ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଆପ୍: ରାଜ୍ୟରେ ଆପ୍‌ରୁ ୧୪୧ ଜିଲ୍ଲା ପରିଷଦ ପ୍ରାର୍ଥୀ

Advertisment
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଆପ୍: ରାଜ୍ୟରେ ଆପ୍‌ରୁ ୧୪୧ ଜିଲ୍ଲା ପରିଷଦ ପ୍ରାର୍ଥୀ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଆମ୍ ଆଦମୀ ପାର୍ଟି(ଆପ୍) ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟି ପକ୍ଷରୁ ଇସ୍ତାହାର ଘୋଷଣା କରାଯାଇଛି। ଆପ୍ ପଞ୍ଚାୟତ ନିର୍ବାଚନରେ ଜିତିଲେ, ପଞ୍ଚାୟତ ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ୨୫ଶହ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଆପ୍‌ ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ନିର୍ବାଚନ କମିସନ ତରବରିଆ ଓ ଭୁଲ୍‌ ସୂଚନା ଦେଇଛନ୍ତି। ଆପ୍ ପକ୍ଷରୁ ୩୨ ଜିଲ୍ଲା ପରିଷଦ ପ୍ରା‌ର୍ଥୀ ଦିଆଯାଇଥିବା ତଥ୍ୟ ଭୁଲ୍‌। ରାଜ୍ୟର ୩୦ ଜିଲ୍ଲାରେ ୧୪୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ଦିଆଯାଇଛି ବୋଲି ସେ କହିଛନ୍ତି। ରାଜ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ ସୂଚନା ଦେଇଛନ୍ତି ଯେ ଆପ୍ ନିର୍ବାଚନ ଜିତିଲେ ପଞ୍ଚାୟତସ୍ତରରେ ଗ୍ରାମ୍ୟ ଗଣତନ୍ତ୍ର ସୁଦୃଢ଼ କରିବ। ନିୟମିତ ପଞ୍ଚାୟତ ଓ ଗ୍ରାମସଭା ବୈଠକ ଅନୁଷ୍ଠିତ ହେବ। ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଗ୍ରାମସଭାରେ ହିଁ କରାଯିବ। ଗାଁ ହସ୍ପିଟାଲ ଓ ସ୍କୁଲ୍ ପରିଚାଳନାରେ ପଞ୍ଚାୟତର ଭାଗିଦାରୀ ବଢ଼ାଯିବ। ମଣ୍ଡିରେ ସେଡ୍ ପ୍ରସ୍ତୁତ କରାଯିବ। ବୁଣାକାର ଓ ମତ୍ସ୍ୟଜୀବୀଙ୍କ ପାଇଁ ପଞ୍ଚାୟତସ୍ତରରେ ଆବଶ୍ୟକ ଯୋଜନା ପ୍ରସ୍ତୁତ ଓ ବିଭିନ୍ନ ସରକାରୀ ଯୋଜନାକୁ ସଫଳ କରାଯିବ। ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭା ବୈଠକ, ବିଭିନ୍ନ ପ୍ରକଳ୍ପ ନିର୍ମାଣର ଗୁଣବତ୍ତା ପାଇଁ ଗ୍ରାମସଭାର ଅନୁମୋଦନ ପରେ ଠିକାଦାରକୁ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ଅନ୍ୟତମ ପ୍ରବକ୍ତା ଜୟସୂର୍ଯ୍ୟ କାନୁନ୍‌ଗୋ, ସୁବାଶିଷ ସ୍ବାଇଁ ଓ କଟକ ଜିଲ୍ଲା ପାର୍ଟି ଆବାହକ ଦୁର୍ଗା ପ୍ରସାଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe