ଗୋଷ୍ଠୀ ସଂକ୍ରମଣ ଭୟରେ ଆତଙ୍କିତ କଳିଙ୍ଗନଗର (କେ-୮) ବାସିନ୍ଦା

Advertisment

Residents of Kalinganagar (K-8), terrified of group infections

Residents of Kalinganagar (K-8), terrified of group infections

ଗୋଷ୍ଠୀ ସଂକ୍ରମଣ ଭୟରେ ଆତଙ୍କିତ କଳିଙ୍ଗନଗର (କେ-୮) ବାସିନ୍ଦା

ଭୁବନେଶ୍ବର: କୋଭିଡ୍‌ ସଂକ୍ରମଣ ରାଜଧାନୀରେ କାୟା ମେଲାଇ ଚାଲିଛି। ଏହି ପରିପ୍ରେକ୍ଷୀରେ କଳିଙ୍ଗ ନଗର (କେ-୮) ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଆବାସିକ ଅଞ୍ଚଳରେ ହୋଟେଲ୍‌, ଅତିଥି ଭବନ, ଓୟୋ ଓ ଦେୟଯୁକ୍ତ କୋଭିଡ୍‌ ଆଇସୋଲେସନ ଗୃହ ଚଳାଉଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖା ଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏ ଅଞ୍ଚଳରେ ରହୁଥିବା ଅଧିକାଂଶ ବାସିନ୍ଦା ବରିଷ୍ଠ ନାଗରିକ। ଏସବୁ ସତ୍ତ୍ବେ ଆବାସିକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଏଠାରେ ଆଇସୋଲେସନ୍‌ ଗୃହ ଚଳାଇବାରୁ ବାସିନ୍ଦାମାନେ ଭୟରେ ଦିନ କାଟୁଛନ୍ତି। ଘରୁ ବାହାରିବାକୁ ଭୟ କରୁଛନ୍ତି।

ଏନେଇ କଳିଙ୍ଗନଗର (କେ-୮) ଆବାସିକ ଉନ୍ନୟନ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ, ବିଏମ୍‌ସି କମିସନରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଓୟୋ ଦ୍ବାରା ପରିଚାଳିତ କୋଭିଡ୍‌ ଆଇସୋଲେସନ ଗୃହକୁ ବିରୋଧ କରାଯାଇଛି। ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତି କହିଛନ୍ତି, ଆବାସିକ ଅଞ୍ଚଳ ମଧ୍ୟରେ କାମ କରୁଥିବା ଶ୍ରମିକମାନେ ବିନା ମାସ୍କରେ ଦଳଦଳ ହୋଇ ବୁଲିବା ସହ ଖୋଲାରେ ମଳତ୍ୟାଗ କରୁଛନ୍ତି। ପ୍ରଶାସନ ପକ୍ଷରୁ ଘରଘର ବୁଲି ସର୍ବେକ୍ଷଣ ଏଠାରେ ପ୍ରହସନରେ ପରିଣତ ହୋଇଛି। ଏଣେ କରୋନା ସଂକ୍ରମିତ ଚିହ୍ନଟ ପ୍ଲଟ୍‌କୁ ବିଶୋଧନ କଲା ପରେ ମଧ୍ୟ ବିଏମ୍‌ସି ଦ୍ବାରା ପ୍ରଣିତ ନିୟମ ଲାଗୁ କରିବାରେ ଅହେତୁକ ବିଳମ୍ବ କରାଯାଉଛି। ଫଳରେ ଏଠାରେ ଗୋଷ୍ଠୀ ସଂକ୍ରମଣ ହେବା ନେଇ ଅନ୍ତେବାସୀଙ୍କ ଚିନ୍ତା ବଢ଼ିଯାଇଛି। ଶ୍ରୀ ମହାନ୍ତି କହିଛନ୍ତି, ଏ ଅଞ୍ଚଳରେ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତ। ତେଣୁ ବିଏମ୍‌ସି ଏହାର ଗୁରୁତ୍ବକୁ ଉପଲବ୍ଧି କରି ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe