ଜିରୋ ନାଇଟ୍‌ ହେଲାନି : ସାରା ରାତି ସହରରେ ନାକାବନ୍ଦୀ, ବୋହିନେଲେ ମଦ

Advertisment
ଜିରୋ ନାଇଟ୍‌ ହେଲାନି : ସାରା ରାତି ସହରରେ ନାକାବନ୍ଦୀ, ବୋହିନେଲେ ମଦ

ଭୁବନେଶ୍ବର : ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ସରକାର କଟକଣା ଲାଗୁ କରିବା ପରେ ଆଜି ସାରା ରାତି କମିସନ‌ରେଟ୍‌ ପୁଲିସ୍‌ କସରତ କରିଥିଲା। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା। ଏହି ପରିପ୍ରେକ୍ଷୀରେ କମିସନରେଟ୍‌ ପୁଲିସ ସହରର ୪୪ଟି ଜାଗା‌ରେ ନାକାବନ୍ଦୀ କରିଥିଲା। ଏହି ସବୁ ଜାଗାରେ ଗାଡ଼ିଗୁଡ଼ିକର ଯାଞ୍ଚ କଡ଼ାକଡ଼ି କରିଥିଲା। ଜରୁରୀ ସେବା‌ରେ ନଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିଶେଷକରି କିଟ୍‌, ଡମଣା, ନାଲ୍‌କୋ, ଜୟଦେବ ବିହାର, ଜାଗମରା, କଳିଙ୍ଗ ଷ୍ଟୁଡିଓ ଛକ, ପଳାସପଲ୍ଲୀ, ରାମମନ୍ଦିର, କେଶରୀ ଟକିଜ୍‌ ଛକ, ପାୱାର ହାଉସ୍‌ ଛକ, ଆଚାର୍ଯ୍ୟବିହାର, ରସୁଲଗଡ଼, କଳ୍ପନା, ରବି ଟକିଜ୍‌ ଛକ ନାକାରେ ଯାଞ୍ଚ କଡ଼ାକଡ଼ି ହୋଇଥିଲା। ୮ ଏସିପିଙ୍କ ନେତୃତ୍ବରେ ୨୪ଜଣ ଇନ୍‌ସ୍‌ପେକ୍ଟର ଓ ୨୯ ପ୍ଲାଟୁନ୍‌ ଫୋର୍ସ ଏହି କାର୍ଯ୍ୟରେ ସାମିଲ ଥିଲେ। ରାତି ୯ଟା ବେଳେ ୧୦ଟି ପିସିଆର ଭ୍ୟାନ୍‌ ଏକ ସମୟରେ ବୁଲି ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ସଚେତନ କରାଇଥିଲେ। ଦୋକାନ ବଜାର ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ହୋଟେଲଗୁଡ଼ିକ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିଲା। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବନ୍ଦକୁ ନିଶ୍ଚିତ କରିବାକୁ ୬ଟି ଜୋନ୍‌ରେ ୬ଟି ମୋବାଇଲ ଟିମ୍‌ ଗଠନ ହୋଇଥିଲା। ଅପରପକ୍ଷରେ ନାକାବନ୍ଦୀ ଯୋଗୁଁ ଟ୍ରେନ ଓ ବସ୍‌ରେ ଆସିଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାତି ୯ଟା ପରେ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ସେମାନେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା।

publive-image

ପାର୍କ ଉପରେ କଡ଼ା ନଜର
ଆସନ୍ତାକାଲି ନୂଆବର୍ଷ ପାଇଁ ପାର୍କଗୁଡ଼ିକରେ ପ୍ରବଳ ଭିଡ଼ ହେବା ଆଶଙ୍କା ରହିଛି। ଏଣୁ କମିସନରେଟ୍‌ ପୁଲିସ ପକ୍ଷରୁ ଏହି ଭିଡ଼ ନିୟନ୍ତ୍ରଣ କରିବାକୁ ଯୋଜନା କରାଯାଇଛି। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସହରର ୧୨ଟି ପ୍ରମୁଖ ପାର୍କ ଉପରେ ପୁଲିସ୍‌ କଡ଼ା ନଜର ରଖିବାକୁ ଯୋଜନା କରିଛି। ଏଥିପାଇଁ ୪ଟି ଷ୍ଟ୍ରାଇକିଂ ଫୋର୍ସ ଟିମ୍‌ ଗଠନ ହୋଇଛି। ଏମାନେ ସାଦା ପୋଷ‌ା‌କରେ ରହିବେ। ଏଥିପାଇଁ ୪ଟି ଜାଗା ଚିହ୍ନଟ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ୍‌, ନାଲ୍‌କୋ ଛକ, ବାଣୀବିହାର ଓ ଖଣ୍ଡଗିରିରେ ଏହି ଷ୍ଟ୍ର‌ାଇକିଂ ଫୋର୍ସ ରହିବେ। ଖବର ପାଇଲେ ଭିଡ଼ ହୋଇଥିବା ପାର୍କରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତା’ ଛଡ଼ା ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମୁଖାର୍ଜୀ ପାର୍କ, ମଧୁସୂଦନ ପାର୍କ, ବଟାନିକାଲ ଗାର୍ଡେନ୍‌, ଶିଖରଚଣ୍ଡୀରେ ଏହି ଷ୍ଟ୍ରାଇକିଂ ଫୋର୍ସ ନିୟମିତ ପାଟ୍ରୋଲିଂ କରିବେ। କୋଭିଡ୍‌ କଟକଣା ଯେଭଳି କଡ଼ାକଡ଼ି ପାଳନ ହେବ ତାହାକୁ ନିଶ୍ଚିତ କରିବ ଏହି ଷ୍ଟ୍ରାଇକିଂ ଫୋର୍ସ। ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏଭଳି କଟକଣା ଭିତରେ ରହିବ ପାର୍କ।

ମଦ ଦୋକାନ ଆଗରେ ଭିଡ଼
ଜିରୋ ନାଇଟ୍‌ ସେଲିବ୍ରେସନ୍‌ ହେବନି କି ଭିଡ଼ କରି ବାହାରେ ଭୋଜିଭାତ ବି ହୋଇପାରିବନି। ଏଣୁ ଘର ଭିତରେ ହୋଇଛି ସେଲିବ୍ରେସନ୍‌। ମୋବାଇଲରେ ମ୍ୟୁଜିକ୍‌ ସାଙ୍ଗକୁ ମଦର ଆସର ଜମିଛି ଘର ଭିତରେ। ସନ୍ଧ୍ୟାରେ ସେଥିପାଇଁ ବିଭିନ୍ନ ମଦ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ଲୋକମାନେ ପେଟି ପେଟି ମଦ ବୋହି ନେଇଥିଲେ। ଏହି ସମୟରେ କୋଭିଡ୍‌ କଟକଣାକୁ କେହି ମାନି ନଥିଲେ। ବେପାର ଲୋଭରେ ଦୋକାନୀ ମଧ୍ୟ ଏହାକୁ ଫୁ’ କରି ଦେଇଥିଲା। ପୁଲିସ ମଧ୍ୟ କୌଣସି ଦୋକାନରେ ଚଢ଼ଉ କରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe