କୃଷକଙ୍କ ଆୟ ଦ୍ୱିଗୁଣିତ ପାଇଁ ଜଳଜୀବ କୃଷିର ବିକାଶ ଅପରିହାର୍ଯ୍ୟ: କେନ୍ଦ୍ର ମନ୍ତ୍ରୀ

Advertisment

ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ କଂଗ୍ରେସ ଉଦ୍‌ଘାଟିତ

ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ କଂଗ୍ରେସ ଉଦ୍‌ଘାଟିତ

କୃଷକଙ୍କ ଆୟ ଦ୍ୱିଗୁଣିତ ପାଇଁ ଜଳଜୀବ କୃଷିର ବିକାଶ ଅପରିହାର୍ଯ୍ୟ: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ବ୍ୟବସ୍ଥା ସାଙ୍ଗକୁ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଜଳଜୀବ କୃଷିର ବିକାଶ କ୍ଷେତ୍ରରେ ସମନ୍ୱିତ ଉଦ୍ୟମ ଅପରିହାର୍ଯ୍ୟ। ତିନିଦିନିଆ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ (ପାଫ୍‌) କଂଗ୍ରେସର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହା କହିଛନ୍ତି।

ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଜଳଜୀବ କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ମଧୁର ଓ ଲୁଣି ଜଳଜୀବ ଚାଷ ସଂଲଗ୍ନ ବୈଷୟିକ ଜ୍ଞାନଗୁଡ଼ିକ ସମ୍ପର୍କରେ ସାଧାରଣ ମତ୍ସ୍ୟଚାଷୀମାନଙ୍କୁ ତାଲିମ ମଧ୍ୟ ଦିଆଯିବା ଦରକାର। ବ୍ଲକ୍‌ସ୍ତରରେ ଘରୋଇ ଓ ସରକାରୀ ସହଭାଗିତାରେ ଏଭଳି ତାଲିମ୍‌ ପ୍ରତିଷ୍ଠାନମାନ ଖୋଲା ଗଲେ ଜଳଜୀବ ଉତ୍ପାଦନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆସିବା ସହ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡ‌ରେ ମଧ୍ୟ ଉନ୍ନତି ଘଟିବ। ଆଇସିଏଆର-ସିଫାର ନିର୍ଦ୍ଦେଶକ ଡ. ବି.ଆର୍‌ ପିଲ୍ଲାଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ଆଧୁନିକ ଜଳଜୀବ କୃଷିର ଜନକ ଭାବେ ପରିଚିତ ଡ. ଟି.ଭି.ଆର ପିଲ୍ଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ (ପାଫ୍‌) କଂଗ୍ରେସ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇସିଏଆରର ଉପମହାନିର୍ଦ୍ଦେଶକ ଡ. ଜେକେ ଜେନା ଯୋଗ ଦେଇ କହିଥିଲେ, ଭବିଷ୍ୟତର ଜଳଜୀବ କୃଷି ଜ୍ଞାନ ଆଧାରିତ ହେବା ଆବଶ୍ୟକ। କାରଣ ଉତ୍ପାଦନ ବୃଦ୍ଧି ସହିତ ଦିନକୁ ଦିନ ନିରାପଦ ତଥା ଉନ୍ନତମାନର ଖାଦ୍ୟର ଚାହିଦା ବୃଦ୍ଧି ପାଉଛି। ପ୍ରତିଷ୍ଠାନର ଏବିଆଇ ସୁବିଧାକୁ ସିଫାର ପ୍ରତିଷ୍ଠାତା ଡ. ଭିଆରପି ସିହ୍ନାଙ୍କ ନାମରେ ନାମିତ କରିବା ଲାଗି ଏହି ଅବସରରେ ଡ. ଜେନା ଘୋଷଣା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ ଅଗ୍ରୱାଲ ଚାଷୀମାନଙ୍କୁ ନୀତିଗତ ସହାୟତା ଦେବା ଲାଗି ଆହ୍ୱାନ କରିଥିଲେ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସଚିବ ଆର୍‌. ରଘୁପ୍ରସାଦ, ପିଏଏଫର ସଚିବ ଡ. ପି. କେଶବନାଥ, ଏଓଏର ସମ୍ପାଦକ ଡ. ପି. ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମତ ଉପସ୍ଥାପନ କରିଥିଲେ। ଶେଷରେ ପ୍ରମୁଖ ବୈଜ୍ଞାନିକ ତଥା ସହ ସମ୍ପାଦକ ଡ. ଏସ କେ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମଧୁର ଓ ଲୁଣି ଜଳଜୀବ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସିଫାର ସ୍ମରଣିକା ଓ ଅନ୍ୟାନ୍ୟ ପୁସ୍ତିକା ସହିତ ଦୁଇଟି ମୋବାଇଲ୍‌ ଆପ୍, ‘ଇଣ୍ଡ ଆକ୍ୱା’ ଓ ‘ଟ୍ରିଟ୍‌ ମାଇ ଫିସ’ ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe