‘ଆପଣାପଣ’ ଓଲିଉଡ୍‌କୁ ଉଦ୍ଧାର କରିପାରିବ: ସୂର୍ଯ୍ୟମୟୀ

Advertisment
‘ଆପଣାପଣ’ ଓଲିଉଡ୍‌କୁ ଉଦ୍ଧାର କରିପାରିବ: ସୂର୍ଯ୍ୟମୟୀ

OdishaTV

ଚିହ୍ନା ପରିଚୟ କିମ୍ବା କୌଣସି ପ୍ରଭାବଶାଳୀ ଲୋକର ହାତ ନଥିଲେ, ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ଅସମ୍ଭବ ବୋଲି ଧାରଣା ରହିଛି। କିନ୍ତୁ ଏହାକୁ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ୭ ବର୍ଷରେ ୧୦ରୁ ଊର୍ଧ୍ବ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। କଠିନ ପରିଶ୍ରମ, ନିଷ୍ଠା ଓ ଆତ୍ମବିଶ୍ବାସ ଆଜି ତାଙ୍କୁ ଜଣେ ସଫଳ ଅଭି‌ନେତ୍ରୀର ପରିଚିତି ଦେଇଛି। ‘ଭଲ ପାଏ ଶହେରୁ ଶହେ’, ‘ଆଖି ଖୋଲିଲେ ତୁ ହି ତୁ’, ‘ଶକ୍ତି’, ‘କ୍ରିଷ୍ଣା’, ‘ମିଷ୍ଟର ମଜ୍‌ନୁ’ ଓ ‘ଚୋରଣୀ-୨’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତାଙ୍କ ସହ ‘ସମ୍ବାଦ’ ପ୍ରତିନିଧି ହିତେଶ ନାୟକଙ୍କ କିଛି ଆଳାପ...

ମଡେଲିଂରୁ ଓଡ଼ିଆ ଚଳଚ୍ଚିତ୍ର ଜଗତ; କେମିତି ଥିଲା ଯାତ୍ରା?
କଟକରେ ମୋର ଜନ୍ମ। କିନ୍ତୁ ପିଲା ଦିନ ଦାମନଯୋଡ଼ିରେ ବିତିଥିଲା। ଦ୍ବାଦଶ ପରେ ମେଡିକାଲ୍‌ କୋଚିଂ ପାଇଁ ଭାଇଜାଗ୍‌ ଯାଇଥିଲି। ୨୦୧୪ରେ ମିସ୍‌ ଭାଇଜାଗ ମୁକୁଟ ଜିତିବା ପରେ ବିଜ୍ଞାପନ ପାଇଁ ବହୁ ଅଫର୍‌ ଆସିଲା। ପରେ କିଛି ତେଲୁଗୁ ଚଳଚ୍ଚିତ୍ର ପାଇଁ ବି ଅଫର୍‌ ମିଳିଥିଲା। କିନ୍ତୁ ମୋତେ ତେଲୁଗୁ ଜଣାନଥିବାରୁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆସିବାକୁ ନିଷ୍ପତ୍ତି ନେଇଥିଲି। ୨୦୧୫ରେ ସାର୍ଥକର ରିଅଲିଟି ସୋ’ ‘ମୁଁ ବି ହେବି ହିରୋଇନ୍‌-୨’‌ରେ ବିଜେତା ହେବା ପର ଦିନ ହିଁ ‘ଭଲ ପାଏ ଶହେରୁ ଶହେ’‌ରେ କାମ କରିବା ପାଇଁ ସୁଯୋଗ ମିଳିଗଲା। ସେଥିରେ ମୁଁ ବାବୁସାନଙ୍କ ବିପକ୍ଷରେ ଅଭିନୟ କରିଥିଲି।

ଅଭିନେତ୍ରୀର ସଂଜ୍ଞା କ’ଣ ହେବା ଦରକାର ବୋଲି ଆପଣ ଭାବୁଛନ୍ତି?
କଠିନ ପରିଶ୍ରମ, ନିରନ୍ତର ପ୍ରୟାସ, କାମ ପ୍ରତି ନିଷ୍ଠା ଓ ସମର୍ପଣ ଭାବ ରହିଲେ ଜଣେ ସଫଳ ଅଭିନେତ୍ରୀ ହୋଇପାରିବ ବୋଲି ମୁଁ ଭାବୁଛି। ଲୋକେ କହନ୍ତି, ଜନ୍ମରୁ ତା’ର ସେ ପ୍ରତିଭା ଥିଲା, ତା’ର ଏ ପ୍ରତିଭା ଈଶ୍ବରପ୍ରଦତ୍ତ। କିନ୍ତୁ ମୁଁ ସେଥିରେ ବେଶି ବିଶ୍ବାସ କରେ ନାହିଁ। କିଛି ଗୁଣ ମଣିଷ ପାଖରେ ଜନ୍ମରୁ ଥାଏ ଓ ଆଉ କିଛି ସେ ସମାଜରୁ ଶିଖିଥାଏ। ମୁଁ ପିଲା ଦିନୁ ନୃତ୍ୟରେ ମାହିର୍‌ ଥିଲି। କିନ୍ତୁ ଅଭିନୟ ମୋତେ ଜଣାନଥିଲା। ଚଳଚ୍ଚିତ୍ର ଜଗତକୁ ଆସିବା ପରେ ଏବେ ମୁଁ ଧୀରେଧୀରେ ତାହା ଶିଖୁଛି।

ହାଇ-ବଜେଟ୍‌ ବ୍ୟତୀତ ବଲିଉଡ୍‌, ଟଲିଉଡ୍‌ ଓ ଓଲିଉଡ୍‌ ମଧ୍ୟରେ ଆଉ କ’ଣ ସବୁ ପ୍ରଭେଦ ରହିଛି?
ବଲିଉଡ୍‌ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର‌ରେ ନିର୍ଦ୍ଦେଶକମାନେ ଭାଷା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଅଧିକ ଗୁରୁତ୍ବ ଦିଅନ୍ତି। ଏହା ଦର୍ଶକଙ୍କୁ ଏକ ଆପଣାପଣର ଅନୁଭୂତି ଦେଇଥାଏ। ଦର୍ଶକ ଚଳଚ୍ଚିତ୍ରର କାହାଣୀ ଓ ଚରିତ୍ର ସହ ନିଜକୁ ଯୋଡ଼ିପାରେ। ଅପରପକ୍ଷେ ଏହା ସ୍ଥାନୀୟ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଅଲଗା ଭାଷାଭାଷୀ ଓ ସଂସ୍କୃତିର ଦର୍ଶକଙ୍କୁ ଭିନ୍ନ ସ୍ବାଦ ଦିଏ। ତେଣୁ ସେ ସବୁ ଚଳଚ୍ଚିତ୍ର ସଫଳତା ହାସଲ କରେ। ତେଣୁ ଓଲିଉଡ୍‌ରେ ବି ସେଇୟା ହେବା ଦରକାର। ଚଳଚ୍ଚିତ୍ରରେ ଓଡ଼ିଶାର ସଂସ୍କୃତି, ରୀତିନୀତି, ପରମ୍ପରା ସହ ଭାଷାକୁ ଅଧିକ ଗୁରୁତ୍ବ ଦିଆଗଲେ, ତାହା ଅଧିକ ଦର୍ଶକୀୟ ଆଦୃତି ଲାଭ କରିବ।

ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ର ୱେବ୍‌ ସିରିଜ୍‌ ‘ଗ୍ୟାଙ୍ଗ୍‌ ଅଫ୍‌ ପୁରୀ’ର ସଫଳତା ପଛର କାରଣ କ’ଣ ବୋଲି ଭାବୁଛନ୍ତି?
ସ୍ଥାନୀୟ ଭାଷାରେ ପ୍ରସ୍ତୁତ ‘ଗ୍ୟାଙ୍ଗ୍‌ ଅଫ୍‌ ପୁରୀ’ ଏକ ନିଚ୍ଛକ ଓଡ଼ିଆ କାହାଣୀ। ଏହାସହ ଲୋକମାନେ ନିଜକୁ ଅଧିକ ଯୋଡ଼ି ପାରିଲେ। ସେଥିପାଇଁ ଏହି ୱେବ୍‌-ସିରିଜ୍‌ ଅଧିକ ସଫଳତା ପାଇଲା।

ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ କ’ଣ ବୋଲି ଭାବୁଛନ୍ତି?
ବଲିଉଡ୍ ହେଉ ବା ହଲିଉଡ୍‌...‌; ଅନେକ ଚଳଚ୍ଚିତ୍ର ଅନ୍ୟ କୌଣସି ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରୁ ପ୍ରେରିତ ହୋଇ ନିର୍ମାଣ କରାଯାଉଛି। ଏହି ପନ୍ଥାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ ହେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଲଗାତାର ନକଲ କରି କରି ଶସ୍ତା ହୋଇଯିବା ହିଁ ବିରାଟ ଭୁଲ। ତେଣୁ ଯେତେ ବର୍ଷ ଆମ ଇଣ୍ଡଷ୍ଟ୍ରି ଏ ଭୁଲ୍‌ କରି ଚାଲିଥିବ, ତାକୁ ଉଠିବା ପାଇଁ ସେତିକି ବର୍ଷ ଲାଗିଯିବ। ଏବେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନେ ଭିନ୍ନ ସ୍ବାଦର କାହାଣୀ, କିଛି ନୂଆ କଥାକୁ ନେଇ ପରୀକ୍ଷଣ ଆରମ୍ଭ କଲେଣି। କିନ୍ତୁ ପୁଣି ସେଇ ପୁରୁଣା ସଫଳତା ହାତେଇବା ପାଇଁ ଇଣ୍ଡଷ୍ଟ୍ରିକୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe