ଗଣମାଧ୍ୟମର ପ୍ରମୁଖ ବିଷୟକୁ ନେଇ ପ୍ରତିଷ୍ଠା ହେବ ଅଭିଲେଖାଗାର

Advertisment
ଗଣମାଧ୍ୟମର ପ୍ରମୁଖ ବିଷୟକୁ ନେଇ ପ୍ରତିଷ୍ଠା ହେବ ଅଭିଲେଖାଗାର

ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସତ୍ୟଶୀଳ, ନିରପେକ୍ଷ ଓ ପ୍ରତିବଦ୍ଧ ଗଣମାଧ୍ୟମ ଆମ ଗଣତନ୍ତ୍ରକୁ ଦୃଢ଼ କରିଛି। ଦାୟିତ୍ବବାନ୍‌ ଗଣମାଧ୍ୟମ ସର୍ବଦା ଜନମତକୁ ଜାଗ୍ରତ କରିବା ସହିତ ଦେଶର ବିକାଶ ଯାତ୍ରାକୁ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଥିଲେ।

ବିଭାଗୀୟ ଶାସନ ସଚିବ ସଂଜୟ କୁମାର ସିଂହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ସାମାଜିକ ଗଣମାଧ୍ୟମରେ ସକ୍ରିୟ ହେବା ପରେ ଏଥିରେ ସକ୍ରିୟ ଥିବା ନାଗରିକମାନେ ଜଣେ ଜଣେ ସାମ୍ବାଦିକରେ ପରିଣତ ହୋଇଛନ୍ତି। ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରମୁଖ ବିଷୟଗୁଡ଼ିକୁ ନେଇ ଏକ ଅଭିଲେଖାଗାର ପ୍ରତିଷ୍ଠା ପାଇଁ ପରିକଳ୍ପନା ରହିଛି ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଗଣମାଧ୍ୟମର ସ୍ବର ଚାପି ଦେଲେ ଗଣତନ୍ତ୍ରରେ ଏକଛତ୍ରବାଦ ସୃଷ୍ଟି ହୁଏ। ତେଣୁ ଗଣମାଧ୍ୟମର ଅପବ୍ୟବହାର କରିବା ଉଚିତ୍‌ ନୁହେଁ। ‘ସମ୍ବାଦ ପରିବେଷଣ-ବ୍ୟାଖ୍ୟାନ: ଏକ ଅଭିଯାନ’ ଉପରେ ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ବିଭାଗୀୟ ନିର୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସୁଭାଷ ସୂପକାର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe