Medical Dialogues
ଭୁବନେଶ୍ବର : ଜଗତସିଂହପୁର ଅଞ୍ଚଳର ସୁଶିଲ୍ ସାହୁ ନାମକ ଜଣେ ଯୁବକ ଘରକୁ ଯିବେ ବୋଲି ଛୁଟିନେଲେ। ସାଙ୍ଗଙ୍କ ସହ ବାଇକ୍ରେ ଯାଇ ବସ୍ରେ ବସିଲେ। ପତ୍ନୀଙ୍କୁ ବି ଫୋନ୍ କରି ଜଣାଇଲେ। ହେଲେ ଘରେ ପହଞ୍ଚିଲେ ନାହିଁ। ଏନେଇ ସୁଶିଲ୍ଙ୍କ ଭିଣୋଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ନିଖୋଜ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।
ସୂଚନା ମୁତାବକ, ଗତ ଦେଢ଼ ବର୍ଷ ହେବ ସୁଶିଲ୍ ପଳାସୁଣୀ ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରେ କାମ କରୁଥିଲେ। ଶନିବାର ଜଗତସିଂହପୁରସ୍ଥିତ ଘରକୁ ଯିବେ ବୋଲି ସାଙ୍ଗଙ୍କ ସହ ବାଇକ୍ରେ ଯାଇ ବସ୍ରେ ବସିଥିଲେ। ବସ୍ରେ ବସିବା ପରେ ପତ୍ନୀଙ୍କ ସହ ଫୋନ୍ରେ ମଧ୍ୟ କଥା ହୋଇଥିଲେ। ହେଲେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ କରିଥିଲେ। ମାତ୍ର ମୋବାଇଲ ସ୍ବିଚ୍ଅଫ୍ ରହିଥିଲା। ପୁଲିସ ତଦନ୍ତ ବେଳେ ସୁଶିଲ୍ ବାଣୀବିହାର ନିକଟରେ ଏକ ବାଇକ୍ରେ ଯାଉଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଥିଲା। ଆଉ ସିଡିଆର୍ ରିପୋର୍ଟରୁ ଜଣାପଡ଼ିଛି ଯେ, ତାଙ୍କ ନମ୍ବର ଘାଟିକିଆ ନିକଟରେ ବନ୍ଦ ହୋଇଛି। ସେ ଜଗତସିଂହପୁର ଯିବା ପାଇଁ ବସ୍ରେ ବସିଥିବା ବେଳେ କିଭଳି ବାଇକ୍ରେ ବାଣୀବିହାର ଆଡ଼କୁ ଗଲେ; ଆଉ ଘାଟିକିଆରେ ନମ୍ବର ବନ୍ଦ ହେଲା ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏ ସବୁଦିଗରେ ପୁଲିସ ତଦନ୍ତ କରୁଛି।
Follow Us