ଭୁବନେଶ୍ବର: ପୌରସଂସ୍ଥାଗୁଡ଼ିକର ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ମ୍ୟୁନିସିପାଲ ପ୍ରିମିୟର୍ ଲିଗ୍(ଏମ୍ପିଏଲ୍)କୁ ଅଭୂତପୂର୍ବ ସଫଳତା ମିଳିଛି। କରୋନା କଟକଣା ସତ୍ତ୍ବେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ରାଜସ୍ବ ଆଦାୟ ୧୫ ପ୍ରତିଶତ ଅଧିକ ରହିଛି। ଆଜିଠାରୁ ଏମ୍ପିଏଲ୍-୩ ଆରମ୍ଭ ହୋଇଛି। ଏଥିରେ ମଧ୍ୟ ରାଜସ୍ବ ଆଦାୟ ରେକର୍ଡ ପରିମାଣ ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏମ୍ପିଏଲ୍-୩ର ଉଦ୍ଘାଟନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହା କହିବା ସହ ଏମ୍ପିଏଲ୍-୧ ଓ ୨ରେ ଉତ୍ସାହଜନକ ରାଜସ୍ବ ଆଦାୟ କରିଥିବା ପୌରସଂସ୍ଥାମାନଙ୍କୁ ପୁରସ୍କୃତ କରିଛନ୍ତି। ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍ ସବୁଠାରୁ ଅଧିକ ରାଜସ୍ବ ଆଦାୟ କରି ଏମ୍ପିଏଲ୍-୧ର ବିଜେତା ହୋଇଥିବା ବେଳେ ବୁଗୁଡ଼ା ଏନ୍ଏସି ବଡ଼ ବଡ଼ ପୌରସଂସ୍ଥାଙ୍କୁ ପଛରେ ପକାଇ ଏମ୍ପିଏଲ୍-୨ ବିଜେତା ହୋଇଛି। ଏମ୍ପିଏଲ୍-୨ରେ ମହାନଗର ନିଗମ କାଟାଗୋରିରେ ବ୍ରହ୍ମପୁର ପୁରସ୍କୃତ ହୋଇଥିବା ବେଳେ ପୌରସଂସ୍ଥା କାଟାଗୋରିରେ ପାରାଦୀପ ଓ ଏନ୍ଏସି କାଟାଗୋରିରେ ବୁଗୁଡ଼ା ପୁରସ୍କୃତ ହୋଇଛି।
ଏହି ବିଜେତାମାନଙ୍କୁ ପୁରସ୍କୃତ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ୨୦୨୦ ଫେବ୍ରୁଆରିରେ ମ୍ୟୁନିସିପାଲ ପ୍ରିମିୟର ଲିଗ୍ ମାତ୍ର ୯ଟି ବଡ଼ ବଡ଼ ସହରକୁ ନେଇ ଆରମ୍ଭ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ୨୪% ଟିକସ ଆଦାୟ ବୃଦ୍ଧି ପାଇ ୧୦୪ କୋଟି ଟଙ୍କାରୁ ୧୨୩ କୋଟି ଟଙ୍କାରେ ପହଞ୍ଚିଥିଲା। ଏମ୍ପିଏଲ୍-୨.୦ ରେ ୨୦୨୦-୨୧ ଆର୍ଥିକ ବର୍ଷରେ କରୋନା କଟକଣା ସତ୍ତ୍ବେ ୧୫% ଟିକସ ଆଦାୟ ବୃଦ୍ଧି ପାଇ ୧୨୩କୋଟି ଟଙ୍କାରୁ ୧୪୧ କୋଟି ଟଙ୍କାରେ ପହଞ୍ଚିଥିଲା। ବର୍ତ୍ତମାନ ସମସ୍ତ ୧୧୪ ଗୋଟି ସହରାଞ୍ଚଳରେ ଏହି ଏମ୍ପିଏଲ୍ କାର୍ଯ୍ୟ କରୁଛି। ଏଥିରେ ୬୫୦ରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି। ୬୭ ମିସନ୍ ଶକ୍ତି ମହିଳା ସ୍ୱେଚ୍ଛାସେବୀ ସଙ୍ଗଠନ ମଧ୍ୟ ପ୍ରଥମଥର ପାଇଁ ଏଥିରେ ସାମିଲ ହୋଇଛନ୍ତି। ଏମ୍ପିଏଲ୍ ସମ୍ପୂର୍ଣ୍ଣ ଡିଜିଟାଲ ହୋଇଛି। ଏମ୍ପିଏଲ୍-୧.୦ ସମୟରେ ଡିଜିଟାଲ ଟିକସ ଆଦାୟ ବ୍ୟବସ୍ଥା ୪୩% ଥିବା ବେଳେ ଏମ୍ପିଏଲ୍-୨.୦ ରେ ଏହା ୮୫%କୁ ବୃଦ୍ଧି ପାଇଛି। ଏଣୁ ଏମ୍ପିଏଲ୍-୩ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ୧ ଓ ୨ର ରେକର୍ଡ ଭାଙ୍ଗିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥ୍ନନ୍ ଓ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ମଧ୍ୟ ଏହି ଏମ୍ପିଏଲ୍-୩ କିଭଳି ସଫଳ ହେବ, ସେ ନେଇ କର୍ମଚାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ତେବେ ଦୀପ ତଳ ଅନ୍ଧାର ଭଳି ଭୁବନେଶ୍ବର ମହାନଗର ନିଗମ ରାଜସ୍ବ ଆଦାୟରେ ବହୁ ପଛରେ ରହିଛି। ଏହି ପୁରସ୍କାର ପାଇଁ ପ୍ରତିଯୋଗିତା କରିପାରୁନାହିଁ।
Follow Us