ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ପାଳନ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତଥା ଅନ୍ୟ ମହାବିଦ୍ୟାଳୟରୁ ଆସିଥିବା ଯୁବପିଢ଼ିଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଯଥା ମହିଳା ସଶକ୍ତୀକରଣ, ଯୌନ ହିଂସା, ରାଜନୀତିରେ ମହିଳାମାନଙ୍କ ଭୂମିକା, ମାନସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ଅସମାନତା ଓ ମହିଳାମାନଙ୍କ ଅର୍ଥନୈତିକ ଭାଗିଦାରୀ ଉପରେ ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଯୁବପିଢ଼ିମାନଙ୍କ ନିର୍ଣ୍ଣୟ ନେବାର ସ୍ୱାଧୀନତା ଓ ଆତ୍ମବିଶ୍ୱାସ ମହିଳା ସଶକ୍ତୀକରଣକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଥିଲେ।
ଶ୍ରୀମତୀ ପରିଡ଼ା ଆହୁରି କହିଥିଲେ, ମହିଳା ସଶକ୍ତୀକରଣ ଏକ ନାରା ନୁହେଁ, ଏକ ପ୍ରକ୍ରିୟା। ଯାହା ପିଢ଼ି ପରେ ପିଢ଼ି ଆଗକୁ ଚାଲିଥିବ। ଏହାସହ ପରିବର୍ତ୍ତିତ ସମାଜର ବଦଳୁଥିବା ଜୀବନଧାରାକୁ ସରଳ କରିବା ନିମନ୍ତେ ମାନସିକ ସ୍ୱାସ୍ଥ୍ୟକୁ ସେ ଗୁରୁତ୍ୱ ଦେଇଥିଲେ। ମହିଳା ଯୁବପିଢ଼ିମାନଙ୍କୁ ମାନସିକତା ସୁସ୍ଥତା ସହ ଯୋଗ, ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଥିଲେ। ମହିଳା ସୁରକ୍ଷାକୁ ଆମ ସରକାର ପ୍ରାଥମିକତା ଦେଉଛି। ରାଜ୍ୟରେ ଖୁବ୍ଶୀଘ୍ର ବିଶାଖା ଗାଇଡଲାଇନକୁ ଜାରି କରାଯିବ ଓ ମହିଳା କୋର୍ଟକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିବା ସହ ମାନସିକ ସ୍ତରରେ ଝିଅମାନଙ୍କୁ ସଶକ୍ତ ହୋଇ ଆତ୍ମରକ୍ଷାର କୌଶଳ ଶିଖିବାକୁ ସେ ପ୍ରେରଣା ଦେଇଥିଲେ। ଯେ ପୀଡ଼ା ପାଇଛି ସେ ପୀଡ଼ିତା ନୁହେଁ, ଯେ ପୀଡ଼ା ଦେଇଛି ସେ ହିଁ ପୀଡ଼ିତା ବୋଲି ଶ୍ରୀମତୀ ପରିଡ଼ା ମତ ରଖିଥିଲେ। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ଓ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ମୋନିଷା ବାନାର୍ଜୀ, ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।
Follow Us