ଦେଢ଼ ବର୍ଷ ହେଲା ଶିଶୁଶଲ୍ୟ ବିଭାଗର ମୁଖିଆ ଦାୟିତ୍ବରେ ଫାର୍ମାକଲୋଜି ପ୍ରାଧ୍ୟାପକ, ପ୍ରଭାବିତ ହେବନି ତ ଏମ୍ସର ତୃତୀୟ ଲହର ମୁକାବିଲା?

Advertisment
୭ଦିନରେ ସୁସ୍ଥ ହେଉଛନ୍ତି ଓମିକ୍ରନ୍‌ ରୋଗୀ, ଦ୍ରୁତ ସଂକ୍ରମଣ ସତ୍ତ୍ବେ ହସ୍ପିଟାଲରେ ରୋଗୀ ସଂଖ୍ୟା କମ୍‌

bhubaneswar.com

ଭୁବନେଶ୍ବର: ଦେଢ଼ ବର୍ଷ ହେଲା ଶିଶୁଶଲ୍ୟ ବିଭାଗର ମୁଖିଆ ଦାୟିତ୍ବରେ ଅଛନ୍ତି ଫାର୍ମାକଲୋଜି ପ୍ରାଧ୍ୟାପକ। ଏଠାରେ ରାଜ୍ୟ ସରକାରଙ୍କ କୌଣସି ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ନୂଆ ମେଡିକାଲ କଲେଜ କଥା କୁହାଯାଉ ନାହିଁ। ଏମ୍ସ ଭଳି ଦେଶର ସର୍ବୋଚ୍ଚ ଆର୍ୟୁବିଜ୍ଞାନ ଚିକିତ୍ସା ପ୍ରତିଷ୍ଠାନରେ ଦେଢ଼ ବର୍ଷ ହେଲା ଏଭଳି ଚାଲିଛି। କୋଭିଡ ତୃତୀୟ ଲହରରେ ଶିଶୁମାନେ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏଥିପାଇଁ ଏମ୍ସ ସମେତ ବିଭିନ୍ନ ଡାକ୍ତରଖାନାରେ ପ୍ରସ୍ତୁତି ଚାଲିଛି। ଅଥଚ ଅଣ ଶିଶୁରୋଗ ବିଶେଷଜ୍ଞ ଶିଶୁଶଲ୍ୟ ଭଳି ସୁପରସ୍ପେସାଲିଷ୍ଟ ବିଭାଗରେ ମୁଖିଆ ହେଲେ, କାର୍ଯ୍ୟ କିଭଳି ହେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆହୁରି ମଧ୍ୟ ଫାର୍ମାକଲୋଜି ବିଭାଗର ପ୍ରାଧ୍ୟାପିକା ଶିଶୁଶଲ୍ୟ ବିଭାଗର ପାଠ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ନିଷ୍ପତ୍ତିକୁ ମଧ୍ୟ ଅନୁମୋଦନ ଦେବା ବିଷୟକୁ ଅନେକ ବିଶେଷଜ୍ଞ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ଚର୍ଚାଠାରୁ ଦୂରରେ ରହୁଥିବା ଏମ୍ସ ଭୁବନେଶ୍ବର ବାହାରୁ ସବୁ ଠିକ୍‌ ଦିଶୁଥିଲେ ମଧ୍ୟ ଅନୁଷ୍ଠାନ ଭିତରେ ରହିଛି ଅନେକ ଅନ୍ତଃକନ୍ଦଳ। ଯୋଗ୍ୟ ପ୍ରାଧ୍ୟାପକ ଥାଇ ମଧ୍ୟ ୨୦୨୦ ମସିହା ମେ’ ମାସରୁ ଶିଶୁଶଲ୍ୟ ଭଳି ସୁପର ସ୍ପେସାଲିଷ୍ଟ ବିଭାଗର ଏଚ୍‌ଓଡି ପଦରେ ଖୋଦ୍ ଏମ୍‌ସର ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବି (ଫାର୍ମାକଲୋଜି ବିଭାଗ) ରହିବା ଏହାର ଏକ ବଡ଼ ଉଦାହରଣ। କରୋନା ମହାମାରୀ ସମୟରେ ଏଭଳି ପରିବର୍ତ୍ତନ, ଦ୍ବିତୀୟ ଲହରରେ ମଧ୍ୟ ନିଷ୍ପତ୍ତି ବଦଳା