ଭଡ଼ା ଆଳରେ ୫ଟି ଗାଡ଼ି ନେଇ ଯୁବକ ଛୁ’

Advertisment

ସପ୍ତାହେ ହେଲା ଧରାଛୁଆଁ ଦେଉନି, ଗାଡ଼ି ମାଲିକଙ୍କ ଅକଲ ଗୁଡ଼ୁମ୍‌

ସପ୍ତାହେ ହେଲା ଧରାଛୁଆଁ ଦେଉନି, ଗାଡ଼ି ମାଲିକଙ୍କ ଅକଲ ଗୁଡ଼ୁମ୍‌

ଭଡ଼ା ଆଳରେ ୫ଟି ଗାଡ଼ି ନେଇ ଯୁବକ ଛୁ’

Freepik

ଭୁବନେଶ୍ବର : ଗୋଟିଏ କିମ୍ବା ଦୁଇଟି ନୁହେଁ, ୫ ଗାଡ଼ି ମାଲିକଙ୍କ ୫ଟି ଗାଡ଼ି ନେଇ ଫେରାର ହୋଇଯାଇଛି ଜଣେ ଯୁବକ। ବିଭିନ୍ନ ମାଲିକଙ୍କଠାରୁ ଭଡ଼ା ନାଁରେ ଗାଡ଼ି ନେଇଛି। ହେଲେ ସପ୍ତାହେ ହେଲା କାହାକୁ ଧରାଛୁଆଁ ଦେଉନି। ଜଣେ ଗାଡ଼ି ମାଲିକ ନୂଆପଲ୍ଲୀ ଥାନାରେ ପହଞ୍ଚି ଏତଲା ଦେବା ପରେ ଏଭଳି ଘଟଣା ପଦାକୁ ଆସିଛି। ଜଣକ ପରେ ଜଣେ ଗାଡ଼ି ମାଲିକ ପହଞ୍ଚି ଅଭିନବ ଉପାୟରେ ହୋଇଥିବା ଏହି ଲୁଟ୍‌ ବାବଦରେ ଏତଲା ଦେଇଛନ୍ତି। କୌତୂହଳର ବିଷୟ ହେଲା, ଅଭିଯୁକ୍ତ ଯୁବକର ମୋବାଇଲ ଫୋନ୍‌ ଅନ୍‌ ଅଛି। ପୁଲିସ ଫୋନ୍‌ କଲେ କେବେ କହୁଛି ‘ଢେଙ୍କାନାଳରେ ଅଛି, ଏବେ ଗାଡ଼ି ନେଇ ପହଞ୍ଚୁଛି’। ଆଉ କେବେ କହୁଛି, ‘ସିମୁଳିଆରେ ଅଛି, ମଙ୍ଗଳବାର ଯାଉଛି।’ ଏଭଳି ବିଚିତ୍ର ଠକେଇକୁ ନେଇ ଗାଡ଼ି ମାଲିକଙ୍କ ସହ ପୁଲିସର ମଧ୍ୟ ଅକଲ ଗୁଡ଼ୁମ୍‌ ହୋଇଯାଇଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯୁବକ ଜଣକ ଡ୍ରାଇଭର ନଥିବା ଗାଡ଼ିର ମାଲିକଙ୍କ ସହ ବିଭିନ୍ନ ଉପାୟରେ ପରିଚିତ ହୋଇ ଯୋଜନାବଦ୍ଧ ଭାବରେ ଲୁଟ୍‌ କରିଛି। ସହିଦନଗରର ଅଞ୍ଚଳରେ ଜଣେ ଯୁବକଙ୍କ ସହ ତା’ର ପରିଚୟ ଥିଲା। ଢେଙ୍କାନାଳ ଯିବାକୁ ଗାଡ଼ି ଦରକାର ଅଛି ବୋଲି ସେ ସହିଦନଗର ଅଞ୍ଚଳର ଏହି ବନ୍ଧୁଙ୍କୁ କହିଥିଲା। ବନ୍ଧୁ ଜଣଙ୍କ ସାହାଯ୍ୟ କରିବାକୁ ଯାଇ ନୂଆପଲ୍ଲୀ ଅଞ୍ଚଳରେ ଥିବା ଜଣେ ପରିଚିତ ଲୋକଙ୍କଠାରୁ ଭଡ଼ାରେ ଗାଡ଼ି ଆଣି ଦେଇଥିଲେ। ଡ୍ରାଇଭର ନ ଥିବାରୁ ଅଭିଯୁକ୍ତ ନିଜେ ଚଳାଇଥିଲା। ଗତ ସପ୍ତାହରେ ଏହି ଗାଡ଼ି ନେଇଥିବାବେଳେ ତିନିଦିନ ଭିତରେ ଫେରାଇବ ବୋଲି କହିଥିଲା। ହେଲେ ୭ ଦିନ ପରେ ମଧ୍ୟ ନ ଫେରାଇବାରୁ ସମ୍ପୃକ୍ତ ମାଲିକ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ। ସେ ଏତଲା ଦେବାର ତିନିଦିନ ଭିତରେ ଆଉ ୪ ଜଣ ମାଲିକ ମଧ୍ୟ ଥାନାକୁ ଆସି ଅନୁରୂପ ଢଙ୍ଗରେ ଯୁବକ ଜଣକ ଗାଡ଼ି ନେଇ ଯାଇଥିବା ଅଭିଯୋଗ କରିଛନ୍ତି।

ଏହି ସମସ୍ତ ଗାଡ଼ି ଜଣେ ଯୁବକ ଲୁଟିଥିବା ଜାଣିବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି। ପୁଲିସ ମାମଲା ରୁଜୁ କରିବା ପରେ ଯେଉଁ ମଧ୍ୟସ୍ଥିଙ୍କ ଜରିଆରେ ପ୍ରଥମ ଗାଡ଼ି ଲୁଟ୍‌ ହୋଇଥିଲା ତାଙ୍କୁ ଡାକି ପଚରାଉଚରା କରିଥିଲା। ତାଙ୍କଠାରୁ ଅଭିଯୁକ୍ତର ମୋବାଇଲ ନମ୍ବର ମିଳିବା ପରେ ପୁଲିସ ଯୋଗାଯୋଗ କରିଥିଲା। ହେଲେ ଆଜିକାଲି କହି ଅଭିଯୁକ୍ତ ଧରାଛୁଆଁ ଦେଉନଥିବାରୁ ପୁଲିସ ଚଢ଼ଉ କରି ତାକୁ ଗିରଫ କରିବାକୁ ଯୋଜନା କରିଛି। ଅନ୍ୟପଟେ ଗାଡ଼ି ମାଲିକମାନେ ବିନା ଡ୍ରାଇଭରରେ କିଭଳି ସେମାନଙ୍କ ଗାଡ଼ି ଜଣେ ଅପରିଚିତକୁ ଦେଇଦେଲେ ବୋଲି ପ୍ରଶ୍ନ ଉଠିଛି। ବିଭିନ୍ନ ଚିହ୍ନା ପରିଚିତ ଲୋକଙ୍କ ଜରିଆରେ ଆସିଥିବାରୁ ସେମାନେ ବିଶ୍ବାସରେ ଗାଡ଼ି ଦେଇ ଦେଇଥିବା କହିଛନ୍ତି। ଏବେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ଗାଡ଼ି ବ୍ୟବସାୟ ପୂରା ବନ୍ଦ ଥିବାରୁ ଅନେକ ବେପାର ଆଶାରେ ଅଧିକ ଚିନ୍ତା ନ କରି ଗାଡ଼ି ଭଡ଼ାରେ ଦେଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe