ମହଙ୍ଗା ପଡ଼ିଲା ଷ୍ଟାର୍‌ ହେବା ନିଶା: ୫ ଲକ୍ଷ ହରାଇଲେ ଯୁବତୀ

ସାଇବର୍‌ ଠକଙ୍କ ନୂଆ ତରିକା: ବିଦେଶୀ ମୁଦ୍ରା ଦେଖାଇ ଠକିନେଲେ ୪.୮୨ଲକ୍ଷ

Complete Controller

ଭୁବନେଶ୍ବର : ‘‘ଆପଣଙ୍କ ସ୍ବର ଓ ଗୀତ ଗାଇବା ଶୈଳୀ ବହୁତ ଭଲ। ହେଲେ ମାଗଣାରେ କାହିଁକି ଗୀତ ଗାଉଛନ୍ତି। ଆପଣ ଚାହିଲେ, ଏଥିରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାରିବେ। ଆମ ଗ୍ରୁପ୍‌ରେ ଯୋଡ଼ି ହୁଅନ୍ତୁ, ଫ୍ରାଞ୍ଚାଇଜ୍‌ ନିଅନ୍ତୁ, ଆପଣଙ୍କ ଜୀବନ ବଦଳିଯିବ।’’ ରାତାରାତି ଷ୍ଟାର୍‌ ହେବା ଓ କୋଟି କୋଟି ଟଙ୍କା ରୋଜଗାରର ଲୋଭ ଦେଖାଇ ସାଇବର୍‌ ଠକ ଜଣେ ଯୁବତୀଙ୍କଠାରୁ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ଯୁବତୀଜଣଙ୍କ ଲକ୍ଷ୍ମୀସାଗର ଅଞ୍ଚଳର। ଏ ସଂପର୍କରେ ସେ ସାଇବର୍‌ ଓ ଅର୍ଥନୈତିକ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଯୁବତୀଜଣଙ୍କ ‘ଷ୍ଟାର୍‌ ମେକର୍‌’ ଆପ୍‌ରେ ଗୀତ ଗାଇ ଭିଡିଓଗୁଡ଼ିକ ପୋଷ୍ଟ କରନ୍ତି। କୋଲକାତାର ଜଣେ ଯୁବକ ତାଙ୍କ ଗୀତକୁ ବହୁତ ପସନ୍ଦ କରନ୍ତି। ତାଙ୍କର ପ୍ରତିଟି ଗୀତକୁ ଲାଇକ୍‌, କମେଣ୍ଟ କରିବା ସହ ସେୟାର ବି କରୁଥିଲେ। ସ୍ବରରେ ଦମ୍‌ ଥିବା କହି ଉତ୍ସାହିତ କରୁଥିଲେ। ତେବେ କିଛି ଦିନ ପରେ ଯୁବକଜଣଙ୍କ ଅନ୍‌ଲାଇନ୍‌ରେ ମେସେଜ୍‌ କରିଥିଲେ। କାହିଁକି ମାଗଣାରେ ଗୀତ ଗାଉଛନ୍ତି। ଆପଣ ଚାହିଲେ, ଏଥିରୁ ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାର‌ିବେ। ଆମ ଗ୍ରୁପ୍‌ରେ ଯୋଡ଼ି ହୋଇ ଗୀତ ଗାଆନ୍ତୁ ଓ ଘରେ ବସି ୩୦ ହଜାର ଟଙ୍କା ରୋଜଗାର କରନ୍ତୁ।

ଯୁବକଙ୍କ କହିବାନୁସାରେ, ଯୁବତୀଜଣଙ୍କ ଗ୍ରୁପ୍‌ରେ ଯୋଡ଼ି ହୋଇ ୨ ମାସରେ ୬୦ ହଜାର ଟଙ୍କା ପାଇ ଯାଇଥିଲେ। ଏମିତି ବିଶ୍ବାସ ଜନ୍ମାଇବା ପରେ ଯୁବତୀଙ୍କୁ ଠକିବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏ ସଂପର୍କରେ ଯୁବତୀଜଣଙ୍କ ଟିକିଏ ବି ଟେର୍‌ ପାଇ ପାରିନଥିଲେ। ୨ ମାସ ହେବ ସେ ଯାହା ସହ କଥା ହେଉଛନ୍ତି, ସେ ଜଣେ ସାଇବର୍‌ ଠକ ବୋଲି ଯୁବତୀଜଣଙ୍କ ଆଦୌ ଠଉରାଇ ପାରିନଥିଲେ। ତେଣୁ ଏହାର ଫାଇଦା ନେଇ ଠକ ତାଙ୍କୁ ସଂସ୍ଥାର ଫ୍ରାଞ୍ଚାଇଜ୍‌ ନେବାକୁ ପ୍ରସ୍ତାବ ଦେଇଥିଲା। ଫ୍ରାଞ୍ଚାଇଜ୍‌ ଖୋଲିଲେ, ଲକ୍ଷଲକ୍ଷ ଟଙ୍କା ରୋଜଗାର ହୋଇପାରିବ ବୋଲି କହିଥିଲେ। ହେଲେ ଏଥିପାଇଁ ୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଯୁବତୀଜଣଙ୍କ ରାଜି ହୋଇଯିବାରୁ ସାଇବର୍‌ ଠକଙ୍କ ଏକ ଗ୍ରୁପ୍‌ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ପୁରୀ ଆସୁଥିବାରୁ ଯୁବତୀଙ୍କ ବିଶ୍ବାସ ଆହୁରି ବଢ଼ିଗଲା। ଖୁସିରେ ସେ ସେମାନଙ୍କ ପାଇଁ ହୋଟେଲ୍‌ ବୁକ୍‌ କରିଦେଲେ।

ସେମାନେ ପୁରୀରେ ପହଞ୍ଚିବାଠାରୁ କୋଲକାତା ଫେରିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଯୁବତୀ ବହନ କଲେ। ଏହାସହ ଫ୍ରାଞ୍ଚାଇଜ୍‌ ପାଇଁ ନଗଦ ୩ ଲକ୍ଷ ଟଙ୍କା ବି ଧରାଇଦେଲେ। ପରେ ବାକି ୨ ଲକ୍ଷ ଟଙ୍କା ଫୋନ୍‌ ପେ’ ଓ ଗୁଗଲ ପେ’ରେ ଦେଇଥିଲେ। କିନ୍ତୁ ଟଙ୍କା ପାଇଯିବା ପରେ ସାଇବର ଲୁଟେରା ଆଉ ଧରାଛୁଆଁ ଦେଇନଥିଲେ। ଏନେଇ ସେ ସାଇବର ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe