ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଘରୋଇ ବିଦ୍ୟାଳୟକୁ ବିଦ୍ୟାଳୟ ଚିହ୍ନଟ ପ୍ରମାଣପତ୍ର (ସିଓଆର୍) ପ୍ରଦାନ ନେଇ ଦେଖା ଦେଇଥିବା ବିବାଦ ଘନେଇବାରେ ଲାଗିଛି। ତିନି ଦିନ ତଳେ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରୁ ବାଦ୍ ଦିଆଯାଇଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତଥାପି ସମସ୍ୟାର କୌଣସି ସମାଧାନ ହୋଇନଥିଲା। ଏହାର ପ୍ରତିବାଦରେ ଆଜି ପୂର୍ବାହ୍ନରେ ପୁଣିଥରେ ଭୁବନେଶ୍ୱର, ବାଲିପାଟଣା, ବାଲିଅନ୍ତା, ଜଟଣୀ ଅଞ୍ଚଳରେ ଥିବା ଶତାଧିକ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ପୂର୍ବାହ୍ନରେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରାୟ ଘଣ୍ଟାଏ ଧରି ସେମାନେ ଧାରଣା ଦେଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ଦେଖା ମିଳିନଥିଲା। ଯେଉଁଥିପାଇଁ ସେମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ ପ୍ରଣୀତ ଆଇନ ବ୍ୟବସ୍ଥାକୁ ପୂରଣ କରୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଓଆର ପାଇନାହାନ୍ତି। ବରଂ ବିଭିନ୍ନ ଆଳ ଦେଖାଇ ଘରୋଇ ବିଦ୍ୟାଳୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ କରୁଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ଅନୁପସ୍ଥିତ ଥିବାରୁ ସେମାନେ ଫେରି ଆସି ପୁଣିଥରେ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଭେଟିଥିଲେ। ନିର୍ଦେଶକ ଦାବିଗୁଡ଼ିକ ଶୁଣିବା ସହ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କହିଥିଲେ। ବୁଧବାର ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ(ଅପୋସା)ର କର୍ମକର୍ତ୍ତା ମନ୍ତ୍ରୀଙ୍କୁ ଭେଟିବେ ବୋଲି ସଂଘର ମୁଖ୍ୟ ଉପଦେଷ୍ଟା ଅଜିତ୍ କୁମାର ଦାସ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us