ଇଂରାଜୀରେ ଅନୁବାଦ ହେବ ପାଣିଙ୍କ ସାହିତ୍ୟ, ‘ଗଣକବିଙ୍କ ସୃଷ୍ଟିରେ ରହିଛି ଉତ୍କଳର ପ୍ରାଣ’

ଇଂରାଜୀରେ ଅନୁବାଦ ହେବ ପାଣିଙ୍କ ସାହିତ୍ୟ, ‘ଗଣକବିଙ୍କ ସୃଷ୍ଟିରେ ରହିଛି ଉତ୍କଳର ପ୍ରାଣ’

ଭୁବନେଶ୍ୱର: ସୃଜନର ପରିପ୍ରକାଶ ପାଇଁ କବିମାନଙ୍କୁ ଠାକୁର ଧରାବତରଣ କରାଇଥାନ୍ତି। ନିଜେ ଜଳି ସେମାନେ ଜ୍ଞାନ ରୂପକ ଆଲେ‌ାକରେ ସମାଜକୁ ଆଲୋକିତ କରାନ୍ତି। କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶକୁ ଜ୍ଞାନାଲୋକରେ ପଥପ୍ରଦର୍ଶନ କରାଇଥିବା ସୃଜନ ପ୍ରତିଭା ହେଉଛନ୍ତି ଗଣକବି ବୈଷ୍ଣବ ପାଣି। ତାଙ୍କ ସୃଷ୍ଟିରେ ଉତ୍କଳର ପ୍ରାଣ ରହିଛି। ତାଙ୍କର ସମସ୍ତ ଅପ୍ରକାଶିତ ସୃଷ୍ଟି ପ୍ରକାଶିତ ହେଲେ, ତାହା ହିଁ ଏହି ବିରଳ ପ୍ରତିଭାଙ୍କ ପ୍ରତି ସମୁଚିତ ସମ୍ମାନ ହେବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଆଜି ସନ୍ଧ୍ୟାରେ ଇଡିକଲ୍‌ ଅଡିଟୋରିୟମ ପରିସରରେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଗଣକବିଙ୍କର ୧୩୭ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିବା ସହ ସମସ୍ତ ପ୍ରକାରର ସହଯୋଗ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ତଥା ସ୍ମୃତି ସଂସଦ ସଭାପତି ପ୍ରତାପ ଜେନା ସଭାପତିତ୍ବ କରିବା ଅବସର‌ରେ କହିଥିଲେ, ଗୀତିନାଟ୍ୟର ସୃଷ୍ଟି କର୍ତ୍ତା ବୈଷ୍ଣବ ପାଣିଙ୍କ ସାହିତ୍ୟ କେବଳ ମନୋରଞ୍ଜନ ପାଇଁ ନ ଥିଲା, ବରଂ ପ୍ରାକ୍‌ ସ୍ବାଧୀନତା କାଳରେ ଜନ ଆନ୍ଦୋଳନ ସୃଷ୍ଟି କରୁଥିଲା। ନାଟକ ଆୟୋଜନ କରିବା କଥା ଉଠିଲେ ଇଂରେଜ ସରକାର ୧୪୪ ଧାରା ଜାରି କରୁଥିଲେ। ତାଙ୍କର ଅନେକ ଲେଖା ଏବେ ବି ଅପ୍ରକାଶିତ ହୋଇ ରହିଛି। ତାହା ପ୍ରକାଶ କରାଯିବ। ତା’ ଛଡ଼ା ତାଙ୍କର ଲେଖା କେବଳ ଓଡ଼ିଆଙ୍କ ପାଇଁ ନୁହେଁ, ବରଂ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ଏହାର ଇଂରାଜୀ ଅନୁବାଦ କରାଯିବ ବୋଲି କହିଥି‌ଲେ।

ଏହି ଅବସରରେ ପୂର୍ବତନ ବାଚସ୍ପତି ଶରତ କରଙ୍କୁ ‘ମାହାଙ୍ଗା ଗୌରବ ସମ୍ମାନ’ ଓ କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କୁ ‘ଗଣକବି ସମ୍ମାନ’ ପ୍ରଦାନ କରାଯାଇଥିଲା। ସଂଯୋଜକ ଅବନୀ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶାଶ୍ବତୀ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ଶେଷରେ ବିନୋଦ ବିହାରୀ କଳା ପରିଷଦ ପକ୍ଷରୁ ଗଣକବି ବୈଷ୍ଣବ ପାଣିଙ୍କ ରଚିତ ‘ଦକ୍ଷ ଯଜ୍ଞ’ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ସଂସଦର କର୍ମକର୍ତ୍ତା ରଜନୀକାନ୍ତ ପରିଡ଼ା, ପ୍ରମୋଦ ମିଶ୍ର, ତପନ ପଟ୍ଟନାୟକ, ଦେବଜ୍ୟୋତି ଦାସ, ପ୍ରତାପ ନାୟକ, କିଶୋର ଚନ୍ଦ୍ର ସିଂହ, ନିରଞ୍ଜନ ପ୍ରଧାନ, ହୃଷୀକେଶ ବେହୁରା, ମାନସ ବିଶ୍ବାଳ, ଶରତ ରାଉତ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସୁଚିତ୍ରା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe