ବନ୍ଦେ ଉତ୍କଳ ଜନନୀ... ଅଟକିଗଲା ରାଜଧାନୀ

Advertisment

bande-utkal-janani

bande-utkal-janani

ବନ୍ଦେ ଉତ୍କଳ ଜନନୀ... ଅଟକିଗଲା ରାଜଧାନୀ

ଭୁବନେଶ୍ବର: କିଛି କ୍ଷଣ ପାଇଁ ସ୍ଥିର ହୋଇଯାଇଥିଲା ଚଳଚଞ୍ଚଳ ରାଜଧାନୀ। କୋଳାହଳମୟ ସହରରେ ଖେଳି ଯାଇଥିଲା ସମ୍ମାନବୋଧର ନିରବତା। ଯିଏ ଯେଉଁଠି ଥିଲେ, ଅଟକି ଗଲେ। ଗାଡ଼ିରୁ ଓହ୍ଲାଇ ସାବଧାନ ମୁଦ୍ରାରେ ଦଣ୍ଡାୟମାନ ହେଲେ। ସନ୍ଧ୍ୟା ସାଢ଼େ ୫ଟା ହେବା କ୍ଷଣି ସମବେତ କଣ୍ଠରେ ଗୁଞ୍ଜରି ଉଠିଥିଲା ‘ବନ୍ଦେ ଉତ୍କଳ ଜନନୀ...। ଅନେକ ସମ୍ପୂର୍ଣ୍ଣ ଗୀତ ଜାଣି ନ ଥିଲେ ବି ଟେପ୍‌ ରେକର୍ଡରୁ ଭାସି ଆସୁଥିବା ସଂଗୀତ ସହ ତାଳ ଦେଇ ଗାଇ ଚାଲିଥିଲେ। ଉତ୍କଳ ବନ୍ଦନା ଗୀତରେ ରାଜଧାନୀବାସୀ କରୋନା ଯୋଦ୍ଧାଙ୍କୁ ଅଜାଡ଼ି ଦେଇଥିଲେ କୃତଜ୍ଞତାର ଭେଟି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ ମୁତାବକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘‌ବନ୍ଦେ ଉତ୍କଳ ଜନନୀ... ଗାନ ପାଇଁ ଦୁଇ ଦିନ ତଳୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ହ୍ବାଟ୍‌ସଆପ୍‌ରେ ଗୀତଟି‌ ମୋବାଇଲ୍‌ରୁ ମୋବାଇଲ୍‌ ଡେଇଁ ଚାଲିଥିଲା। ଗୀତଟିକୁ ପରିବେଷଣ ପୂର୍ବରୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଗୀତଟି ଉପରେ ଅନେକ ଆଖି ବୁଲେଇ ନେଉଥିଲେ। ରାଜଧାନୀରେ ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କିଛି ପ୍ରମୁଖ ଛକ ଓ ବଜାର ଭଳି ଜନଗହଳି ସ୍ଥାନମାନଙ୍କରେ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ ହୋଇଥିଲା। କେତେକ ସ୍ଥା‌ନରେ କଣ୍ଠଶିଳ୍ପୀବୃନ୍ଦ ଗୀତଟି ପରିବେଷଣ କରିବା ବେଳେ ତାହା ସହ ତାଳ ଦେଇ ଅନ୍ୟମାନେ ଗାଇ ଚାଲିଥିଲେ। ବିଭିନ୍ନ ଛକରେ ଗାଡ଼ି ଅଟକାଯିବା ପରେ ଚାଳକମାନେ ସେଠାରେ ଅଟକି ଯାଇ ଏହି ଧାରାରେ ସାମିଲ୍‌ ହୋଇଥିଲେ। କିଛି ସ୍ଥାନରେ ସଂଗୀତ ପରିବେଷଣ ପରେ ଉତ୍କଳ ମାତାର ଜୟ ଜୟକାର ଧ୍ବନି ନିନାଦିତ ହୋଇଥିଲା।  ମୁଖ୍ୟ ରାସ୍ତାଠୁ ନେଇ ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ପରିବେଷଣ ହୋଇଥିଲା ଏହି ସଂଗୀତ। ଘରୁ ଓ ଆପାର୍ଟମେଣ୍ଟରୁ ଲୋକେ ରାସ୍ତା ଉପରକୁ ବାହାରି ଆସିଥିଲେ। ଯାହା ଯେତିକି ଜାଣିଥିଲେ, ଗୁଣୁଗୁଣୁ ହୋଇ ଗାଇବା ଆରମ୍ଭ କରିଦେଇଥିଲେ। କିଏ ମୋବାଇଲ୍‌ ଦେଖି ଗାଉଥିଲା ତ କିଏ କାଗଜରେ ଟିପି ଆଣିଥିଲା। କୁନିକୁନି ପିଲାମାନେ କିନ୍ତୁ ମୁଖସ୍ଥ କରିବା ଭଳି ଗାଉଥିଲେ। ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ଦଳ ନିର୍ବିଶେଷରେ ସମସ୍ତେ ସମବେତ ଭାବେ ଉତ୍କଳ ମାତାର ବନ୍ଦନା କରୁଥିବାର ଦୃଶ୍ୟ ଥିଲା ଅନନ୍ୟ।
ପୁଲିସ ସେବା ଭବନରେ ବି ବ୍ରାସ୍‌ ବ୍ୟାଣ୍ଡ ତାଳେ ତାଳେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ପୁଲିସ ଅଧିକାରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ମଧ୍ୟ ବ୍ରାସ୍ ବ୍ୟାଣ୍ଡ ସହ ସଙ୍ଗୀତ ଗାନ କରାଯାଇଥିଲା। ଓଲା, ଉବେର ଓ ଅଟୋଗୁଡ଼ିକର ଶହଶହ ଚାଳକ ଧାଡ଼ିରେ ଛିଡ଼ା ହୋଇ ସଙ୍ଗୀତ ଗାନ କରିଥିଲେ। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଓଲିଉଡ୍‌ କଳାକାର ଉପସ୍ଥିତ ଥିଲେ। ସେହିଭଳି ଏଜି ଛକରେ ଅତିରିକ୍ତ ପୁଲିସ କମିସନର୍‌ ଅନୁପ ସାହୁ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଏସିପି ସ୍ବସ୍ତିକ ପଣ୍ଡାଙ୍କ ସମେତ ଓଲିଉଡ୍‌ର ବିଶିଷ୍ଟ କଳାକାରମାନେ ଉପସ୍ଥିତ ଥିଲେ। ପଟିଆରେ ମଧ୍ୟ ବିଶିଷ୍ଟ କଳାକାରମାନେ ଏହି ସଙ୍ଗୀତ ଗାନ କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe