ପଣ୍ତାକୁଦିଆ ନୂଆବସ୍ତିକୁ ବାତ୍ୟା ଚିନ୍ତା, ସ୍କୁଲ ପାଲଟିଲା ଆଶ୍ରୟସ୍ଥଳୀ

Advertisment
ପଣ୍ତାକୁଦିଆ ନୂଆବସ୍ତିକୁ ବାତ୍ୟା ଚିନ୍ତା, ସ୍କୁଲ ପାଲଟିଲା ଆଶ୍ରୟସ୍ଥଳୀ

ଖଣ୍ତଗିରି: ବିପଦ ପିଛା ଛାଡ଼ୁନି ପଣ୍ତାକୁଦିଆର ନୂଆ ବସ୍ତିବାସିନ୍ଦାଙ୍କୁ। ବିଶ୍ବ କପ୍‌ ହକି ପାଇଁ ମାତ୍ର ଗୋଟିଏ ସପ୍ତାହ ପୂର୍ବେ ବେଘର ହୋଇଥିବା ଏହି ବସ୍ତିବାସିନ୍ଦାମାନଙ୍କ ପାଇଁ ବଇରି ସାଜିଛି ବାତ୍ୟା ତିତ୍‌ଲି। ବାତ୍ୟା ପୂର୍ବର ବର୍ଷା ଆଜି ସେମାନଙ୍କୁ ବେହାଲ୍‌ କରି ଦେଇଛି। ପ୍ରଶାସନ ପକ୍ଷରୁ ଖାଇବା ଓ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧୢ ଅଧାଗଢ଼ା ଘର ଭିତରେ ସେମାନଙ୍କ ବହୁ ଜିନିଷପତ୍ର ବର୍ଷାରେ ଭିଜି ଭିଜି ନଷ୍ଟ ହୋଇଛି। ପ୍ରଶାସନର ପଲିଥିନ୍‌ ସେମାନଙ୍କ ସମ୍ପତ୍ତି ସୁରକ୍ଷା ଦେବାରେ ଯଥେଷ୍ଟ ହୋଇନାହିଁ। ତେଣୁ ଆଗକୁ ସମ୍ଭାବ୍ୟ ବାତ୍ୟାରେ ସେମାନେ ଆହୁରି କ୍ଷତି ସହିବେ ବୋଲି ଜଳଜଳ ଦିଶିଲାଣି।

ଆଜି ଦିମ ତମାମ୍‌ ବର୍ଷା ଲାଗି ରହିଥିବାରୁ ସେମାନେ ବଡ଼ ହନ୍ତସନ୍ତ ହୋଇଛନ୍ତି। ପଲିଥିନ୍‌ ତଳେ ସାଇତା ସେମାନଙ୍କ ବହୁ ଘରକରଣା ଉପକରଣ ନଷ୍ଟ ହୋଇଯାଇଛି। ତୁରନ୍ତ ଘର ଛାଡ଼ି ସ୍କୁଲ ଘରକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୁହାଯାଇଥିଲା। କିନ୍ତୁ ଜିନିଷପତ୍ର ଛାଡ଼ି ସେମାାନେ ଯାଇ ନଥିଲେ। ଜିନିଷପତ୍ର ଘୋଡ଼ାଇ ରଖିବାକୁ ସେମାନେ ଅଧିକ ପଲିଥିନ୍‌ ଦାବି କରିଥିଲେ। ସେମାନଙ୍କୁ ଆଜି ସେହିଠାରେ ହିଁ ରନ୍ଧା ଖାଦ୍ୟ ଦିଆଯାଇଥିଲା। ଭୁବନେଶ୍ବର ତହସିଲଦାର ସମ୍ବିତ କୁମାର ଗଡ଼ନାୟକ ଓ ଅତିରିକ୍ତ ତହସିଲଦାର ସେମାନଙ୍କୁ ବହୁ ବୁଝାଶୁଝା କରିଥିଲେ। ଜିନିଷପତ୍ର ଘୋଡ଼ାଇବାକୁ ପଲିଥିନ୍‌ ବଣ୍ଟନ କରାଯାଇଥିଲା। ଫଳରେ ସନ୍ଧ୍ୟା ସୁଦ୍ଧା ବୟସ୍କ ଲୋକ, ମହିଳା ଓ ଛୋଟପିଲାମାନେ କଳିଙ୍ଗ ବିଦ୍ୟାପୀଠ ପରିସରକୁ ଚାଲିଯାଇଥିଲେ।

ସୂଚନାନୁସାରେ ୧୨ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ଶ୍ୟାମପୁର କଳିଙ୍ଗ ବିଦ୍ୟାପୀଠରେ ସେମାନଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବିଏମ୍‌ସି କର୍ମଚାରୀମାନଙ୍କ ସହ କର୍ପୋରେଟର୍‌ ଦିଲ୍ଲୀପ ମାଝୀ ସମସ୍ତ ଦାୟିତ୍ବର ତଦାରଖ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe