ବଇଁଚୁଆ କାଜ ବ୍ରିଜ୍‌ ନିର୍ମାଣ ପ୍ରସଙ୍ଗ, ଅର୍ଥ ମଞ୍ଜୁରକୁ ଅପେକ୍ଷା

Advertisment
ବଇଁଚୁଆ କାଜ ବ୍ରିଜ୍‌ ନିର୍ମାଣ ପ୍ରସଙ୍ଗ, ଅର୍ଥ ମଞ୍ଜୁରକୁ ଅପେକ୍ଷା

ବାଲିଅନ୍ତା: ବହୁ ପ୍ରତୀକ୍ଷିତ ବଇଁଚୁଆ କାଜ ବ୍ରିଜ୍‌ ନିର୍ମାଣକୁ ପ୍ରଶାସନିକ ସ୍ତରରେ ସବୁଜ ସଙ୍କେତ ମିଳିସାରିଥିଲେ ହେଁ ଅର୍ଥ ମଞ୍ଜୁର ପ୍ରକ୍ରିୟା ପଡ଼ି ରହିଛି। ବ୍ରିଜ୍‌ ନିର୍ମାଣ ପାଇଁ ହାଇଲେବଲ୍‌ କମିଟି ସୁପାରିସ କରି ସାରିଛି ଓ ବ୍ୟୟ ଅଟକଳ ପରେ ଆବଶ୍ୟକ ଅର୍ଥ ମଞ୍ଜୁର କରାଯିବ ବୋଲି ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଅର୍ଥ ମଞ୍ଜୁର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଉଛି।

ଉଲ୍ଲେଖଯୋଗ୍ୟ, ବନ୍ୟା ସମୟରେ ବଇଁଚୁଆ କାଜ ଦେଇ ଧନୁଆ ନଈର ଜଳ ନିସ୍କାସିତ ହେଉଛି। ଏହି କାଜ ଉପରେ ବ୍ରିଜ୍‌ ନଥିବାରୁ ବନ୍ୟା ସମୟରେ ଲୋକେ କାଜରେ ପାଣି ସୁଅରେ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ ହୁଅନ୍ତି। ବଡ଼ ବନ୍ୟାବେଳେ କାଜରେ ପାଣି ସ୍ରୋତ ଅଧିକ ହେଉଥିବାରୁ ଯାତାୟାତ ପୂରା ଠପ୍‌ ହୋଇଯାଏ। ଫଳରେ ଆଖପାଖ ୫ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ ଓ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଅନେକ ଗାଁକୁ ୧୦୮ ଆମ୍ବୁଲାନ୍ସ କିମ୍ବା ଜନନୀ ଆମ୍ବୁଲାନ୍ସ ଯାଇପାରେନି। ତେଣୁ ରୋଗୀମାନଙ୍କୁ ଭାରାରେ ବୋହି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ନେବାକୁ ପଡ଼େ। ବଇଁଚୁଆ, ଭିଙ୍ଗାରପୁର, ଚିଙ୍ଗୁଡ଼ିଆ, ସୁବାଲୋ, ବୁଢ଼ାଲୋ, ସାନ ବଇଁଚୁଆ, ପଟୁପଡ଼ା, ଧବଳାହାର, ଅରିଙ୍ଗୋଳ ଆଦି ଅଞ୍ଚଳର ଗ୍ରାମବାସୀମାନେ ଦୀର୍ଘ ବର୍ଷ ହେଲା ଏମିତି ହୀନସ୍ତା ହୋଇଆସୁଛନ୍ତି। ତେଣୁ କାଜ ଉପରେ ବ୍ରିଜ୍‌ ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଆସୁଛି। ଗତ ବନ୍ୟା ସମୟରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାଜ ପରିଦର୍ଶନ କରି ବ୍ରିଜ୍ ନିର୍ମାଣ ଜରୁରୀ ବୋଲି ମତ ଦେଇଥିଲେ। ବିଧାୟକ ଶ୍ରୀ ଢାଲି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଥିଲେ। ସରକାରୀସ୍ତରରେ ପ୍ରସ୍ତାବିତ ବ୍ରିଜ୍‌ ନିର୍ମାଣ ଦସ୍ତାବିଜକୁ ଏହା ମଧ୍ୟରେ ହାଇଲେବଲ୍‌ କମିଟିର ସୁପାରିସ ମିଳିସାରିଛି ବୋଲି ଦାୟିତ୍ବରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସ୍ଥାନର ମାଟି ପରୀକ୍ଷା ସରିବା ପରେ ବ୍ରିଜ୍‌ ନିର୍ମାଣର ନକ୍‌ସା ପ୍ରସ୍ତୁତ କରାଯିବ ଓ ଏହା ପରେ ବ୍ୟୟ ଆକଳନ କରାଯାଇ ଆବଶ୍ୟକ ଅର୍ଥ ମଂଜୁର ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe