ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ଏବେ ଅସଲ ଲଢ଼େଇ

Advertisment
ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ଏବେ ଅସଲ ଲଢ଼େଇ

ଭୁବନେଶ୍ବର: ଆଜି ପାଗ ଖୋଲିବା ପରେ ଖଣ୍ଡଗିରି ମୁହାଁ ହୋଇଛନ୍ତି ଯାତ୍ରା ପ୍ରେମୀ। ଏକକାଳୀନ ୬ଟି ମଞ୍ଚରେ ଯାତ୍ରା ମଂଚସ୍ଥ ହେଉଥିବାରୁ ବିଳମ୍ବିତ ରାତି ଯାଏ ଖଣ୍ଡଗିରି ଅଞ୍ଚଳରେ କୋଳାହଳ ଭରି ଯାଇଥିଲା। ଯାତ୍ରା ରସିକମାନେ ବି କିଏ ପ୍ରଥମେ କେଉଁ ନାଟକ ଦେଖିବାକୁ କେଉଁ ପାର୍ଟିର ଯାତ୍ରା ଦେଖିବେ ସେନେଇ ଦ୍ବନ୍ଦ୍ବରେ ପଡ଼ୁଥିଲେ। ପ୍ରଥମତଃ ଆଜି ୫ଟି ନୂଆ ଯାତ୍ରା ଦଳ ମଇଦାନକୁ ଓହ୍ଲାଇଥିବା ବେଳେ ସମସ୍ତ ଦଳରେ ହେଭିୱେଟ୍‌ ଅଭିନେତା ଅଭିନେତ୍ରୀ ଥିବାରୁ ସମସ୍ତ ପ୍ରେକ୍ଷାଳୟ ଭରପୂର ହୋଇଯାଇଥିଲା। ସବୁବର୍ଷ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଜମାଣକୁ ଦର୍ଶକଙ୍କ ନଜର ଥିବାରୁ ଆଜି ବିପୁଳ ଦର୍ଶକଙ୍କ ସୁଅ ଛୁଟିଥିଲା।

ରାଜଧାନୀ ଅପେରାରେ ଯାତ୍ରା ସୁପରଷ୍ଟାର ପ୍ରତାପ ଓ ନରି ପଣ୍ଡାଙ୍କ ଅଭିନୟ ଦେଖିବା ପାଇଁ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜଧାନୀ ଅପେରା ଆଜି ପ୍ରଥମ ରଜନୀରେ ତା’ର ଚର୍ଚ୍ଚିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ନାଟକ ମଂଚସ୍ଥ କରିଥିବା ବେଳେ ନାଟକର ବଳିଷ୍ଠ କାହାଣୀ ଦର୍ଶକଙ୍କ ମନ ଜିଣି ନେଇଛି। ମହତାବ ପେଣ୍ଡାଲରେ ମଧ୍ୟ ଏକ ଭିନ୍ନ ସ୍ବାଦର ନାଟକ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ନାଟକ ମଂଚସ୍ଥ କରିଛି ତୁଳସୀ ଗଣନାଟ୍ୟ। ଏଥିରେ ହୃଷୀ, ଜୁଲି ପଣ୍ଡା, କଣ୍ଢେଇଙ୍କ ଅଭିନୟ ମନ କିଣି ନେଇଛି। ଏହା ବ୍ୟତୀତ ମେଲୋଡିରେ ମନ ଜିଣିଛି ଅପେରା ସୂର୍ଯ୍ୟମନ୍ଦିର। ଜାଗମରା‌ କେସିଏ ପଡ଼ିଆ ୨ରେ ‌‌ସୂର୍ଯ୍ୟମନ୍ଦିରର କଳାକାରଙ୍କ ମେଲୋଡ଼ି ଓ ଆଲୋକସଜାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ଏଥିସହ ସୂର୍ଯ୍ୟମନ୍ଦିର ନାଟକ ‘ମାୟାବିନୀ ମୌସୁମୀ’ ମଂଚସ୍ଥ କରିଥିବା ବେଳେ ଏଥିରେ କିଛି ଧାରାବାହିକ ଅଭିନେତାଙ୍କ ସମେତ ନାମକରା ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ତଡ଼କା ଦେଖିବାକୁ ମିଳିଛି। କଳିଙ୍ଗ ଗଣନାଟ୍ୟ ଯିବା ପରେ କଳିଙ୍ଗ ପେଣ୍ଡାଲ୍‌କୁ ଆସିଥିବା ଶିବାନୀ ଗଣନାଟ୍ୟ ତା’ର ଏ ବର୍ଷର ଚର୍ଚ୍ଚିତ ନାଟକ ‘ରଙ୍ଗ ଲଗେଇଛ ରଙ୍ଗ ନାଗରୀ’ ନାଟକ ମଂଚସ୍ଥ କରି ଦର୍ଶକଙ୍କ ମନ ଜିଣିଛି। ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା କେସିଏ ପଡ଼ିଆରେ ସ୍ବପ୍ନ ମହଲ ପରେ ଆଜି ନାଟକ ମଂଚସ୍ଥ କରିଛି ‘ରଙ୍ଗମହଲ’। ଆଜି ରାତିରେ ‘ମୁଁ ସେଇ ଭଦ୍ରକିଆ ଟୋକା’ ନାଟକ ମଂଚସ୍ଥ କରିଛି। ଆଜି ପରେ ଆସନ୍ତାକାଲି ମଧ୍ୟ ସେଇ ସମାନ ନାଟକ ମଂଚସ୍ଥ ହେବ ବୋଲି ନାଟକ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe