ଯୁବତୀଙ୍କୁ ଛୁରି ଭୁସି ହତ୍ୟା, ୩ ଦିନ ପରେ ବି ଅଭିଯୁକ୍ତକୁ ପାଇଲାନି ପୁଲିସ

Advertisment

ଅଫିସ୍‌ ଭିତରେ ଆକ୍ରମଣ

ଅଫିସ୍‌ ଭିତରେ ଆକ୍ରମଣ

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ଭୁବନେଶ୍ବର : ୨୦ ତାରିଖ ଅର୍ଥାତ୍ ରଥଯାତ୍ରା ଦିନ ଛୁରାମାଡ଼ରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବୈଜୟନ୍ତୀ ସାହୁ(୨୦)ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଯାଇଛି। ମଞ୍ଚେଶ୍ବର ଥାନା ଜିଜିପି କଲୋନିରେ ଘଟିଥିବା ଏହି ଘଟଣାକୁ ୩ ଦିନ ବିତିବା ପରେ ବି ପୁଲିସ ଛୁରାମାଡ଼ କରି ଫେରାର୍ ହୋଇଯାଇଥିବା ରମେଶ ବାରିକକୁ ଗିରଫ କରିପାରିନାହିଁ। ଦିନ ଦି’ପହରେ ରମେଶ ଏଭଳି କାଣ୍ଡ କରି ଫେରାର୍ ହୋଇଯିବା ପରେ ପୁଲିସ ତାକୁ ଧରିପାରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ମୁତାବକ ୧୫ ଦିନ ତଳେ ଜଗତସିଂପୁର ଜିଲ୍ଲା ନାଉଗାଁ ଅଞ୍ଚଳର ବୈଜୟନ୍ତୀ ଜିଜିପି କଲୋନିସ୍ଥିତ ଫାୟାର୍‌ ଆଣ୍ଡ ସେଫ୍‌ଟି ଏଜେନ୍ସିରେ ରିସେପ୍‌ସନିଷ୍ଟ୍‌ ଭାବେ ଯୋଗଦେଇଥିଲେ। ସବୁଦିନ ଭଳି ରଥଯାତ୍ରା ଦିନ ସେ ସକାଳ ୧୦ଟାରେ ଅଫିସ୍‌ ଆସିଥିଲେ। କିଛି ସମୟ ପରେ ହଠାତ୍ ରମେଶ ସେଠାରେ ପହଞ୍ଚିଥିଲା ଏବଂ ଅଚାନକ ଅଣ୍ଟାରୁ ଏକ ଛୁରି ବାହାର କରି ବୈଜୟନ୍ତୀଙ୍କୁ ଆକ୍ରମଣ କରିଥିଲା। ଜୀବନ ବିକଳରେ ବୈଜୟନ୍ତୀ ଅଫିସ୍‌ ଭିତରେ ଦୌଡ଼ିଥିଲେ ବି ରମେଶ ଗୋଡ଼ାଇ ଗୋଡ଼ାଇ ତାଙ୍କ ପେଟକୁ ତିନି ଚାରିଥର ଭୁସି ଦେଇଥିଲା। ରକ୍ତମୁଖା ରମେଶକୁ ଦେଖି ଭୟରେ କର୍ମଚାରୀମାନେ ଅଫିସ୍‌ ବାହାରକୁ ଧାଇଁଥିଲେ। ବୈଜୟନ୍ତୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ଛଟପଟ ହେଉଥିବା ବେଳେ ରମେଶ ସେଠାରୁ‌ ଫେରାର୍‌ ହୋଇଯାଇଥିଲା। ସିସିଟିଭିରେ ଏସବୁ ବୀଭତ୍ସ ଦୃଶ୍ୟ କଏଦ ହୋଇ ରହିଛି।

ତେବେ କର୍ମଚାରୀମାନଙ୍କଠାରୁ ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚି ବୈଜୟନ୍ତୀଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା।  ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ ମୃତଦେହକୁ ଆମ୍ବୁଲାନ୍ସରେ ଆଣି ମଞ୍ଚେଶ୍ବର ଥାନା ସମ୍ମୁଖରେ ରଖି ଧାରଣା ଦେଇଥିଲେ। ତେଣୁ ରାତି ଅଧରେ ଥାନା ସମ୍ମୁଖରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା। ପୁଲିସ ବୁଝାସୁଝା କରିବା ପରେ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ରମେଶ ଉକ୍ତ ସଂସ୍ଥାରେ କାମ କରୁଥିଲା। କିନ୍ତୁ କୌଣସି କାରଣରୁ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା। ସେବେଠୁ ସେ ତା’ ସ୍ଥାନରେ କାହାକୁ ସେଠାରେ କାମ କରିବାକୁ ଦେଉନଥିଲା। ତା ଜାଗାରେ ଯିଏ ରହିବ ତାକୁ ମାରିଦେବ ବୋଲି ଧମକାଉଥିଲା। କିଛି ଦିନ ତଳେ ଜଣେ ଯୁବତୀ ଉକ୍ତ ସଂସ୍ଥାରେ ରିସେପ୍‌ସନିଷ୍ଟ ଭାବେ ଯୋଗଦେଇଥିଲେ। ରମେଶ ଉକ୍ତ ଯୁବତୀଙ୍କୁ ଧମକାଇବା ସହ ଛୁରିରେ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ ସେହି ଯୁବତୀ ଅଳ୍ପକେ ବର୍ତ୍ତିଯାଇଥିଲେ ଏବଂ ଭୟରେ ଚାକିରି ଛାଡ଼ି ‌ଦେଇଥିଲେ। କିନ୍ତୁ ବୈଜୟନ୍ତୀଙ୍କ ପାଇଁ ଚାକିରି ଜରୁରୀ ଥିବାରୁ ସେ ରମେଶର ଧମକକୁ ନ ଡରି କାମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe