ଭୁବନେଶ୍ବର: ଝାପ୍ସା ରଙ୍ଗିନ୍ ଆଲୋକ ଭିତରୁ ବଲିଉଡ୍ର କିଂବଦନ୍ତି କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ମନଛୁଆଁ ଗୀତ ଝରି ଆସୁଥିଲା। ଭାବର ବର୍ଷାରେ ଭିଜି ଭିଜି ଗାଉଥିଲେ ଗାୟକ/ଗାୟିକା। ଚିରସବୁଜ ଗୀତଗୁଡ଼ିକ ଦର୍ଶକଙ୍କ ଭିତରେ ଏକପ୍ରକାର ଶିହରଣ ଖେଳାଇ ଦେଉଥିଲା। ‘ସୁଷମା ସଙ୍ଗୀତ ସଦନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ରଫିଙ୍କ ଗୀତ ସମୂହକୁ ନେଇ ଆୟୋଜିତ ‘ୟେ ସାମ୍ ରଫି କେ ନାମ୍’ କାର୍ଯ୍ୟକ୍ରମର ପରିସର କିଛି ଏମିତି ଥିଲା।
ପ୍ରଥମେ ଲୋକପ୍ରିୟ ଗୀତ ‘ଓ ଦୁନିଆ କେ ରଖୱାଲେ’ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ‘ଚାହୁଙ୍ଗା ମେଁ ତୁଝେ’, ‘ମେଁ କହିଁ କଭି’, ‘ମେରେ ମିତୱା’, ‘ମଧୁବନ ମେଁ’, ‘ଏ ଦିଲ୍ ତୁମ୍ ବିନ୍’, ‘ଆଜ୍ ମୌସମ୍ ବଡ଼ା ବେଇମାନ ହେ’ ଭଳି ମନଛୁଆଁ ଗୀତ ଗାଇଥିଲେ କଣ୍ଠଶିଳ୍ପୀ। କାର୍ଯ୍ୟକ୍ରମରେ ୩୫ରୁ ଅଧିକ ଗୀତକୁ ଗାୟକ ରଣଦୀପ ପାଲିତ, ବନ୍ଦିସ ପାଲିତ, ଲକ୍ଷ୍ମୀକାନ୍ତ ପାଲିତ, ନାଜିଆ ଆଲମ ଓ ରଶ୍ମିତା ମିଶ୍ର ଗାଇ ଦର୍ଶକଙ୍କୁ ଅଭିଭୂତ କରିଥିଲେ। ସଂଧ୍ୟାରେ ଅତିଥି ଭାବେ ସମବାୟ ସଚିବ ସଂଜୀବ ଚଢ଼ା, ଧରିତ୍ରୀ ସିଇଓ ଆଦ୍ୟାଶା ଶତପଥୀ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ବିନୀ ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Follow Us