india tv
ଧଉଳି : ଉତ୍ତରା ଫାଣ୍ଡି ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ନିଶାଡ଼ିଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ବରଗଡ଼ ଟାଉନ ଥାନା ଅଞ୍ଚଳର ଗୌତମ ମଲ୍ଲିକ (୨୪)। ଗତ ୨ ତାରିଖ ରାତିରେ ନିଶା ନିବାରଣ କେନ୍ଦ୍ରରେ ଘଟିଥିବା ଏଭଳି ଅଘଟଣ ଅନ୍ୟ ଅନ୍ତେବାସୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଅପରପକ୍ଷରେ ତାଙ୍କ ପୁଅକୁ ପିଟିପିଟି ମାରି ଦିଆଯାଇଥିବା ସଂପର୍କରେ ଗତକାଲି ଗୌତମଙ୍କ ବାପା ପିପିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ନିମାପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ପୁଲିସ ସୂଚନା ମୁତାବକ ଗୌତମ ଜଣେ ନିଶାଗ୍ରସ୍ତ ଯୁବକ ଥିଲେ। ଅତ୍ୟଧିକ ମାତ୍ରାରେ ନିଶା ଖାଇବା ଦ୍ବାରା ତାଙ୍କର ମାନସିକ ବିକୃତି ଘଟିଥିଲା। ତେଣୁ ପରିବାର ଲୋକ ଗୌତମଙ୍କୁ ଉତ୍ତରା ଫାଣ୍ଡି ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ଉକ୍ତ କେନ୍ଦ୍ରରେ ରହିବାର ୫ ମାସ ପରେ ମଧ୍ୟ ତାଙ୍କର ଆଚରଣରେ କୌଣସି ପରିବର୍ତ୍ତନ ଘଟିନଥିଲା। ଓଲଟା ଦିନକୁ ଦିନ ତାଙ୍କର ପାଗଳାମି ବଢ଼ି ଚାଲିଥିଲା। ଅନେକ ଥର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା କର୍ମୀଙ୍କୁ ଆକ୍ରମଣ କରିଥିଲେ। ଗତ ୨ ତାରିଖ ରାତି ୮ଟାରେ ଗୌତମ କେନ୍ଦ୍ରରେ ପୂର୍ବଭଳି ଉତ୍ପାତ ଆରମ୍ଭ କରି ଦେଇଥିଲେ। ତାଙ୍କୁ ଆୟତ୍ତ କରିବାକୁ ଯାଇ କର୍ମଚାରୀଙ୍କ ସମେତ ଅନ୍ୟ ଅନ୍ତେବାସୀ ଯୁବକମାନେ ଗୌତମଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ତାଙ୍କ ମୁହଁରେ କପଡ଼ା ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ। ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। କେନ୍ଦ୍ର କାର୍ଯ୍ୟକର୍ତ୍ତା ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us