image source-nayalook.com
ଭୁବନେଶ୍ବର : ସରକାରୀ ଜାଗାକୁ ଘେରାଇ ଗଞ୍ଜେଇ ଖଟି କରିଥିଲେ। ସନ୍ଧ୍ୟା ହେଲେ ଜମୁଥିଲା ଦାଦାଙ୍କ ଭିଡ଼। ଗଞ୍ଜେଇ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରିବା ପରେ ଆରମ୍ଭ ହେଉଥିଲା ଅପରାଧ। ଏଭଳି ଏକ ଖଟିକୁ ଭାଙ୍ଗିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ସେ ହେଉଛି ନୂଆପଲ୍ଲୀ ବାଲିତୋଟା ସାହିର କାର୍ତ୍ତିକ ନାୟକ। ଜଣେ ଛାତ୍ରଙ୍କୁ ମାଡ଼ ମାରି ଆଦାୟ କରିଥିବା ୫୦୦ ଟଙ୍କା ଦାଦାବଟି ମଧ୍ୟ ତା’ ଠାରୁ ଜବତ କରାଯାଇଛି।
ତେବେ କାର୍ତ୍ତିକ ନାମରେ ଆଉ ଦୁଇଟି ଏଭଳି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି। ୨୦୧୯ ମସିହାରେ ୯ ଲକ୍ଷ ଟଙ୍କା ଲୁଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରାଯିବା ସହ ତା’ ଠାରୁ ଲୁଟ୍ ଟଙ୍କା ଜବତ କରାଯାଇଥିଲା। ୨୦୧୬ ମସିହାରେ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ମଧ୍ୟ ତାକୁ ଗିରଫ କରାଯାଇଥିଲା। ତୃତୀୟ ଥର ପାଇଁ ତାକୁ ଆଜି ଗିରଫ କରାଯାଇଛି। ତା’ର ଆଉ ୪ ସହଯୋଗୀ ଫେରାର ଅଛନ୍ତି। ସେମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ନୂଆପଲ୍ଲୀ ଥାନା ଇନ୍ସ୍ପେକ୍ଟର ଶରତ ସାହୁ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, କାର୍ତ୍ତିକ ଓ ତା’ର ଅନ୍ୟ ସହଯୋଗୀମାନେ ପାସ୍ପୋର୍ଟ ଅଫିସ୍ କଡ଼ରେ ଏକ ସାରକାରୀ ଜାଗା ମାଡ଼ି ବସି ବାଉଁଶରେ ପଲା ମାରିଥିଲେ। ସେଠାରେ ୧୦ରୁ ୧୨ ଜଣ ପ୍ରତ୍ୟେକ ଦିନ ଏକାଠି ହୋଇ ନିଶାଦ୍ରବ୍ୟ ସେବନ କରିବା ସହ ଅପରାଧ ଯୋଜନା କରୁଥିଲେ। କିଛି ଦିନ ତଳେ ସେହି ବାଟ ଦେଇ ଯାଉଥିବା ରଣପୁରର ଜଣେ ଛାତ୍ରକୁ ସେମାନେ ଅଟକାଇ ୫ ହଜାର ଟଙ୍କା ମାଗିଥିଲେ। ଛାତ୍ରଙ୍କ ପାଖରେ ଟଙ୍କା ନଥିବାରୁ ତାଙ୍କୁ ଛାଡ଼ି ଦେଇଥିଲେ। ଆଜି ରାଜପଥ କଡ଼ରେ ଥିବା ପେଟ୍ରୋଲ ଟାଙ୍କି ପାଖରେ ସମ୍ପୃକ୍ତ ଛାତ୍ର ମିଳିଯିବାରୁ ସେମାନେ ତାଙ୍କୁ ମାଡ଼ମାରି ୫ଶହ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ଛାତ୍ରଜଣକ ଅଭିଯୋଗ କରିବା ପରେ କାର୍ତ୍ତିକକୁ ଗିରଫ କରାଯିବା ସହ ସମ୍ପୃକ୍ତ ଜବରଦଖଲକୁ ଭଙ୍ଗା ଯାଇଛି।
Follow Us