Times of India
ଭୁବନେଶ୍ୱର : ମିଥ୍ୟା ଅଭିଯୋଗ ପ୍ରତିବାଦରେ ନୂଆପଲ୍ଲୀ ଥାନାରେ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ୧୫ରୁ ୨୦ ଯୁବକ ଥାନାରେ ପଶି ହଙ୍ଗାମା କରିଛନ୍ତି। ମିଥ୍ୟା ଅଭିଯୋଗରେ ମାମଲା ରୁଜୁ ନ କରିବା ପାଇଁ ପୁଲିସ ଉପରେ ଚାପ ପକାଇଛନ୍ତି। ଥାନା ଇନ୍ସପେକ୍ଟର ଓ ଜୋନ୍ ଏସିପି ସମସ୍ତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ସୂଚନା ମୁତାବକ, ଏକାମ୍ର ପାର୍କ ନିକଟରେ ଏକ ଡାନ୍ସ ଏକାଡେମି ରହିଛି। ଏଠାରେ ଆଧୁନିକ ନୃତ୍ୟ ସହ ଅନ୍ୟାନ୍ୟ ନାଚ ଶିକ୍ଷା ଦିଆଯାଏ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଠାରୁ ଛାତ୍ରଛାତ୍ରୀ ଯାଇ ନୃତ୍ୟ ପରିବେଷଣ କରିଥାନ୍ତି। ନିକଟ ଅତୀତରେ କିଛି ଛାତ୍ର ଏକ କାର୍ଯ୍ୟକ୍ରମକୁ ଯାଇ ନୃତ୍ୟ ପରିବେଷଣ କରିଥିଲେ। କିନ୍ତୁ ଏ ବାବଦରେ କିଛି ପାରିଶ୍ରମିକ ମିଳି ନ ଥିଲା। ଏନେଇ ସେମାନେ ମାଲିକାଣିଙ୍କୁ କହିଥିଲେ। କିନ୍ତୁ ନୂଆ କରି ନାଚ ଶିଖୁ ଥିବାରୁ ପାରିଶ୍ରମିକ ମିଳିବ ନାହିଁ ବୋଲି ମାଲିକାଣି ମନା କରିଥିବା ଛାତ୍ରମାନେ ଅଭିଯୋଗ କରିଥିଲେ। ଅନୁଷ୍ଠାନ ପରିସରରେ ଏ ନେଇ ବଚସା ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ଥାନାକୁ ଆସିଥିଲେ। ଅନେକ ସମୟ ଆପୋସ ବୁଝାମଣା ଉଦ୍ୟମ ହୋଇଥିଲେ ମଧ୍ୟ ଲାଭ ହୋଇନଥିଲା। ମାଲିକାଣି ଛାତ୍ରମାନଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣି ଏତଲା ଦେଇଥିଲେ। ହେଲେ ଛାତ୍ରମାନେ ଏହାକୁ ଗ୍ରହଣ କରିପାରି ନ ଥିଲେ। ଆଉ କିଛି ଛାତ୍ର ଓ ସାଙ୍ଗମାନଙ୍କୁ ଡାକି ସେଠାରେ ହୋ-ହଲ୍ଲା କରିବା ସହ ମାଲିକାଣିଙ୍କ ଅଭିଯୋଗ ମିଥ୍ୟା ବୋଲି କହିଥିଲେ। ପ୍ରବଳ ଉତ୍ତଜନା ପ୍ରକାଶ ପାଇବାରୁ ପୁଲିସ ମୃଦୁ ଲାଠି ଚାଳନା କରିଥିବା ଅଭିଯୋଗ ହୋଇଛି। ବାଟରେ ଆହୁରି ଅଘଟଣ ଘଟିବା ଆଶଙ୍କାରେ ପୁଲିସ ଉଭୟପକ୍ଷ ଉପରେ ନଜର ରଖିଛି। ତେବେ ବିଳମ୍ବିତ ରାତି ଯାଏଁ ମାମଲା ରୁଜୁ ହୋଇନାହିଁ।
Follow Us