ଅଣଓଡ଼ିଆ ଭିକାରିଙ୍କ କବ୍‌ଜାରେ ଟ୍ରାଫିକ୍ ଛକ, ସମସ୍ୟାରେ ଗାଡ଼ିଚାଳକ

Advertisment
ଅଣଓଡ଼ିଆ ଭିକାରିଙ୍କ କବ୍‌ଜାରେ ଟ୍ରାଫିକ୍ ଛକ, ସମସ୍ୟାରେ ଗାଡ଼ିଚାଳକ

ଭୁବନେଶ୍ବର: ରାଜଧାନୀକୁ ଭିକାରିମୁକ୍ତ କରିବାକୁ ବିଏମ୍‌ସି ପକ୍ଷରୁ ନାନା କାର୍ଯ୍ୟକ୍ରମ ଜାରି ରହିଛି। ସେମାନଙ୍କୁ ଥଇଥାନ କରିବାକୁ ସ୍ବତନ୍ତ୍ର ଆଶ୍ରୟ କେନ୍ଦ୍ର ରହିଛି। ସେଠାରେ ସେମାନଙ୍କୁ ଖାଇବା ପିଇବାକୁ ଦେଇ ରଖାଯାଉଛି ଓ ଆବଶ୍ୟକସ୍ଥଳେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ମାତ୍ର ସହରରୁ ଭିକାରି ସଂଖ୍ୟା କମିବା ବଦଳରେ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ଓଡ଼ିଆ ଭିକାରିଙ୍କୁ ଥଇଥାନ କରୁଥିବା ବେଳେ ଅଣଓଡ଼ିଆ ଭିକାରିମାନେ ରାଜଧାନୀକୁ ମାଡ଼ି ଆସୁଛନ୍ତି। ବେପାର କରିବାକୁ ଆସିଥିବା ବାହାନାରେ ଏହି ଅଣଓଡ଼ିଆ ଯାଯାବରମାନଙ୍କ ଛୋଟ ପିଲା ମହିଳା ଓ ବୃଦ୍ଧବୃଦ୍ଧାମାନେ ଭିକ ମାଗୁଛନ୍ତି। ଏମାନେ ଉଭୟ ବେପାରୀ ଓ ଭିକାରି ବେଶରେ ରହୁଛନ୍ତି। ଏବେ ସବୁ ଜନଗହଳିପୂର୍ଣ୍ଣ ଟ୍ରାଫିକ୍‌ ଛକ, ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନରେ ମାଳମାଳ ଅଣଓଡ଼ିଆ ଭିକାରି ବୁଲୁଛନ୍ତି। ଫଳରେ ଟ୍ରାଫିକ୍ ଛକରେ ଗାଡ଼ିଚାଳକମାନେ ବଡ଼ ସମସ୍ୟାରେ ପଡ଼ୁଛନ୍ତି। ଭିକ ମାଗିବାକୁ ଗାଡ଼ି ଆଗକୁ ମାଡ଼ି ଆସୁଥିବାରୁ ଚାଳକମାନେ ଅସୁବିଧାରେ ପଡ଼ୁଛନ୍ତି।

ଓଡ଼ିଶା ବାହାରୁ ବିଭିନ୍ନ ରାଜ୍ୟରୁ ଯାଯାବର ବା ବନ୍‌ଜାରାମାନେ ବର୍ଷର ଅନେକ ସମୟରେ ଭୁବନେଶ୍ବର ଆସନ୍ତି। ପ୍ରକୃତ କଥା ହେଉଛି କିଛି ବ୍ୟବସାୟୀ ସେମାନଙ୍କୁ ରାଜଧାନୀରେ ଛାଡ଼ି ଦିଅନ୍ତି। ଫୁଟ୍‌ପାଥ୍‌ରେ ରହୁଥିବା ଏହି ଯାଯାବର ଶ୍ରେଣୀର ଲୋକମା‌ନେ ପିଲାଛୁଆ ସହ ଆସିଥାଆନ୍ତି। ପରିବାରର ମୁଖ୍ୟ ପୁରୁଷ ଓ ମହିଳାମାନେ ପେନ୍‌, ବେଲୁନ୍‌, ବେଲେଣା ବାଡ଼ି ଓ ବିଭିନ୍ନ ଖେଳଣା ବିକନ୍ତି। ସେମାନଙ୍କୁ ଏଠାକୁ ଆଣିଥିବା ବ୍ୟବସାୟୀମାନେ କୋଲକାତା ଓ ଦିଲ୍ଲୀରୁ ବିଭିନ୍ନ ସାମଗ୍ରୀ ଆଣି ସେମାନଙ୍କୁ ବିକିବାକୁ ଦିଅନ୍ତି। ସାମଗ୍ରୀ ବିକ୍ରି କରିବା ପରେ ଉକ୍ତ ବ୍ୟବସାୟୀ ସେମାନଙ୍କୁ କମିସନ୍‌ ଦେଇ ବାକି ପଇସା ସଂଗ୍ରହ କରିନିଏ। କିନ୍ତୁ ଛୋଟ ପିଲା ଓ ବୃଦ୍ଧ ବୃଦ୍ଧାମାନେ ଭିକ ମାଗନ୍ତି। କିଛି ପିଲା ଓ ବୃଦ୍ଧବୃଦ୍ଧା ମଧ୍ୟ ଭିକ ନମାଗି ବିଭିନ୍ନ ଜିନିଷପତ୍ର ବିକୁଛନ୍ତି।

ବଡ଼ ସମସ୍ୟା ହେଉଛି, ଗାଡ଼ି ଚାଳକମାନେ ଟ୍ରାଫିକ୍‌ ସିଗ୍‌ନାଲ୍‌କୁ ଅପେକ୍ଷା କରିଥିବା ବେଳେ ଏମାନେ ଗାଡ଼ି ପାଖକୁ ଯାଇ ହାତ ପତେଇଦିଅନ୍ତି। ଫଳରେ ଗାଡ଼ି ଚାଳକଙ୍କ ନଜର ଟ୍ରାଫିକ୍‌ ସିଗ୍‌ନାଲ୍‌ ଉପରୁ ହଟିଯାଏ ଓ ଛକରେ ସମସ୍ୟା ସୃଷ୍ଟି ହୁଏ। ବେଳେବେଳେ ସେମାନେ ଗାଡ଼ି ପାଖକୁ ଏମିତି ଲାଗି ରହନ୍ତି ଯେ କାର୍‌ ଚାଳକମାନେ ଗାଡ଼ି ଆଗକୁ ଗଡ଼ାଇବା ସମ୍ଭବ ହୁଏ ନାହିଁ। ଫଳରେ ସ୍ବତଃ ଟ୍ରାଫିକ୍ ଜାମ୍‌ ଭଳି ସ୍ଥିତି ଉପୁଜେ। ବହୁ ସ୍ଥାନରେ ମହିଳାମାନେ ନିଜକୁ ରୋଗିଣା ଭଳି ଦେଖାଇ ହୋଇ ଭିକ ମାଗନ୍ତି। କାଖରେ ଛୋଟ ପିଲାଙ୍କୁ ଧରି ଗାଡ଼ି ଆଗକୁ ମାଡ଼ି ଆସନ୍ତି। ମାତ୍ର ଅସଲରେ ସେମାନେ ସେମିତି ଅସୁସ୍ଥ ନ ଥାଆନ୍ତି। ରୁପାଲି ଛକ, ନାଲ୍‌କୋ ଛକ ଭଳି ରାଜଧାନୀର ପ୍ରମୁଖ ଛକରେ ଏମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଏମାନେ କେତେବେଳେ ବେପାରୀ ଓ କେତେବେଳେ ଭିକାରି ବେଶ ଧାରଣ କରୁଛନ୍ତି, ଜାଣିବା ମୁସ୍କିଲ। ତେଣୁ ଏମାନଙ୍କୁ ନା ଭିକାରିରେ ଗଣି ହେଉଛି ନା ବେପାରୀ ବୋଲି ଗ୍ରହଣ କରାଯାଉଛି। ତେଣୁ ଭୁବନେଶ୍ବରରେ ଉପୁଜିଥିବା ଏହି ଟ୍ରାଫିକ୍‌ ସମସ୍ୟା ପଛରେ ଉକ୍ତ ବ୍ୟବସାୟୀମାନ‌ଙ୍କ ହାତ ରହୁଥିଲେ ହେଁ ସେମାନଙ୍କୁ କେହି ଜାଣିବା ସମ୍ଭବ ହୁଏ ନାହିଁ। ‌ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ଗଣନା ଅନୁଯାୟୀ ରାଜ୍ୟରେ ମୋଟ୍ ୪୧୨୮ଜଣ ପୁରୁଷ ଓ ୨୮୪୨ଜଣ ମହିଳା ଭିକାରି ରହିଛନ୍ତି। ରାଜ୍ୟରେ ଜଣେ ବି ଶିଶୁ ଭିକାରି ନୁହେଁ ବୋଲି ଗଣନା କରାଯାଇଛି। ମାତ୍ର ଭୁବନେଶ୍ବରରେ ବୁଲୁଥିବା ଶିଶୁ ଭିକାରି କେଉଁ ବର୍ଗରେ ଗଣା ହେବେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe