ପଢ଼ୁଆଁଙ୍କୁ ବନ୍ଦେଇଲେ

Advertisment
ପଢ଼ୁଆଁଙ୍କୁ ବନ୍ଦେଇଲେ

ଭୁବନେଶ୍ୱର: ପ୍ରଥମାଷ୍ଟମୀରେ ଆଜି ସହର ଥିଲା ଉତ୍ସବମୁଖର। ମନ୍ଦିର ଥିଲା ଚଳଚଞ୍ଚଳ। ସକାଳୁ ସକାଳୁ ସମସ୍ତ ଘର ସମ୍ମୁଖରେ ଝୋଟିଚିତା ସହ ଶୋଭା ପାଉଥିଲା ପୂର୍ଣ୍ଣ କୁମ୍ଭ। ପ୍ରତ୍ୟେକ ଘରୁ ବି ଭାସି ଆସୁଥିଲା ହଳଦୀ ପତ୍ର ପିଠା ଓ ଖିରିର ମହମହ ବାସ୍ନା। ଘରର ବଡ଼ମାନେ ନୂଆ ପୋଷାକ ପିନ୍ଧି ସାନମାନଙ୍କୁ ଚିଡ଼ାଉଥିବା ବି ଦେଖିବାକୁ ମିଳିଥିଲା। ଅବସର ଥିଲା ଘରର ଜ୍ୟେଷ୍ଠ ସନ୍ତାନ/ସନ୍ତତିଙ୍କ ପାଇଁ ସମର୍ପିତ ପର୍ବ ପ୍ରଥମାଷ୍ଟମୀର। ପାରିବାରିକ ଗୁରୁଦାୟିତ୍ୱ ଓ ଦାୟିତ୍ୱବୋଧର ବୋଝ ଉଠାଉଥିବା ଏହି ବଡ଼ମାନଙ୍କୁ ମା’ମାନେ ପଢ଼ୁଆଁ କରି ଆଜି ଷଠୀଦେବୀଙ୍କ ଆଗେ ବନ୍ଦାପନା କରି ସେମାନଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରିଥିଲେ।

ବଂଶ ମର୍ଯ୍ୟାଦାକୁ ସୁରକ୍ଷା ଦେବେ। ପାରମ୍ପରିକ ରୀତିନୀତିକୁ ଆଗେଇ ନେବେ। ଖାସ୍‌ ଏଇଥିପାଇଁ ବର୍ଷକୁ ଦିନଟିଏ ସମର୍ପିତ ପଢ଼ୁଆଁମାନଙ୍କ ପାଇଁ। ଆଜି ଉପନୀତ ହୋଇଥିଲା ସମର୍ପିତ ସେହି ପବିତ୍ର ପ୍ରଥମାଷ୍ଟମୀ। ପରିବାରର ପ୍ରଥମ ସନ୍ତାନମାନେ ମାମୁ ଘରୁ ଆସିଥିବା ନୂଆ ବସ୍ତ୍ର ପନ୍ଧିିି ପଢ଼ୁଆଁ ହୋଇଥିଲେ ଏବଂ ଗୁରୁଜନଙ୍କ ଆଶୀର୍ବାଦ ସାଉଁଟିଥିଲେ।

ବଡ଼ମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥିଲା। ଘରର ମହିଳା ଅବା ମା’ ମାନେ ଚଉରା ମୂଳେ ପୂଜାର୍ଚନା କରିଥିଲେ। ଆଉ ପ୍ରତ୍ୟେକ ପରିବାରରେ ଜମିଥିଲା ପିଠାପଣାର ଆସର। ଆଜି ଦିନର ମୁଖ୍ୟ ଆକର୍ଷଣ ଥିଲା ହଳଦୀପତ୍ର ପ୍ରସ୍ତୁତ ପିଠା। ସେଥିପାଇଁ ଗତ କାଲିଠାରୁ ହିଁ ରାଜଧାନୀବାସୀ ସଂଗ୍ରହ କରି ନେଇଥିଲେ ଏହି ପତ୍ରକୁ। କିଛି କିଛି ସ୍ଥାନରେ ସକାଳୁ ସକାଳୁ ହଳଦୀ ପତ୍ର ପସରା ମଧ୍ୟ ଖୋଲିଥିଲା। ବିଶେଷକରି ଏଣ୍ଡୁରି ପିଠା ଓ ହଳଦୀପତ୍ର ପିଠା ଷଠୀ ଦେବୀଙ୍କ ନିକଟରେ ସମର୍ପଣ ପରେ ବଡ଼ମାନଙ୍କୁ ଖିରି ପିଠାରେ ଆପ୍ୟାୟିତ କରାଯାଇଥିଲା। ଖାଲି ସେତିକି ନୁହେଁ ବାହାରେ ଓ ହଷ୍ଟେଲ୍‌ରେ ରହିଥିବା ଛାତ୍ରଛାତୀ ଓ ଗ୍ରାହକଙ୍କ ପାଇଁ ହୋଟେଲଗୁଡ଼ିକରେ ସ୍ୱତନ୍ତ୍ର ଭାବେ ଏସବୁ ପିଠାର ମେନୁ ମଧ୍ୟ ପ୍ରସ୍ତୁତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe