Times of India
ଭୁବନେଶ୍ବର : ଦୁର୍ଘଟଣା ପରେ କ୍ଷତିପୂରଣ ନ ପାଇବାରୁ ୨ଜଣ ରଙ୍ଗ ମିସ୍ତ୍ରିଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଜଣକୁ କାର୍ରେ ଅପହରଣ କରି ଲୁଟ୍ପାଟ୍ କରିଛନ୍ତି ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟରେ ଘଟିଛି।
ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ରଙ୍ଗ ମିସ୍ତ୍ରି ପିଣ୍ଟୁ ତାଙ୍କ ଭାଇଙ୍କ ସହିତ ବାଇକ୍ରେ କୋଳଥିଆ ଯାଉଥିଲେ। ଏହି ସମୟରେ ପଛପଟୁ ଏକ ଫର୍ଚୁନର କାର୍ ଆସି ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ପିଣ୍ଟୁ ଓ ତାଙ୍କ ଭାଇ ଗାଡ଼ିରୁ ଛିଟିକି ତଳେ ପଡ଼ିଥିଲେ। ତଳେ ପଡ଼ି ଛଟପଟ ହେଉଥିବା ବେଳେ କାର୍ ଚାଳକ ତାଙ୍କୁ ଉଦ୍ଧାର କରିବେ କ’ଣ ଓଲଟି ଆସି ଦୁଇ ଭାଇଙ୍କୁ ମାଡ଼ ମାରିଥିଲେ। ପିଣ୍ଟୁ ଓ ତାଙ୍କ ଭାଇ ପ୍ରତିବାଦ କରିବାରୁ କାର୍ ଭିତରୁ ଆଉ ୩ଜଣ ଯୁବକ ଆସି ପିଣ୍ଟୁଙ୍କୁ ମାଡ଼ ମାରି ଜୋର୍ ଜବରଦସ୍ତ କାର୍ରେ ବସାଇ ଅପହରଣ କରି ନେଇଥିଲେ। ନାକା ଗେଟ୍ ଛକରେ ରାସ୍ତାରେ ହମ୍ପସ୍ ପଡ଼ିବାରୁ ଗାଡ଼ି ସ୍ଲୋ ହୋଇଥିଲା। ଏହାରି ସୁଯୋଗରେ ପିଣ୍ଟୁ ଜୀବନ ବିକଳରେ ଗାଡ଼ିରୁ ଡେଇଁ ଦୌଡ଼ିଥିଲେ।
ପିଣ୍ଟୁ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ସହିତ ଉକ୍ତ କାର୍ ଚାଳକ ଓ ତାଙ୍କ ସହଯୋଗୀମାନେ ମୋବାଇଲ୍ ଓ ୨ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ପ୍ରାଥମିକ ତଦନ୍ତରୁ କେସ୍ ଡାଏରି କରିବା ସହିତ ସିସିଟିଭି ଆଧାରରେ ଅଭିଯୁକ୍ତ ଓ କାର୍କୁ ଧରିବାକୁ ଉଦ୍ୟମ ଚଳାଇଛି।
Follow Us