ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗିରଫ ଦାବିରେ ଆଜି ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଂଜିତ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ପହଞ୍ଚି ବିକ୍ଷୋଭ କରିଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବିମୁଦ୍ରୀକରଣ ସମୟରେ ଗୁଜୁରାଟର ବିଭିନ୍ନ କୋ-ଅପରେଟିଭ୍ ବ୍ୟାଙ୍କରେ ମାତ୍ର ୫ ଦିନ ମଧ୍ୟରେ ୭୪୫ କୋଟି ପୁରୁଣା ନୋଟ୍ ବଦଳ ପାଇଁ ଜମା ହୋଇଥିଲା। ଏଥିରେ ଅମିତ୍ ଶାହଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଛି। ଆଜିର ଏହି ବିକ୍ଷୋଭରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ଯୁବ କଂଗ୍ରେସ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସମେତ ସଂକୁନା କହଁର, ବଟକୃଷ୍ଣ ରାଉତରାୟ, କୃଷ୍ଣଚନ୍ଦ୍ର ମହାନ୍ତି, ବଳରାମ ନନ୍ଦ, ରାଜେଶ ନାୟକ, ବିରଞ୍ଚି ବାରିକ, ଜଗଦୀଶ ଗଜେନ୍ଦ୍ର, ସୌମ୍ୟରଞ୍ଜନ ମାହାରୀ, ସାଗର ପଟ୍ଟନାୟକ, ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Follow Us