ଅନ୍ଧାରରେ ରାଜଧାନୀ ଉପକଣ୍ଠ, ଦୁଃଖ ବୁଝିବାକୁ କେହି ନାହିଁ

Advertisment
ଅନ୍ଧାରରେ ରାଜଧାନୀ ଉପକଣ୍ଠ, ଦୁଃଖ ବୁଝିବାକୁ କେହି ନାହିଁ

Telegraph India

ଚନ୍ଦ୍ରଶେଖରପୁର: ଫନିରେ ରାଜଧାନୀ ଉପକଣ୍ଠ ଗ୍ରାମାଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି। ଗ୍ରାମଗୁଡ଼ିକର ଶହ ଶହ ବର୍ଷର ବହୁମୂଲ୍ୟ ଗଛ ଉପୁଡ଼ି ଯାଇଛି। ଫଳରେ ଗାଁର ପରିଚୟ ଓ ସୌନ୍ଦର୍ଯ୍ୟରେ ଦେଖାଯାଇଛି ପରିବର୍ତ୍ତନ। ହେଲେ ବାତ୍ୟାର ସପ୍ତାହ ପରେ ମଧ୍ୟ ଗାଁରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରିନାହାନ୍ତି। ଗ୍ରାମର ଯୁବକମାନେ ନିଜ ହାତରେ କଟୁରି, କୁରାଢ଼ି ଧରି ରାସ୍ତା ଉପରେ ପଡ଼ିଥିବା ଗଛ, ଡାଳ କାଟି ସଫା କରିଛନ୍ତି। ରାସ୍ତାକଡ଼ର ଅଳିଆକୁ ପରିସ୍କାର କରିଛନ୍ତି। ହେଲେ ମେସିନ୍ କରତ କିମ୍ବା ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବରୁ ବଡ଼ ଗଛ ଡ଼ାଳ କଟାଯାଇ ପାରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ସରପଞ୍ଚଙ୍କୁ ଦୁଃଖ ଜଣାଇବା ପରେ ମଧ୍ୟ ଫଳ ଶୂନ। ଅପରପକ୍ଷରେ ବାତ୍ୟାର ସପ୍ତାହ ମଧ୍ୟରେ ସହର ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ଉପକଣ୍ଠ ଏବେ ବି ଅନ୍ଧାର। ଅନ୍ଧାରରେ ଗ୍ରାମବାସୀ ଆଉ କେତେ ଦିନ ବିତାଇବେ ତା’ର ଉତ୍ତର କାହା ପାଖରେ ନାହିଁ। ଉପକଣ୍ଠ ଗ୍ରାମବାସୀଙ୍କ ଦୁଃଖ ବୁଝିବାକୁ କେହି ନାହିଁ। କେଉଁଠାରେ ତାର ଛିଡ଼ିଛି ତ ପୁଣି କେଉଁଠାରେ ଟ୍ରାନ୍ସଫରମର୍ ଫାଟିଛି। ଅନେକ ସ୍ଥାନରେ ଖୁଣ୍ଟ ଉପୁଡ଼ି ଯାଇଛି ଓ ଭାଙ୍ଗି ଦୁଇ ଖଣ୍ଡ ହୋଇଛି। ଏମିତି ବିଦ୍ୟୁତ୍ ସମସ୍ୟା ଦେଖାଯାଇଥିଲେ ମଧ୍ୟ ଏଯାବତ୍ କୌଣସି ବିଦ୍ୟୁତ୍ କର୍ମଚାରୀ ଗ୍ରାମାଞ୍ଚଳ ବୁଲିବା ପାଇଁ ଆସି ନଥିବା ଅଭିଯୋଗ କରୁଛନ୍ତି ରାଜଧାନୀ ଉପକଣ୍ଠ ଗ୍ରାମବାସୀ। ଅପରପକ୍ଷରେ ଭାଙ୍ଗି ପଡ଼ିଥିବା ଖୁଣ୍ଟ ବାବଦକୁ ଘର ପିଛା ଚାନ୍ଦା ଆଦାୟ କରାଯାଇ ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫରମର ମରାମତି କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି। କଳାରାହାଙ୍ଗ, ବାଲିଅନ୍ତା, ନହରକଣ୍ଟା, ବରିମୁଣ୍ଡ, କଲ୍ୟାଣପୁର, ଦାଢ଼ା, ଚନ୍ଦକା, ପଥରଗାଡ଼ିଆ, ଦାରୁଠେଙ୍ଗ ଆଦି ପଞ୍ଚାୟତରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ସଂଧ୍ୟା ହେଲେ ବର୍ତ୍ତମାନ ଗ୍ରାମକୁ ରାସ୍ତା ପାଇବା କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ରାଜଧାନୀ ଉପକଣ୍ଠ ବାସିନ୍ଦା କେବେ ବିଜୁଳି ଆଲୋକ ପାଇବେ, ତାହାକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe