My Edu Corner
ଭୁବନେଶ୍ୱର: ହିମାଳୟ ପାଦଦେଶରୁ ଜ୍ୟୋତିର୍ବିଦ୍, ବାସ୍ତୁବିଦ୍ ତଥା ଯୋଗଗୁରୁ ଆଚାର୍ଯ୍ୟ ଅତୁଲ୍ୟନାଥଜୀ ଭାରତ ଭ୍ରମଣରେ ବାହାରିଛନ୍ତି। ଦେଶର ବିଭିନ୍ନ ସ୍ଥାନ ବୁଲିବା ପରେ ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସମାଜକୁ ସତ୍ମାର୍ଗ, ସତ୍ଜ୍ଞାନ ଓ ସତ୍ଦୀକ୍ଷା ସହ ମାନବତାର ବାଟ ଦେଖାଇବା ପାଇଁ ସେ ଏଭଳି ଭ୍ରମଣ ଆରମ୍ଭ କରିଛନ୍ତି। ଏ ନେଇ ଆର୍ଯ୍ୟ ପ୍ୟାଲେସ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଧ୍ୟତ୍ମିକତାଠାରୁ ଯୁବ ପିଢ଼ି ଦୂରେଇ ଯାଇଛନ୍ତି। ସବୁ ବୁଦ୍ଧିରେ ଚାଲିଛି। ବିଜ୍ଞାନ ବଳରେ ମହାମାନବ ନିର୍ମାଣ ଆଡ଼କୁ ବିଶ୍ୱ ଅଗ୍ରସର ହେଉଛି। ନିଜ ଉପରୁ ବିଶ୍ୱାସ ହଟାଇ ଆମେ ନିର୍ଭରଶୀଳ ହୋଇଯାଇଛେ। ଯୁବ ଶକ୍ତି ଦୁର୍ବଳ ହୋଇ ଯାଉଛି। ଦେଶମାନେ ଗୁଳିଗୋଳା ପ୍ରସ୍ତୁତିରେ ମନୋନିବେଶ କରୁଛନ୍ତି। ଗୋଟାଏ ଦି’ଟା ବହି ପଢ଼ି କେତେକ ନିଜକୁ ଧର୍ମଗୁରୁ କହୁଛନ୍ତି। ତପସ୍ୟା, ଧ୍ୟାନ, ତ୍ୟାଗରୁ ଏମାନେ ଦୂରରେ ରହିଛନ୍ତି। ମାନବତାକୁ ଆପଣେଇବା ସହ ନିଜ ଭିତରେ ଈଶ୍ୱର ଖୋଜିବା ପାଇଁ ଯୁବପିଢ଼ି ମନୋନିବେଶ କଲେ ନିଜ ସହ ଦେଶର ଉନ୍ନତି ହେବ। ଏହି ବାର୍ତା ସମଗ୍ର ଦେଶରେ ବ୍ୟାପ୍ତ କରିବା ସହ ଉପଯୁକ୍ତ ମାର୍ଗ ଦର୍ଶନ ପାଇଁ ଭାରତ ଭ୍ରମଣ ସମୟରେ ମୁଁ ଉଦ୍ୟମ କରିବି ବୋଲି ସେ କହିଛନ୍ତି। ଆସନ୍ତାକାଲି ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବେ ବୋଲି ଜଣାପଡ଼ିଛି।
Follow Us