ବାପା ଡାକ ଶୁଣିବା ପୂର୍ବରୁ ଚାଲିଗଲେ

ବାପା ଡାକ ଶୁଣିବା ପୂର୍ବରୁ ଚାଲିଗଲେ

ଭୁବନେଶ୍ୱର : ଜଗତସିଂହପୁର କୋର୍ତଳ ଅଞ୍ଚଳର ବରଦା ପ୍ରସାଦ ପରିଡ଼ା। ୨୦୦୩ରୁ ଭୁବନେଶ୍ବରରେ ରହି ତାରିଣୀ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍‌ରେ କାମ କରୁଥିଲେ। ନୀଳାଦ୍ରିବିହାରରେ ରହୁଥିଲେ। ୨୦୧୯ ଫେବ୍ରୁଆରି ୧୮ରେ ସହିଦନଗରର ଶୁଭଶ୍ରୀଙ୍କୁ ବିବାହ କରିଥିଲେ। ମାତ୍ର ୫ ମାସର ଝିଅ। ଆଉ ଦିନ କେଇଟା ପରେ ବାପା ଡାକ ଶୁଣିଥା’ନ୍ତେ। କିନ୍ତୁ ତା’ ପୂର୍ବରୁ ନାଲ୍‌କୋ ଛକ କାର୍‌ ଦୁର୍ଘଟଣାରେ ଦୁନିଆ ଛାଡ଼ି ଚାଲିଗଲେ। ଯେଉଁଠି ସାତ ଜନ୍ମର ସାଥୀ ହେବାକୁ ଅଗ୍ନିକୁ ସାକ୍ଷୀ ରଖିଥିଲେ ମାତ୍ର ଦେଢ଼ ବର୍ଷର ବୈବାହିକ ସମ୍ପର୍କ ପରେ ଛାଡ଼ି ଚାଲିଗଲେ।

publive-image

ଆଖି ଆଗରେ ସବୁ କିଛି ଘଟିଗଲା
ବୁଧବାର ତିନି ସାଙ୍ଗ ବରଦା, ଦେବବ୍ରତ, ପ୍ରିୟରଂଜନ, ଏବଂ ସୁଭଦ୍ରାଙ୍କ ପାଇଁ ଥିଲା କାଳ ରାତି। ଘରେ ପହଞ୍ଚିବାର ମାତ୍ର ୧୦ ମିନିଟ୍ ପୂର୍ବରୁ ଏମିତି କାଳ ମାଡ଼ି ଆସିବ ବୋଲି କେହି କଳ୍ପନା କରି ନ ଥିଲେ। ଦୁର୍ଘଟଣା ଘଟି ଯାଇଥିଲା ଏକ ଓଲା କାର ଡ୍ରାଇଭର ଓ ସେହି ଗାଡ଼ିର ଯାତ୍ରୀଙ୍କ ସମ୍ମୁଖରେ। ଓଲା ଡ୍ରାଇଭର ମନୋଜ ପଣ୍ଡାଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟାରେ ସେ ଏୟାରପୋର୍ଟରୁ ଜଣେ ଯାତ୍ରୀଙ୍କୁ ଧରି ଚନ୍ଦ୍ରଶେଖରପୁର ଯାଉଥିଲେ। ସୈନିକ ସ୍କୁଲ ଆଡୁ ଆସୁଥିବା ହ୍ୟୁଣ୍ଡାଇ ଆଇ-୧୦ କାରକୁ ରାସ୍ତା ପାର ହେଉଥିବା ଦେଖି ନାଲ୍‌କୋ ଛକରେ ଅଟକି ଯାଇଥିଲେ। ଚନ୍ଦ୍ରଶେଖରପୁର ପଟୁ କ୍ରେଟା କାରଟି ଦ୍ରୁତ ବେଗରେ ଆସୁଥିଲା। ଗାଡ଼ିକୁ ଦେଖି ଆଇ-୧୦ କାର ହଡ଼ବଡ଼େଇ ଯାଇ ଅଟକି ଯାଇଥିଲା। କ୍ରେଟା କାର ଆଇ-୧୦ କାରକୁ ଧକ୍କା ଦେଇଥିଲା। ‌କିନ୍ତୁ ସେମାନେ ପୁଲିସ କିମ୍ବା କାହାକୁ ଖବର ନ ଦେଇ ସେଠାରୁ ଚାଲି ଯିବାକୁ ଯାତ୍ରୀ ଜଣଙ୍କ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ଡ୍ରାଇଭର ମନୋଜ ପଣ୍ଡା।

ଲୋକେ ସଚେତନ ହେଉନାହାନ୍ତି
ଦ୍ରୁତଗତି ବିପଜ୍ଜନକ ଜାଣି ମଧ୍ୟ ଲୋକମାନେ ସଚେତନ ହେଉନାହାନ୍ତି। ନାଲୋକ୍ ଛକରେ ଦୁର୍ଘଟଣା ଘଟି ୪ଜଣଙ୍କ ଜୀବନ ଯିବା ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ହ୍ୟୁଣ୍ଡାଇ କ୍ରେଟା କାର୍‌ଟି ଦ୍ରୁତ ଗତିରେ ଆସୁଥିଲା। ଫଳରେ ଦୁର୍ଘଟଣା ଘଟିଲା। ଏହି ଘଟଣାରେ ଚନ୍ଦ୍ରଶେଖପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗାମୀ ଦିନରେ ଦ୍ରୁତ ଗତିକୁ ରୋକିବା ପାଇଁ ଇଣ୍ଟରସେପ୍ଟର ବ୍ୟବହାର କରାଯିବ। ଏହା ଦ୍ବାରା ଚାଳକ ଧରାପଡ଼ିଲେ ସେମାନଙ୍କ ଠାରୁ ଚାଲାଣ କଟାଯିବ। ଦ୍ରୁତଗତିରେ ଗାଡ଼ି ଚଲାଇ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସ୍ବସ୍ତିକ ପଣ୍ଡା, ଟ୍ରାଫିକ୍ ଏସିପି

publive-image

ହଜିଗଲା ମାନବିକତା!
ମର୍ମନ୍ତୁଦ ଦୁର୍ଘଟଣାକୁ ଆଖି ସାମ୍ନାରେ ଦେଖିଲେ, କିନ୍ତୁ ସାହାଯ୍ୟ କରିବାକୁ ସାହସ କଲେନି। ହୁଏତ ଠିକଣା ସମୟରେ ସାହାଯ୍ୟ କରିଥିଲେ କାହାର ଜୀବନ ବଞ୍ଚି ଯାଇଥାନ୍ତା। ନାଲ୍‌କୋ ଛକରେ ଦୁର୍ଘଟଣା ଓଲା ଡ୍ରାଇଭର ଓ ସେହି ଗାଡ଼ିର ଯାତ୍ରୀଙ୍କ ସାମ୍ନାରେ ସବୁ କିଛି ଘଟିଗଲା। ସାହାଯ୍ୟ କରିବାକୁ ତ ଗାଡ଼ିରୁ ଓହ୍ଲାଇଲେ ନାହିଁ, ପୁଲିସ କିମ୍ବା ଦମକଳ କେନ୍ଦ୍ରକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଲେ ନାହିଁ। ସିଧା ସେଠାରୁ ଚାଲି ଯିବାକୁ ଉଚିତ୍ ମନେ କଲେ। ଏ କଥା ନିଜେ ଓଲା ଡ୍ରାଇଭର ଆଜି ଗଣମାଧ୍ୟମ ଆଗରେ କହିଛନ୍ତି। କାହିଁକି ପୁଲିସକୁ ଫୋନ୍ କରି ଦୁର୍ଘଟଣା ସମ୍ପର୍କରେ ଜଣାଇଲେ ନାହିଁ କିମ୍ବା ସାହାଯ୍ୟ କରିବାକୁ ଗାଡ଼ିରୁ ଓହ୍ଲାଇଲେ ନାହିଁ ପ୍ରଶ୍ନର ଉତ୍ତରରେ ଓଲା ଡ୍ରାଇଭର କହିଛନ୍ତି ଆଖି ସାମ୍ନାରେ ଏଭଳି ଘଟଣା ଦେଖି ଭୟରେ ଥରିବାକୁ ଲାଗିଲେ। ଗାଡ଼ିରେ ବସି ଥିବା ଯାତ୍ରୀ ଭୟଭୀତ ହୋଇ ସେଠାରୁ ଚାଲି ଯିବାକୁ କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଏ କେମିତିକା ମାନସିକତା। ଯଦି ସାହାଯ୍ୟ ପାଇଁ ଗାଡ଼ିରୁ ଓହ୍ଲାଇ ପାରିଲେ ନାହିଁ ତାହାଲେ ଫୋନ୍ କରି ପୁଲିସକୁ ସୂଚନା ଦେଇ ପାରିଥାନ୍ତେ? ଯଦି ଯାତ୍ରୀ ମନା କଲେ ତାହାଲେ ଡ୍ରାଇଭର ସୂଚନା ଦେବାରେ ଅସୁବିଧା କେଉଁଠି ଥିଲା? ନା ଏହା ସେମାନଙ୍କର କର୍ତ୍ତବ୍ୟ ନୁହେଁ? ସତରେ କ’ଣ ହଜି ଗଲାଣି ମାନବିକତା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe