ଦୃଷ୍ଟିହୀନ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ପ୍ରେମିକ ସହ ଫେରାର୍‌

Advertisment
ଦୃଷ୍ଟିହୀନ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ପ୍ରେମିକ ସହ ଫେରାର୍‌

Photo by : flashwallpapers.com

ଖଣ୍ଡଗିରି : ଭଲ ପାଇ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ। ସାତ ଜନମ ପାଇଁ ଜୀବନ ସାଥୀ ହୋଇ ରହିବେ ବୋଲି ପ୍ରତିଜ୍ଞା କରିଥିଲେ। କିନ୍ତୁ ସାତ ବର୍ଷରେ ସବୁ କିଛି ବଦଳିଗଲା। ଦୃଷ୍ଟିହୀନ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ଫେରାର୍‌ ହୋଇଯାଇଛନ୍ତି ସ୍ତ୍ରୀ। କାଳେ କିଛି ଅଘଟଣ ଘଟିବ ବୋଲି ଆଶଙ୍କା କରି ବିଚରା ସ୍ୱାମୀ ଏବେ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ନିଖୋଜ ସ୍ତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ ବି ତାଙ୍କ ପତ୍ତା ମିଳିନାହିଁ। ଘଟଣାଟି ଖଣ୍ଡଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖଣ୍ଡଗିରିବାରୀ ଅଞ୍ଚଳରେ ରହୁଛନ୍ତି ଗଞ୍ଜାମ ଅଞ୍ଚଳର ନୀଳାଚଳ। ବିଜେବି କଲେଜରେ ପଢ଼ିବାବେଳେ ତାଙ୍କ ସହପାଠିନୀ କେନ୍ଦ୍ରାପଡ଼ା ଅଞ୍ଚଳର ସୁଲି(ଛଦ୍ମନାମ)ଙ୍କୁ ସେ ଭଲ ପାଇ ବସିଥିଲେ। ନୀଳାଚଳଙ୍କୁ ମୋଟେ ଦେଖା ଯାଉ ନଥିବାବେଳେ ସୁଲିଙ୍କ ଦୃଷ୍ଟିଶକ୍ତି କିଛିଟା ଭଲ ଅଛି। ପଢ଼ିବା ସମୟରୁ ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ। ଯୁକ୍ତ ଦୁଇ ପରେ ନୀଳାଚଳଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଥିଲା, କିନ୍ତୁ ସୁଲି ଯୁକ୍ତ ତିନି ପାସ୍‌ କଲା ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ପରେ ଦୁଇ ପରିବାରର ସମ୍ମତିକ୍ରମେ ସେମାନେ ବିବାହ କରିଥିଲେ। ଏ ଭିତରେ ସାତ ବର୍ଷ ବିତିସାରିଥିଲା। କିନ୍ତୁ ଦୁର୍ଭାଗ୍ୟକୁ ସେମାନଙ୍କର କୌଣସି ସନ୍ତାନସନ୍ତତି ହୋଇନଥିଲେ। ତଥାପି ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟି ଚାଲିଥିଲା। ଗତବର୍ଷ ଏକ ସରକାରୀ ତାଲିମ୍‌ କାର୍ଯ୍ୟକ୍ରମରେ ନୀଳାଚଳଙ୍କୁ ଦିଲ୍ଲୀ ଯିବାକୁ ପଡ଼ିଥିଲା।

ସାଙ୍ଗରେ ସୁଲି ବି ଯାଇଥିଲେ। ସେଠାରେ ନୀଳାଚଳଙ୍କ ଜଣେ ବନ୍ଧୁଙ୍କ ଘରେ ସେମାନେ କିଛି ଦିନ ରହିଥିଲେ। ସେହି ଦିଲ୍ଲୀ ରହଣି ହିଁ ସେମାନଙ୍କ ସୁଖର ସଂସାରରେ ଫାଟ ସୃଷ୍ଟି କରିଥିଲା। ନୀଳାଚଳଙ୍କ କହିବା କଥା ଦିଲ୍ଲୀରେ ତାଙ୍କ ବନ୍ଧୁଙ୍କ ପଡ଼ୋଶୀଭାବେ ରହୁଥିବା ଜଣେ ଯୁବକଙ୍କ ସହ ସୁଲିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। କଥା ବି ପ୍ରଘଟ ହେଲା। କିନ୍ତୁ ନୀଳାଚଳ ସବୁ କଥାକୁ ପଛରେ ପକାଇ ଓଡ଼ିଶା ଫେରିଆସିଲେ। ମାତ୍ର ସୁଲିଙ୍କ ପ୍ରେମ ସେମାନଙ୍କ ପିଛା ଛାଡ଼ିନଥିଲା। ସେହି ପ୍ରେମିକ ଜଣଙ୍କ ସୁଲିଙ୍କୁ ପିଛା କରି ଦିଲ୍ଲୀରୁ ଭୁବନେଶ୍ୱର ଆସିଲେ ଓ ଦୁହେଁ ଲୁଚାଛପାରେ ପରସ୍ପରକୁ ଭେଟିବାକୁ ଲାଗିଲେ। ଫଳରେ ନୀଳାଚଳଙ୍କ ଘରେ ସବୁବେଳେ ଅଶାନ୍ତି ହେଲା। କଥା ହାତାହାତି ପର୍ଯ୍ୟନ୍ତ ଗଲା। ଶେଷରେ ବୁଧବାର ସକାଳୁ ସକାଳୁ ସୁଲି ଘର ଛାଡ଼ି ପଳାଇଲେ। ଏନେଇ ନୀଳାଚଳ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ସୁଲିଙ୍କ ନିଖୋଜ ହେବା ପଛରେ ନୀଳାଚଳଙ୍କ ଏହି ଅଭିଯୋଗ ସତ କି ମନଗଢ଼ା, ତାହା ଏବେ ବି ଅସ୍ପଷ୍ଟ। ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ସୁଲିଙ୍କ ପତ୍ତା ମିଳିବା ପରେ ନିଖୋଜ ରହସ୍ୟର ପର୍ଦାଫାସ୍‌ ହେବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe