ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣ: ଡିଜାଇନ୍‌ ଓ ଏଷ୍ଟିମେଟ୍‌ ଅପେକ୍ଷାରେ ରାଜପଥ କର୍ତ୍ତୃପକ୍ଷ

Advertisment

ସମନ୍ବୟ ଅଭାବରୁ ଆଗଉନି କାମ, ବିଳମ୍ବ ହେବ ସତ୍‌ସଙ୍ଗ ବିହାର ଓ ନୂଆପଲ୍ଲୀ ଫୁଟ୍‌ ଓଭରବ୍ରିଜ୍

ସମନ୍ବୟ ଅଭାବରୁ ଆଗଉନି କାମ, ବିଳମ୍ବ ହେବ ସତ୍‌ସଙ୍ଗ ବିହାର ଓ ନୂଆପଲ୍ଲୀ ଫୁଟ୍‌ ଓଭରବ୍ରିଜ୍

ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣ: ଡିଜାଇନ୍‌ ଓ ଏଷ୍ଟିମେଟ୍‌ ଅପେକ୍ଷାରେ ରାଜପଥ କର୍ତ୍ତୃପକ୍ଷ

The News Hash Tag

ଭୁବନେଶ୍ବର: ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି ରକ୍ତମୁଖା ପଳାସୁଣି ଛକ। ମାସକ ମଧ୍ୟରେ ଏହି ଛକରେ ୩ରୁ ଊର୍ଧ୍ବ ଜୀବନ ଗଲାଣି। ଖାଲି ମାସକର କଥା ନୁହେଁ, ବିଗତ ବର୍ଷମାନଙ୍କରେ ଏହି ଛକରେ ଏତେ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇଛି ଯେ ସହରର ସବୁଠାରୁ ବିପଜ୍ଜନକ ଏହି ଛକ ‘ମଣିଷଖିଆ’ର ଅପବାଦ ମୁଣ୍ଡାଇ ସାରିଛି। ଗୋଟେ ପଟେ ମଞ୍ଚେଶ୍ବର ଓ ରାସ୍ତା ଆରପଟେ ପଳାସୁଣି, ପ୍ରାଚୀବିହାର, ଜିଜିପି କଲୋନି। ପ୍ରତିଦିନ ହଜାର ହଜାର ଲୋକ, ଛାତ୍ରଛାତ୍ରୀ ରାଜପଥ ଅତିକ୍ରମ କରି ଏପଟୁ ସେପଟ ଯିବା ଆସିବା କରିଥା’ନ୍ତି।

ଦୁର୍ଘଟଣାର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। ଏହାକୁ ନଜରରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ କରିବା ପାଇଁ ଘୋଷଣା କରିଛନ୍ତି। ଗତ ଏପ୍ରିଲ୍‌ରେ ଏଠାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ପରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ। ଏପରିକି ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କ ସହ ନିଜେ ଶ୍ରୀମତୀ ଷଡ଼ଙ୍ଗୀ ଜାଗା ପରିଦର୍ଶନ କରିଥିଲେ। କିନ୍ତୁ ଏହି ଘଟଣାକୁ ମାସକରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ଏଯାବତ୍‌ କାମ ଆରମ୍ଭ ହୋଇପାରିନାହିଁ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ୧୬ ନମ୍ବର ଜାତୀୟ ରାଜପଥ କାମ କରିଥିବା ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ୱେ ପ୍ରା.ଲି(ଏସ୍‌ଜେଇପିଏଲ୍‌) ଠିକା ସଂସ୍ଥା ପଳାସୁଣି ଫୁଟ୍‌ ଓଭରବ୍ରିଜ୍‌ କାମ କରିବ। କିନ୍ତୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ଠିକାସଂସ୍ଥାକୁ ଡିଜାଇନ୍‌ ଓ ଏଷ୍ଟିମେଟ୍‌ ମଗା ଯାଇଥିଲେ ବି ଠିକାସଂସ୍ଥା ଏ ପର୍ଯ୍ୟନ୍ତ ଦେଇପାରିନାହିଁ। ଏଥିପାଇଁ କାମ ବିଳମ୍ବ ହେଉଥିବା କୁହାଯାଉଛି। କେବେ ଆରମ୍ଭ ହେବ, ତାହାର କୌଣସି ଠିକ୍‌ ଠିକଣା ନାହିଁ। ଅଧିକାରୀଙ୍କ ଆନ୍ତରିକତାହୀନ ଏବଂ ବିଭାଗୀୟ ସମନ୍ବୟ ଅଭାଗ ଯୋଗୁଁ କାମ ଆଗେଇ ପାରୁନାହିଁ।

ଏ ସଂପର୍କରେ ଏନ୍‌ଏଚ୍‌ଏଆଇର ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡାଙ୍କ କହିବା ଅନୁସାରେ, ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌କୁ ଶୀଘ୍ର କରାଯିବା ପାଇଁ ‌ଟେଣ୍ଡର୍‌ କରାଯିବ ନାହିଁ। ଏନ୍‌ଏଚ୍‌ଏଆଇର ପ୍ରକଳ୍ପ କାର୍ଯ୍ୟକାରିତା ୟୁନିଟ୍‌ (ପିଆଇୟୁ) ତତ୍ତ୍ବାବଧାନରେ କାମ କରାଯିବ। ଫୁଟ୍‌ ଓଭରବ୍ରିଜ୍‌ ସହ ଲିଫ୍ଟ ଲଗାଯିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି। କିନ୍ତୁ ଯେଉଁ ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ, ‌ସେଠାରୁ ଇଲେକ୍ଟ୍ରି ଖୁଣ୍ଟ, ତାର ଓ ଅନ୍ୟାନ୍ୟ ସାମଗ୍ରୀ ଉଠାଇବା ପାଇଁ ‘ଟିପିସିଓଡିଏଲ୍‌’ ଏବଂ ତଳେ ଯାଇଥିବା ପାଣି ପାଇପ୍‌ ସ୍ଥାନାନ୍ତର ପାଇଁ ‘ୱାଟ୍‌କୋ’କୁ ଗତ ଏପ୍ରିଲ୍‌ ୨୫ ତାରିଖରୁ ଚିଠି ଲେଖାଯାଇ ଏଷ୍ଟିମେଟ୍‌ କଷ୍ଟ ମଗା ଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ଦୁଇ ବିଭାଗ ପକ୍ଷରୁ ଏଷ୍ଟିମେଟ୍‌ ବାବଦକୁ ଚିଠି ଆସିଲେ ଯାଇ ପରବର୍ତ୍ତୀ କାମ ଆରମ୍ଭ ହେବ। ତେବେ ସତ୍‌ସଙ୍ଗବିହାର ଓ ନୂଆପଲ୍ଲୀ କ୍ରାଉନ୍‌ ହୋଟେଲ ସମ୍ମୁଖରେ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ ପ୍ରକ୍ରିୟା ବିଳମ୍ବ ହେବ ବୋଲି ସେ କହିଛନ୍ତି। ଏହି ଦୁଇଟି ପାଇଁ ଟେଣ୍ଡର୍‌ ଡକାଯାଇ କାମ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe