ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାର ରାସ୍ତା କଥା ଭୁଲିଗଲେ: ଏବେ ଲୁହା ପ୍ଲେଟ୍‌ ଭରସା‌

Advertisment
ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାର ରାସ୍ତା କଥା ଭୁଲିଗଲେ: ଏବେ ଲୁହା ପ୍ଲେଟ୍‌ ଭରସା‌

ଚନ୍ଦ୍ରଶେଖରପୁର: ସପ୍ତାହେ କି ମାସେ ନୁହେଁ। ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ହୋଇପାରୁନି। ପ୍ରଥମେ ଲୁହା ପାଇପ୍‌ ସହାୟତାରେ ଲୋକେ ଡ୍ରେନ୍‌ ଏ ପାଖରୁ ସେପାଖକୁ ଯିବା ଆସିବା କରୁଥିଲେ। ଏ ସମ୍ପର୍କରେ ‌ଫେବ୍ରୁଆରି ୨୬ରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପ୍ରଶାସନର ନିଦ ଭାଙ୍ଗିଥିଲା ଏବଂ ବାଇକ୍‌ ଓ ପାଦଚଲା ଲୋକଙ୍କ ଲାଗି ବିକଳ୍ପ ରାସ୍ତା ସ୍ବରୂପ ଲୁହା ପ୍ଲେଟ୍‌ ପକାଇ ବାଟ କରାଗଲା। ଦେଢ଼ ମାସ ହେଲା ପ୍ରଶାସନ ସେଠାରେ ହିଁ ଅଟକି ରହିଯାଇଛି।

ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆଉ କୌଣସି ପଦକ୍ଷେପ ନ ନେଇ ‌ଲୋକଙ୍କ ଜୀବନକୁ ବାଜିରେ ଲଗାଇ ନିଘୋଡ଼ ନିଦରେ ‌ଶୋଇ ପଡ଼ିଛି। ଦେଢ଼ ମାସ ମଧ୍ୟରେ ଅଢ଼େଇ ଫୁଟର ଲୁହା ପ୍ଲେଟ୍‌ରୁ କେହି ତଳକୁ ଖସି ପଡ଼ିନାହାନ୍ତି ସତ, ମାତ୍ର ପ୍ରତିଦିନ ୫ରୁ ୬ଜଣ ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ସନ୍ଧ୍ୟା ସମୟର ଅବସ୍ଥା ନ କହିବା ଭଲ। ରାସ୍ତା ଅନ୍ଧାର ହୋଇଥିବାରୁ ବାଇକ୍‌ ଚାଳକ ନୀଳାଦ୍ରିବିହାର ପାର୍ଶ୍ବ ସଂଯୋଗକାରୀ ରାସ୍ତାରେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।

ନୀଳାଦ୍ରିବିହାରରୁ ଚନ୍ଦ୍ରଶେଖରପୁରକୁ ଚାଲି ଚାଲି ଆସୁଥିବା ଓ ବାଇକ୍‌ ଚାଳକଙ୍କ ଲାଗି ବିକଳ୍ପ ରାସ୍ତା ହୋଇଥିଲେ ମଧ୍ୟ ଗାଡ଼ି ଚାଳକମାନେ ଅଢ଼େଇ ମାସ ହେଲା ହୀନସ୍ତା ଭୋଗୁଛନ୍ତି। ଅଢ଼େଇ କିମି ବୁଲି ବୁଲି ରାସ୍ତା ଏପାଖରୁ ସେପାଖକୁ ଯାଉଛନ୍ତି। କାମ ଚାଲିଥିବା ନେଇ ଉଭୟ ରାସ୍ତାର ଦୁଇ ପାର୍ଶ୍ବରେ ଲଗାଯାଇଥିବା ପୋଷ୍ଟର ଇତି ମଧ୍ୟରେ ନଷ୍ଟ ହୋଇଗଲାଣି। ଯେଉଁଥିପାଇଁ କାର୍‌ ଚାଳକ ଭାଙ୍ଗିଥିବା ପୋଲ ନିକଟକୁ ଯାଇ ପୁଣିଥରେ ପଛକୁ ଫେରୁଛନ୍ତି। ନିର୍ମାଣଧୀନ ପୋଲ ନିକଟରେ ନୀଳାଦ୍ରିବିହାର ହାଟ ରହିଥିବାରୁ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି।

ଦୈନିକ ଯେଉଁ ହିସାବରେ ବ୍ୟବସାୟ ହେଉଥିଲା, ତାହା ବହୁ ପରିମାଣରେ ପ୍ରଭାବିତ ହୋଇଛି। ମାଛ, ମାଂସ ମାର୍କେଟ ଏଠାରେ ରହୁଥିବାରୁ ବୁଧବାର, ଶୁକ୍ରବାର ଓ ଗୁରୁବାର ଲୋକଙ୍କୁ ହିନସ୍ତା ହେବାକୁ ପଡ଼ୁଛି। ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏଭଳି ଭିଡ଼ ହେଉଛି ଯେ ଚଢ଼ା‌ମଢ଼ା ହୋଇ ଲୋକେ ଯିବା ଆସିବା କରୁଛନ୍ତି।

ପୋଲ ନିର୍ମାଣରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେମାନଙ୍କ ଅଭିଯୋଗ ହେଉଛି ଯେ ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ହଜାରହଜାର ଲୋକେ ହିନସ୍ତା ଭୋଗୁଛନ୍ତି। ଯଦି ଘରୋଇ ଜାଗା ରହିଥିଲା,‌ ପ୍ରଶାସନ ଆଗରୁ ଜାଣିପାରିଲା ନାହିଁ କେମିତି? ଯିବା ଆସିବା ଲାଗି ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। ଏଭଳି ଅଧାପନ୍ତରିଆ କାମ ଆଦୌ ଠିକ୍‌ ନୁହେଁ। ଏବେ ଜନପ୍ରତିନିଧି ନିର୍ବାରିତ ହେଉଥିବାରୁ ସେମାନେ ବି ସ୍ବର ଉଠାଇବା ଦରକାର। ଯେତେଶୀଘ୍ର ସମ୍ଭବ ରାସ୍ତା ସମସ୍ୟାର ସମାଧାନ କରାଯାଉ। ନ ହେଲେ ଆଗାମୀ ଦିନରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ।

publive-image

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କୋର୍ଟରେ ମାମଲା ହୋଇଥିବା ଦର୍ଶାଇ ତଳତଳିଆ ବାବୁମାନେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ନିର୍ମାଣ ହେବାକୁ ଥିବା ପୋଲ ଯେଉଁ ଲୋକର ଜମି ରହିଛି ସେ ଧରାଛୁଆଁ ଦେଉନାହାନ୍ତି। କ୍ଷତିପୂରଣ ବାବଦରେ ତାଙ୍କୁ ଜମି ବାବଦରେ ଅର୍ଥ ଦେବାକୁ ଆମେ ପ୍ରସ୍ତୁତ ରହିଛୁ। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଅର୍ଥ ନେବାକୁ ରାଜି ହେଉନାହାନ୍ତି। ଜମି ବଦଳରେ ଜମି ନେବାକୁ ଦାବି କରୁଛନ୍ତି। ତେଣୁ ଏନେଇ ଆମେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନଙ୍କୁ ଅବଗତ କରାଇଛୁ। ସେମାନେ ଯାହା କିଛି ପଦକ୍ଷେପ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe