ଦୁର୍ଘଟଣାଗ୍ରସ୍ତ ରୋଜଗାରିଆ ପୁଅ ଆଇସିୟୁରେ

ସାହାଯ୍ୟ ପାଇଁ ନିଃସ୍ୱ ବାପା-ମାଆଙ୍କ ଆକୁଳ ନିବେଦନ

ଦୁର୍ଘଟଣାଗ୍ରସ୍ତ ରୋଜଗାରିଆ ପୁଅ ଆଇସିୟୁରେ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଜଗାରିଆ ପୁଆ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଛି। ପୁଅକୁ ଭଲ କରିବା ପାଇଁ ବାପା-ମାଆ ଆକୁଳ ନିବେଦନ କରିଛନ୍ତି। ସାନ ପୁଅକୁ କ୍ୟାନ୍‌ସର୍‌ରେ ହରାଇବା ପରେ ଏବେ ବଡ଼ପୁଅ ପାଇ ଦିନରାତି ଆଖିରୁ ଲୁହ ଝରାଇବା ସାର ହେଉଛି।

ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ହାଟୁଆରୀ ଗାଁର ନିରାକାର ମହାନ୍ତିଙ୍କ ଦୁଇ ପୁଅ ଉତ୍ତମ,ବିଜୟ ଓ ପତ୍ନୀଙ୍କୁ ନେଇ ନିରାକାରଙ୍କର ଖୁସିର ପରିବାର। ୨୦୧୦ ଅଗଷ୍ଟ ୧୫ରେ ଦଶମରେ ପଢ଼ୁଥିବା ସାନ ପୁଅ ବିଜୟର କର୍କଟରେ ମୃତ୍ୟୁ ହୋଇଯାଇଛି। ଏବେ ଏକମାତ୍ର ପୁଅ ଉତ୍ତମ ତାଙ୍କର ସାହା ଭରସା। ବେଙ୍ଗାଲୁରୁରେ ସେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଚାକିରି କରିଥିବାବେଳେ ସେଇ ଟଙ୍କାରେ ଘର ଚଳୁଥିଲା। ତେବେ ଗତ ଶୁକ୍ରବାର ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଉତ୍ତମ। ତାଙ୍କ ଅଣ୍ଟା, ତଳିପେଟ, ମୂତ୍ରାଶୟ ଏବଂ ପିଚାରେ ଗଭୀର ଆଘାତ ଲାଗିଛି। ବେଙ୍ଗାଲୁରୁର କୁନ୍ଦନହାଲି ଗେଟ୍‌ ନିକଟ ଅଫିସରୁ ସେ ଫେରୁଥିବାବେଳେ ଏକ ପାଣି ଟ୍ୟାଙ୍କର ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ବେଙ୍ଗାଲୁରୁର ଡମଲୁରୁସ୍ଥିତ ମଣିପାଲ ହସ୍‌ପିଟାଲ୍‌ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।

ଉତ୍ତମ କାମ କରୁଥିବା ବ୍ୟାଙ୍କର ସହଯୋଗୀ, ଗାଁରେ ରହୁଥିବା ତାଙ୍କ ବାପା ଏବଂ ପରିବାର ଲୋକ ମାଗି ଯାଚି ୮ ଲକ୍ଷ ୨୦ ହଜାର ଟଙ୍କା ଦେଇ ସାରିଲେଣି। ଏବେ ଆଉ ନିରାକାର କିମ୍ବା ତାଙ୍କ ସାହି ଭାଇଙ୍କ ପାଖରେ ଟଙ୍କାଟିଏ ନାହିଁ। ଏଭଳି ସ୍ଥିତିରେ ପୁଅର ଅସ୍ତ୍ରୋପଚାର ପାଇଁ ଡାକ୍ତରଙ୍କ ପାଉଣା ୨୦ ଲକ୍ଷ ଟଙ୍କା ଏହା ବାଦ ଔଷଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଦରକାର। ବେଙ୍ଗାଲୁରୁର ଅଜଣା ସହରରେ ବାପା ବୁଲୁଥିବାବେଳେ ମା’ ଗାଁଠାରୁ ବାଲେଶ୍ୱର ସହର ଯାଏ ଟଙ୍କା ଯୋଗାଡ଼ରେ ଲାଗିଛି। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି ଏବଂ କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇବା ପାଇଁ ସେ ଆକୁଳ ନିବେଦନ କରିଛନ୍ତି। ସହାୟତା ଦେବାକୁ ଚାହୁଁଥିବା ବ୍ୟକ୍ତି ୯୪୩୭୭୦୯୭୬୫ରେ ନିରାକାରଙ୍କ ଗାଁ ଠିକଣାରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe