Foursquare
ଭୁବନେଶ୍ବର: ସହରରେ ଥିବା ହାଟଗୁଡ଼ିକରେ ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ ଖେଳ ଚାଲିଛି। ରାତାରାତି ବ୍ୟବସାୟୀଙ୍କ ସଂଖ୍ୟା ବଢ଼ି ଯାଉଛି। ୧ ନମ୍ବର ହାଟରେ ବେଆଇନ ଭାବରେ ୫୦୭ ଜଣଙ୍କୁ ନିୟମିତ କରି ଦିଆଯାଇଛି। ଏଭଳି ଘଟଣା ପରେ ମାର୍କେଟ ଉପବିଭାଗ ହାତରୁ ମାର୍କେଟ୍ ଦାୟିତ୍ବ ହଟାଇ ଦିଆଯାଇଛି। ଏବେ ମାର୍କେଟ ପରିଚାଳନା ଦାୟିତ୍ବ ସମ୍ପୃକ୍ତ ଜୋନାଲ୍ ଡେପୁଟି କମିସନର(ଜେଡ୍ଡିସି)ଙ୍କ ହାତକୁ ଯାଇଛି। ଦାୟିତ୍ବରେ ଥିବା ଡେପୁଟି କମିସନରମାନେ ସମସ୍ତ ମାର୍କେଟ, ହାଟ, ଭେଣ୍ଡିଂ ଜୋନ୍, କିଓସ୍କ, ମାର୍କେଟ୍ କମ୍ପ୍ଲେକ୍ସ ପ୍ରଭୃତି ପରିଚାଳନା କରିବେ। ଏଥିରେ ସମ୍ପୃକ୍ତ ସମସ୍ତ କର୍ମଚାରୀମାନେ ସମ୍ପୃକ୍ତ ଜେଡ୍ଡିସିମାନଙ୍କୁ ରିପୋର୍ଟ କରିବେ।
କୌତୁହଳପ୍ରଦ ହେଉଛି ଜେଡ୍ଡିସିମାନେ କରୁଥିବା କାମର ବିବରଣୀ ମାର୍କେଟ୍ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କୁ ଦାଖଲ କରିବେ। ଡେପୁଟି କମିସନର(ମାର୍କେଟ୍) ସମ୍ପୃକ୍ତ ଜେଡ୍ଡିସିମାନଙ୍କର କାମକୁ ସମୀକ୍ଷା କରିବେ। ଏହି ଉପବିଭାଗରେ ଅଧିକାରୀ କିମ୍ବା କର୍ମଚାରୀ ଅଦଳବଦଳ ଦାୟିତ୍ବ ମଧ୍ୟ ଡେପୁଟି କିମସନର(ମାର୍କେଟ୍) ନିଷ୍ପତ୍ତି ନେବେ। ବିଏମ୍ସି ଅତିରିକ୍ତ କମିସନର ଏଭଳି ଆଦେଶନାମା ଜାରି କରିଛନ୍ତି। ମାର୍କେଟ୍ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କ ହାତରୁ ଦାୟିତ୍ବ ହଟାଇ ଦିଆଯାଇଛି ନା ଅଧିକ କ୍ଷମତା ଦିଆଯାଇଛି, ତାହା ଏବେ ବିଏମ୍ସିରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରଶ୍ନ ଉଠୁଛି, ଜେଡ୍ଡିସି ଓ ଡେପୁଟି କମିସନର (ମାର୍କେଟ୍) ଉଭୟଙ୍କର ପାହ୍ୟା ସମାନ ହୋଇଥିଲେ ମଧ୍ୟ ଡେପୁଟି କମିସନର(ମାର୍କେଟ୍) କିଭଳି ଜେଡ୍ଡିସିଙ୍କ କାମର ସମୀକ୍ଷା କରିବେ? ମାର୍କେଟ୍ ଉପବିଭାଗରେ ବ୍ୟାପକ ଅନିୟମିତତା ପରେ ମଧ୍ୟ ଏମିତି ନିଷ୍ପତ୍ତି କିଭଳି ନିଆଗଲା? ଏହାକୁ ଅନେକ ଅଧିକାରୀ ଗ୍ରହଣ କରିପାରି ନାହାନ୍ତି। ବିଏମ୍ସିରେ ଏବେ ଏହି ଘଟଣାକୁ ନେଇ ଅସନ୍ତୋଷର ବାତାବରଣ ଖେଳି ଯାଇଛି। ପୂର୍ବରୁ ବିଏମ୍ସିରେ ଦୁଇଜଣ ଅତିରିକ୍ତ କମିସନର ରହିଥିଲେ। ଏବେ ଆଉ ଜଣେ ଆଇଏଏସ୍ ଅଫିସର ଅତିରିକ୍ତ କମିସନର ଭାବେ ନିଯୁକ୍ତି ପାଇଛନ୍ତି; ଯଦିଓ ସେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଏଭଳି ସ୍ଥିତିରେ ସମାନ ପାହ୍ୟାର ଅଧିକାରୀଙ୍କ କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ଅନ୍ୟ ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦେବା ପଛରେ କଣ ରହସ୍ୟ ରହିଛି ତାହା ବୁଝାପଡ଼ୁ ନାହିଁ।
ଅତିରିକ୍ତ କମିସନର ଜେଡ୍ଡିସିମାନଙ୍କୁ ଦେଇଥିବା ଚିଠି ମୁତାବକ, ନିଜ ନିଜ ଅଞ୍ଚଳରେ ରହିଥିବା ସମସ୍ତ ମାର୍କେଟ, ହାଟ, ଭେଣ୍ଡିଂ ଜୋନ୍, କିଓସ୍କ, ମାର୍କେଟ୍ କମ୍ପ୍ଲେକ୍ସ ପ୍ରଭୃତି ଜେଡ୍ଡିସିମାନେ ପରିଚାଳନା କରିବେ। ଦୋକାନୀଙ୍କ ଠାରୁ ଭଡ଼ା ଆଦାୟ କରି ଡେପୁଟି କମିସନର(ମାର୍କେଟ୍)ଙ୍କୁ ହିସାବ ଦେବେ। ହାଟ ମରାମତି, ରକ୍ଷଣାବେକ୍ଷଣ, ପୁନରୁଦ୍ଧାର, ପରିମଳ, ଷ୍ଟ୍ରିଟ୍ ଲାଇଟ୍, ସ୍ବେରେଜ୍, ଡ୍ରେନେଜ୍ ପ୍ରଭୃତି ବ୍ୟବସ୍ଥା ଜେଡ୍ଡିସିମାନେ କରିବେ। ଡେପୁଟି କମିସନର (ମାର୍କେଟ୍) ତିନି ଜୋନ୍ର ଜେଡ୍ଡିସିଙ୍କ କାମର ସମୀକ୍ଷା କରିବେ। ଆଲଟ୍ମେଣ୍ଟ, ମାଲିକାନା ସତ୍ବ ପରିବର୍ତ୍ତନ, ବ୍ୟବସାୟୀଙ୍କୁ ଥଇଥାନ, ନୂଆ ମାର୍କେଟ୍ ନିର୍ମାଣ, ହାଟ ଓ ଭେଣ୍ଡିଂ ଜୋନ୍ ତିଆରି ଦାୟିତ୍ବ ମଧ୍ୟ ଡେପୁଟି କମିସନର (ମାର୍କେଟ୍) ହାତରେ ରହିବ। ଅର୍ଥାତ୍ ଦୈନିକ ଝିନ୍ଝଟ୍ରୁ ଦୂରରେ ରହି ମାର୍କେଟ୍ ଉପବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର ଅନ୍ୟ ସମସ୍ତ କାମ କରିବେ। ଜେଡ୍ଡିସିମାନେ ଅନ୍ୟ ସମସ୍ତ ଦାୟିତ୍ବ ସହ ନୂଆ କରି ଏହି ବଜାର ଦାୟିତ୍ବ ନେବେ। ପ୍ରତି ବର୍ଷ ଏପ୍ରିଲ ଶେଷ ସୁଦ୍ଧା ଡେପୁଟି କମିସନର (ମାର୍କେଟ୍)ଙ୍କୁ ହିସାବ ଦେବେ।
Follow Us