ନ ଯିବା ଘଟଣାକୁ ଜଟିଳ କରି ଦେଉଛି। ଏଥିସହିତ ଏହି ବିଭାଗର ଅନ୍ୟ ଜଣେ ଡାକ୍ତରଙ୍କ ଯୋଗ୍ୟତା ନେଇ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ତୃତୀୟ ଲହର ମୁକାବିଲା ବେଳକୁ ଏଭଳି ସ୍ଥିତି ଶିଶୁ ଚିକିତ୍ସା ବାଧକ ହେବା ନେଇ ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଏମ୍ସ ଶିଶୁଶଲ୍ୟ ବିଭାଗରେ ୨୦ ଶଯ୍ୟା ରହିଛି। ୨୦୨୦ ମସିହା ଅଗଷ୍ଟ ମାସରୁ ନଭେମ୍ବର ମାସ ମଧ୍ୟରେ ଏଠାରେ ମାସକୁ ୧୦ରୁ ୧୫ ଶିଶୁ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଥିଲା। ସାଧାରଣ ସମୟରେ ଏଠାକୁ ଆସୁଥିବା ରୋଗୀଙ୍କ ତୁଳନାରେ ଶଯ୍ୟା ଯଥେଷ୍ଟ ନୁହେଁ। ଅଧିକାଂଶ ସମୟରେ ରୋଗୀମାନେ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଅନେକ ମାସ ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ବର୍ତ୍ତମାନ କୋଭିଡ ଯୋଗୁଁ ଏହି ବିଭାଗ ବନ୍ଦ କରି ଦିଆଯାଇଥିବାରୁ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହେଉଛି। ଏଚ୍‌ଓଡି ପଦରେ ନିର୍ଦେଶକ ଥାଇ ମଧ୍ୟ ଶିଶୁଶଲ୍ୟ ବିଭାଗରେ ସ୍ବତନ୍ତ୍ର ଆଇସିୟୁ ନାହିଁ। ଶିଶୁରୋଗ ବିଭାଗରେ୧୪ଟି ଆଇସିୟୁ ବ୍ୟବସ୍ଥା ରହିଛି। ଶିଶୁଶଲ୍ୟ ବିଭାଗର ଚିକିତ୍ସାଧୀନ ରୋଗୀଙ୍କୁ ଅସ୍ତ୍ରୋପଚାର ପରେ ଆବଶ୍ୟକ ସ୍ଥଳରେ ଏଠାରେ ରଖାଯାଏ। ଗୁରୁତର ‌ରୋଗୀଙ୍କୁ ଆଇସିୟୁ ମିଳିବାରେ ଅସୁବିଧା ହେଉଥିବା ଅଭିଯୋଗ ହୁଏ। ଏଭଳି ସ୍ଥିତିରେ ତୃତୀୟ ଲହର ମୁକାବିଲା କିମ୍ବା ସାଧାରଣ ସମୟ ପାଇଁ ମଧ୍ୟ ଶିଶୁ ଶଲ୍ୟ ବିଭାଗରେ ସ୍ବତନ୍ତ୍ର ଆଇସିୟୁ ଏବଂ ଭେଣ୍ଟିଲେଟର ପାଇଁ ପ୍ରସ୍ତାବ ଦିଆଯାଇଛି। ୨୦୧୩ ମସିହା ବିଭାଗ ପ୍ରତିଷ୍ଠା ହେବା ଆରମ୍ଭରୁ ହିଁ ଏଠାରେ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଉପକରଣର ସଙ୍କଟ ରହିଛି। ୨ ଡାକ୍ତରୀ ପଦ ଖାଲି ରହିଛି। ଏବେଠାରୁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ, ଆଗାମୀ ସମୟରେ ବିକଟ ସ୍ଥିତି ଉତ୍ପନ୍ନ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe