହେବା ସହିତ ଏକ ଦର୍ଶନୀୟ ସ୍ଥାନ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ସେହିପରି ସହରରେ ଐର ଖାରବେଳ, ସନ୍ଥ ଅଚ୍ୟୁତ, ପଞ୍ଚସଖା, କବି ଭକ୍ତଚରଣ ଦାସ, କପିଳେନ୍ଦ୍ର ଦେବ ଆଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି।
Follow Us